ଲାଞ୍ଜିଗଡ : ଗାଁକୁ ରାସ୍ତା ନାହିଁକି ପୋଲ ନାହିଁ। ଫଳରେ ଲାଞ୍ଜିଗଡ଼ ବ୍ଲକ ତଇଁପଦର ଗ୍ରାମର ରୋଗୀଙ୍କୁ ୨ କିଲୋମିଟର ପାଦ ଚଲା ରାସ୍ତାରେ ଭାରରେ ବୋହି ଆଣିବା ପରେ ନାଳ ପାର କରୁଛନ୍ତି ଗ୍ରାମବାସୀ। ଗାଁକୁ ରାସ୍ତା ନଥିବା ଯୋଗୁଁ ୨୮ଟି ଆଦିବାସୀ ପରିବାର ବର୍ଷା ଦିନେ ଜଳବନ୍ଦୀ ଜୀବନ ବିତାଉଛନ୍ତି। ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିବା ବେଳେ ଆଜି ପର୍ୟ୍ୟନ୍ତ ଏହାର କୌଣସି ସମାଧାନ ହୋଇ ପାରୁନାହିଁ। ବର୍ଷା ଯୋଗୁଁ ଦେଢ଼ ମାସ ହେଲା ପିଲାଙ୍କ ପାଠପଢା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଥିବା ବେଳେ ଜରୁରୀ କାଳୀନ ପରିସ୍ଥିତିରେ ଗର୍ଭବତୀ ମହିଳା ଓ ରୋଗୀଙ୍କୁ ଖଟିଆ ଓ ଭାରରେ ବୋହି ନାଳ ପାର କରନ୍ତି ଗ୍ରାମବାସୀ। ଗାଁର ମଣ୍ଟୁ ମାଝୀ ଜରରେ ଗୁରୁତର ହୋଇ ପଡ଼ିଥିବା ବେଳେ ମଙ୍ଗଳବାର ଗାଁ ଲୋକେ ଭାରରେ ମଣ୍ଟୁଙ୍କୁ ଦେଢ଼ କିମି ରାସ୍ତା ବୋହି ଆଣିବା ପରେ ଗାଁ ନିକଟରେ ଥିବା ନାଳ ପାର କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି।
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ପାହାଡ଼ପଦର ପଞ୍ଚାୟତର ଏକ ଆଦିବାସୀ ଗାଁ ତଇଁପଦର । ଏହି ୨୮ଟି ଆଦିବାସୀ ପରିବାର ରହୁଥିବା ୨୦୦ ଶହରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଗାଁ ସମସ୍ୟାର ଚାରି ଛକରେ ବନ୍ଧା ପଡିଛି । ପଞ୍ଚାୟତ ମୁଖ୍ୟାଳୟ ଠାରୁ ମାତ୍ର ୧୦ କିମି ଦୂରରେ ଥିବା ବେଳେ ଶିକ୍ଷା,ସ୍ୱାସ୍ଥ୍ୟ, ଗମନାଗମନ ସବୁ ଦୃଷ୍ଟିରୁ ଅବହେଳିତ ହୋଇ ରହିଛି ଏହି ତଇଁପଦର ଗାଁ।
ବର୍ଷ ବର୍ଷ ଧରି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନରୁ ବଞ୍ଚିତ ରହିଛନ୍ତି ଏହି ଗ୍ରାମବାସୀ। ଆଜିକୁ ୧୦୦ ବର୍ଷରୁ ଅଧିକ ସମୟ ଧରି ଏହି ଗାଁରେ ଲୋକେ ବସବାସ କରି ଆସୁଥିଲେ ମଧ୍ୟ ଗାଁର ମୂଖ୍ୟ ସମସ୍ୟା ହେଉଛି ରାସ୍ତା ଓ ପୋଲ ରାସ୍ତା ନ ଥିବା ଯୋଗୁଁ ଗାଁରେ ବିକାଶ ମୂଳକ କାମ ହୋଇ ପାରୁନଥିବା ବେଳେ ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବା ପାଇଁ ଖଟିଆ ଓ ଭାରରେ ବୋହି ନାଳ ପାର କରିବାକୁ ପଡୁଛି। ଗାଁରେ ପ୍ରାଥମିକ ବିଦ୍ୟାଳୟ ଟିଏ ନାହିଁ। ଯାହା ଫଳରେ ଗାଁ ପିଲାମାନେ ୬ କିମି ଦୂର ରାସ୍ତା ଦେଇ ନିକଟସ୍ଥ ଗାଁ ପୁଞ୍ଜାମକୁ ପାଠ ପଢିବା ପାଇଁ ଯାଉଛନ୍ତି।
