ଅନଲାଇନ୍ ଋଣ ପାଇବା ଆଶାରେ ଯୁବକ ସର୍ବସ୍ୱାନ୍ତ: ସାଇବର ଠକ ଲୁଟିନେଲେ ୬୪ ହଜାର ଟଙ୍କା
ଲାଞ୍ଜିଗଡ଼: ବଡ଼କଷ୍ଟରେ କୁଲି ମଜୁରି କରି ଚଳୁଥିଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି ଗ୍ରାମପଞ୍ଚାୟତ ପାର୍ତିବେଡ଼ା ଗାଁର ମଳୟ ଗଉଡ଼ଙ୍କ ଅଭାବୀ ପରିବାର । ଯେତେ ଉପାର୍ଜନ କଲେ ବି ବର୍ଷକ ବାରମାସ ଚଳିବା ମୁସ୍କିଲ । କ’ ଣ କରି ନିଜ ଘରର ଆର୍ଥିକ ପରିସ୍ଥିତି ସୁଧାରିପାରିବେ ସେନେଇ ଚିନ୍ତାରେ ବୁଡ଼ି ରହୁଥିଲେ ମଳୟ । ଏଇ ସମୟରେ ନିଜର ମୋବାଇଲରେ ଆସୁଥିବା ବିଭିନ୍ନ ବିଜ୍ଞାପନ ଭିତରୁ ବିନା କାଗଜପତ୍ରରେ ଇନଷ୍ଟାଣ୍ଟ ଋଣ ପ୍ରଦାନ ଲୋଭନୀୟ ଅଫର ବିଷୟରେ ଜାଣି ଘରର ଆର୍ଥିକ ପରିସ୍ଥିତି ସୁଧାରିବାକୁ ଏହା ଏକ ସୁଯୋଗ ବୋଲି ଭାବି ସେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରିଥିଲା । ଏହାପରେ ପରେ ସେ ୨୫ ଲକ୍ଷ ଟଙ୍କା ଋଣ ପାଇବାକୁ ଯୋଗ୍ୟ ବିବେଚିତ ବୋଲି ମେସେଜ୍ ଆସିଥିଲା । ତେବେ ପ୍ରସେସିଂ ଫି ବାବଦକୁ ଟଙ୍କା ଲାଗିବ ବୋଲି କୁହାଗଲା । ଫଳରେ ଘରର ସ୍ଥିତି ସୁଧାରିବାକୁ ଯାଇ ମଳୟ ଧାରଉଧାର କରି ପର୍ଯ୍ୟାୟ କ୍ରମେ ଦେଇଥିଲା ୬୪ ହଜାର ଟଙ୍କା । ତେବେ ଏତେ ଟଙ୍କା ଦେବା ପରେ ବି ତାକୁ ଋଣ ମିଳିନି । ଓଲଟା ଠକେଇର ଶିକାର ହୋଇଥିବା ଜଣାପଡ଼ିଛି । ଏବେ ଇନଷ୍ଟାଣ୍ଟ ଋଣ ପାଇବା ଆଶାରେ ସର୍ବସ୍ବାନ୍ତ ହୋଇ ପଡ଼ିଛନ୍ତି ମଳୟ ଓ ତାଙ୍କ ପରିବାର । କାହାକୁ ଅଭିଯୋଗ କରିବେ କେମିତି ଟଙ୍କା ଫେରିପାଇବେ କିଛି ବୁଦ୍ଧିବାଟ ଦିଶୁନାହିଁ । ତେବେ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ମଳୟ କେବଳ ଜଣେ ନୁହେଁ । ଏଇ କିଛି ବର୍ଷ ମଧ୍ୟରେ ଦଶରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଏପରିକି ଦୁଇବର୍ଷ ପୂର୍ବରୁ ଲାଞ୍ଜିଗଡ଼ର ଜଣେ ଯୁବକ ଠକେଇର ଶିକାର ହେବା ପରେ ମାନସିକ ଭାରସାମ୍ୟ ହରାଇ ଟିଟିଲାଗଡ଼ ରେଳ ଷ୍ଟେସନ ନିକଟରେ ରେଳ ଧାରଣାରେ ଆତ୍ମହତ୍ୟା କରିଥିଲେ । ଏହିପରି ଭାବେ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଦିନକୁ ଦିନ ସାଇବର ଠକେଇ ମାମଲା ବଢ଼ି ଚାଲିଥିବାବେଳେ ସ୍ଥାନୀୟ ପୁଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସମୁଚିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।
Comments are closed.