ଦୁର୍ଗମ ଅଞ୍ଚଳରେ ପ୍ରଥମେ ମାଟ୍ରିକ ପାସ୍ କଲେ ଜାରିଙ୍ଗପେଟାର ସନ୍ଦୀପ, ତୁର୍କାର ନବୀନ ଓ ଅମଠାପଦରର ଆଦ୍ରି

ଲାଞ୍ଜିଗଡ଼:କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ। କେନ୍ଦ୍ର ଓ ରାଜ୍ୟ ସରକାର ତଥା ପ୍ରଶାସନର ଅନେକ ଉଦ୍ୟମ ସତ୍ତ୍ୱେ ଆଜି ବି ଏଠାରେ ଅନେକ ସମସ୍ୟା ଘେରିରହିଛି। ଏପରିସ୍ଥଳେ ଅଞ୍ଚଳରେ ଏକ ବଡ଼ ସମସ୍ୟା ହେଲା ଶିକ୍ଷା । ବ୍ଲକର ଦୁର୍ଗମ ଅଞ୍ଚଳରେ ରାସ୍ତା ଓ ମୋବାଇଲ ଯୋଗାଯୋଗ ଭଳି କୌଣସି ସୁବିଧା ନଥିବାବେଳେ ସ୍କୁଲ ଓ ଶିକ୍ଷକ ଅଭାବ ଓ ପରିବାରର ଦୁଃସ୍ଥିତି ଭଳି ସମସ୍ୟା ଯୋଗୁଁ ଇଛା ଥିଲେ ବି ଅନେକ ମେଧାବୀ ଛାତ୍ରଛାତ୍ରୀ ଆଦୌ ପାଠ ପଢିପାରନ୍ତି ନାହିଁ କିମ୍ବା ଅଧାରୁ ପାଠ ଛାଡିବାକୁ ବାଧ୍ୟ ହୁଅନ୍ତି । ଏପରି ପରିସ୍ଥିତିରେ ସ୍ରୋତର ବିପରୀତ ମୁହାଁ ହୋଇ ବ୍ଲକର ଦୁର୍ଗମ ଅଞ୍ଚଳରେ ତିନିଜଣ ଛାତ୍ର ଚଳିତ ବର୍ଷ ନିଜନିଜ ଗାଁର ପ୍ରଥମ ମାଟ୍ରିକ ପାସ୍ କରିସମଗ୍ର ବ୍ଲକ ଏବଂ ଜିଲାକୁ ଗୌରବାନ୍ୱିତ କରିଛନ୍ତି । ସେଥିମଧ୍ୟରୁ ଜଣେ ହେଲେ ପୋଖରୀବନ୍ଧ ପଞ୍ଚାୟତ ଜାରିଙ୍ଗପେଟା ଗାଁର ସନ୍ଦୀପ ମାଝୀ । ଏକ ଆଦିବାସୀ ତଥା ଗରିବ ଘରର ପୁଅ ସନ୍ଦୀପ ନିଜ ଇଛାଶକ୍ତି ବଳରେ ପାଠ ପଢିବା ସହିତ ମାଟ୍ରିକ ପାସ୍ କରି ଗାଁକୁ ଗୌରବ ଆଣିଦେଇଛନ୍ତି । ସେ ହେଉଛନ୍ତି ଗାଁର ପ୍ରଥମ ଓ ଏକମାତ୍ର ମାଟ୍ରିକ ପାସ୍ କରିଥିବା ଛାତ୍ର । ସେହିପରି ମାଓପ୍ରବଣ ଓ ଦୁର୍ଗମ ତ୍ରିଲୋଚନପୁର ଗ୍ରାମପଞ୍ଚାୟତର ଅମଠାପଦର ଗାଁର ଆଦ୍ରି ମାଝୀ ମଧ୍ୟ ଏଥର ଦଶମବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସମଗ୍ର ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି । କୁଟିଆ କନ୍ଧ ଜନଜାତିର ଆଦ୍ରିଙ୍କ ଏହି ସଫଳତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ବ୍ଲକର