ଲାଞ୍ଜିଗଡ :କୁମାର ପୂର୍ଣ୍ଣିମା ଅବସରରେ ଲାଞ୍ଜିଗଡ ଥାନାଞ୍ଚଳର କେତେକ ସ୍ଥାନରେ ବେଆଇନ ଭାବେ ଜୁଆଖେଳ ଚାଲିଥିବା ଅଭିଯୋଗ ପାଇବା ପରେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୩୨ଜଣଙ୍କୁ ଗିରଫ କରାଯାଇଛି । ଏହା ସହିତ ୮ ଗୋଟି ବାଇକ, ୩୦ଗୋଟି ମୋବାଇଲ ଏବଂ ନଗଦ ୭୧ହଜାର ଟଙ୍କା ଓ ଜୁଆଖେଳରେ ବ୍ୟବହୃତ ତାସ ମୁଠା ଜବତ କରିଛି ପୁଲିସ । ପୁଲିସ ସୁତ୍ରରୁ ମିଳିଥିବା ସୁଚନା ଅନୁଯାଇ କୁମାର ପୂର୍ଣ୍ଣିମା ଅର୍ଥାତ ରବିବାର ବିଳମ୍ବିତ ରାତିରେ ଲାଞ୍ଜିଗଡ ଥାନାଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ ଜୁଆଖେଳ ଚାଲିଥିବା ସମ୍ପର୍କରେ ପୁଲିସକୁ ସୁଚନା ମିଳିଥିଲା । ଏହାପରେ କଳାହାଣ୍ଡି ଏସ୍ପି ଅଭିଳାସ ଜିଙ୍କ ନିର୍ଦ୍ଦେଶ କ୍ରମେ ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ଏସଆଇ ଭବାନୀଶଙ୍କର ବାଦି,ବିଳାସିନି ଭୋଇ, ଏଏସଆଇ ସମେଶ୍ୱର ବାଗ,ଏଏସଆଇ ମାଝୀ ଗୋମାଙ୍ଗଙ୍କୁ ନେଇ ୩ଗୋଟି ଟିମ୍ ଗଠନ କରାଯିବା ସହିତ ବସନ୍ତପଡା, ଚମ୍ପାଦେଇପୁର, ହରେକୃଷ୍ଣପୁର, ଲଙ୍ଗଲବେଡା,ଜଗନ୍ନାଥପୁର, ମୋହନଗୁଡା ଏବଂ ଲାଞ୍ଜିଗଡର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ପୁଲିସକୁ ଦେଖି ଲାଞ୍ଜିଗଡ ଭୈରବ ମନ୍ଦିର ନିକଟରେ ଚାଲିଥିବା ଜୁଆଆଡାରୁ ସମସ୍ତେ ଫେରାର ହୋଇଯାଇଥିଲେ । ଅନ୍ୟସ୍ଥାନ ଗୁଡିକରୁ ୩୨ଜଣଙ୍କୁ କାବୁ କରିବା ସହିତ ଥାନାକୁ ଉଠାଇ ଆଣିଥିଲା ଏହି ୩ ଗୋଟି ପୁଲିସ ଟିମ୍ । ଏହା ସହିତ ଜୁଆଖେଳରେ ବ୍ୟବହୃତ ତାସମୁଠା ନଗଦ ୭୧ହଜାର ଟଙ୍କା ଗୋଟିଏ ଲ୍ୟାପଟାପ, ୩୦ଗୋଟି ମୋବାଇଲ ସମେତ ୮ଗୋଟି ବାଇକକୁ ଜବତ କରାଯାଇଥିଲା । ଏନେଇ ଲାଞ୍ଜିଗଡ ଥାନାରେ ୬ଗୋଟି ପୃଥକ ପୃଥକ ମାମଲା ରୁଜୁ କରାଯିବା ସହିତ ସେମାନଙ୍କୁ ଥାନାରେ ଅଟକ ରଖାଯାଇଥିଲା । ଅଟକ ଥିବା ବ୍ୟକ୍ତି ମାନଙ୍କୁ ଥାନାରୁ ଜାମିନଦାର ମାନଙ୍କ ଉପସ୍ଥିତିରେ ଜାମିନ ଦିଆଯାଇଥିଲା ।
Popular Categories