ଗାଁ ଲୋକେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ବିଦ୍ୟାଳୟଟିଏ ହୋଇପାରିଲା ନାହିଁ। ଗାଁର କୋମଳମତି ଶିଶୁମାନେ ପ୍ରାଥମିକ ବିଦ୍ୟାଳୟ ପାଇଁ ୬ କିମି ଦୂର ଜଙ୍ଗଲ ରାସ୍ତା ଦେଇ ନିକଟସ୍ଥ ଅନ୍ୟ ଗାଁକୁ ଯାଉଥିବା ବେଳେ ନିଜ ଗାଁ ତଇଁପଦର ଓ ଜିରା ଗାଁ ମଝିରେ ଏକ ବଡ ନାଳ ରହିଛି। ଯାହା ଫଳରେ ବର୍ଷା ଦିନରେ ସେହି ନାଳ ଦେଇ ଶିଶୁ ମାନଙ୍କୁ ଯିବା ପାଇଁ ସମ୍ଭବ ହେଉନାହିଁ।ବର୍ଷା ଯୋଗୁଁ ନାଳରେ ପାଣି ଆସୁଥିବା ଯୋଗୁଁ ଦେଢ଼ ମାସ ହେଲା ପିଲା ସ୍କୁଲ ନଯାଇ ଗାଁରେ ରହିଛନ୍ତି ବୋଲି ଲୋକେ କହିଛନ୍ତି।ସେହିପରି ଅଙ୍ଗନବାଡି କେନ୍ଦ୍ର ନଥିବାରୁ କିଛି ପିଲା ୬ କିମି ରାସ୍ତା ଦେଇ ପୁଞ୍ଜାମ ଗାଁକୁ ଯାଉଛନ୍ତି। ବହୁ ସଂଖ୍ୟକ ଛୋଟ ଛୋଟ ଶିଶୁ ମାନେ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଫଳରେ ଅଧିକାଂଶ ୧ ରୁ ୧୦ ବର୍ଷର ଶିଶୁ ଗାଁରେ ହିଁ ରହିଥାନ୍ତି। ସ୍ୱାସ୍ଥ୍ୟ ସେବା କହିଲେ ଏମାନଙ୍କ ପାଇଁ କିଛି ନାହିଁ। ଗାଁକୁ ମାସ ମାସ ଧରି କୌଣସି ଡାକ୍ତର କି ସ୍ବାସ୍ଥ୍ୟକର୍ମୀ ଆସନ୍ତିନାହିଁ। ଗାଁଠାରୁ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ୪୦ କିମି ଦୂର ରହିଥିବା ବେଳେ ରୋଗୀଙ୍କୁ ନେବା ଆଣିବା ଏହି ଗାଁ ଲୋକଙ୍କ ପାଇଁ ଅସମ୍ଭବ ହୋଇଥାଏ। ଅନ୍ୟ ପଟେ ଗର୍ଭବତୀ ମହିଳା ଓ ଗୁରୁତର ରୋଗୀଙ୍କୁ ଖଟିଆ ଓ ଭାରରେ ବୋହି ଗାଁ ନିକଟସ୍ଥ ନାଳ ପାର କରି ୨ କିମି କଚା ରାସ୍ତା ଦେଇ ଗଲା ପରେ ଏମାନଙ୍କୁ ଆମ୍ବୁଲାନ୍ସ ସେବା ମିଳିଥାଏ । ଯାହାକି ଏହି ୬ ଦିନ ଲଗାଣ ବର୍ଷା ଯୋଗୁଁ ଗ୍ରାମବାସୀ ଗାଁର ଜରରେ ଗୁରୁତର ରୋଗୀ ମଣ୍ଟୁ ମାଝୀଙ୍କୁ ଭାର ସାହାଯ୍ୟରେ ନାଳ ପାର କରି ଡାକ୍ତରଖାନା ନେବା ଦୃଶ୍ୟ ଦେଖିବାକୁ ମିଳିଛି। ତେଣୁ ଏହି ଗାଁର ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଓ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଦୃଷ୍ଟି ଦେବାକୁ ଗାଁର ଯୁବଗୋଷ୍ଠୀ ସହ ଗ୍ରାମବାସୀ ଦାବି ହେଉଛି ।
ସମସ୍ୟା ଘେରରେ ତଇଁପଦର ଗାଁ ; ଭାରରେ ରୋଗୀଙ୍କୁ ବୋହି ନାଳ ପାର କରୁଛନ୍ତି ଗାଁ ଲୋକେ
Popular Categories