ମାଟ୍ରିକ ପାସ୍ ଛାତ୍ରଛାତ୍ରୀଙ୍କ କଥା ଉଠିଲେ ସବୁଠାରୁ ଚର୍ଚ୍ଚିତ ଓ ବିସ୍ମୟ ବାଳକ ହେଉଛନ୍ତି ଲାଞ୍ଜି ଗ୍ରାମପଞ୍ଚାୟତର ଦୁର୍ଗମ ତୁର୍କା ଗାଁର ଛାତ୍ର ନବୀନ ମାଝୀ । ମାଆ ଛେଉଣ୍ଡ ନବୀନ ନିଜ ବାପାଙ୍କ ସହିତ ରହନ୍ତି ଅତ୍ୟନ୍ତ ଦୁର୍ଗମ ତୁର୍କା ଗାଁରେ । ଯେଉଁ ଗାଁକୁ କିଛିମାସ ପୂର୍ବରୁ ରାସ୍ତା ନଥିଲା । ନା ଥିଲା, କୌଣସି ଯୋଗାଯୋଗ ବ୍ୟବସ୍ଥା । ତେବେ ନିଜର ଇଛାଶକ୍ତି ବଳରେ ସେ ପ୍ରଥମେ ଜୁବାଗାଁ ପ୍ରାଥମିକ ସ୍କୁଲ, ଜାମଚୁଆଁ ଓ ସେଠାରୁ ବିଶ୍ୱନାଥପୁରସ୍ଥିତ ଗୋପବନ୍ଧୁ ହାଇସ୍କୁଲରେ ପାଠ ପଢିବା ସହିତ ଗାଁର ପ୍ରଥମ ଛାତ୍ର ଭାବେ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ନବୀନ ଛାତ୍ର ଅବସ୍ଥାରୁ କେବଳ ପାଠ ପଢିବା ନୁହେଁ ନିଜ ଗାଁର ସମସ୍ୟା ସଂପର୍କରେ ସାମାଜିକ ଗଣମାଧ୍ୟମ ଫେସବୁକ୍‌, ଟ୍ୱିଟର ଆଦି ମାଧ୍ୟମରେ ବାରମ୍ବାର ଶାସନ, ପ୍ରଶାସନ ଓ ଗଣମାଧ୍ୟମରେ ଉପସ୍ଥାପିତ କରି ଜଣେ ବିସ୍ମୟ ପ୍ରତିଭା ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ।
ତାଙ୍କ ଉଦ୍ୟମରେ ପ୍ରଶାସନର ପଦକ୍ଷେପ ଦ୍ୱାରା ଆଜି ଗାଁକୁ ରାସ୍ତା ସଂଯୋଗ ହୋଇପାରିଛି । ତିନୋଟି ପାହାଡ ଓ ନଦୀନାଳ ଡେଇଁ ଦିନେ ଯେଉଁ ଗାଁକୁ କେହି ଯିବା ସମ୍ଭବପର ନଥିଲା। ଆଜି ସେଇ ଗାଁ ପ୍ରଶାସନର ଫୋକସରେ ରହିଛି । ଆଜି ଗାଁକୁ ରାସ୍ତା ନିର୍ମାଣ ହେବା ସହିତ ନବୀନଙ୍କ ସଫଳତା ପରେ ଗାଁର ଆଠଜଣ ଛାତ୍ରଛାତ୍ରୀ ଏବେ ପାଠ ପଢିବାକୁ ଆଗେଇ ଆସିଛନ୍ତି । ଲାଞ୍ଜିଗଡ ବ୍ଲକ ପ୍ରଶାସନ, ବ୍ଲକ ଶିକ୍ଷା ବିଭାଗ, କୁଟିଆ କନ୍ଧ ଉନ୍ନୟନ ସଂସ୍ଥା, ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରମୁଖ ଏହି ଗାଁର ଉନ୍ନତିରେ ସହାୟକ ହୋଇଛନ୍ତି ।

kalyan agarbati

Comments are closed.