www.samajalive.in
Saturday, December 6, 2025
17.1 C
Bhubaneswar

ମୋଟେରରେ ବ୍ୟବସାୟ ବଢ଼ିଛି, ବିକାଶ ବାଟବଣା

ଲଡୁଗାଁ/ମୋଟେର: ବ୍ୟବସାୟ, ବାଣିଜ୍ୟ, ପ୍ରଶାସନିକ ତଥା ଗମନାଗମନ ଦୃଷ୍ଟିରୁ କଳାହାଣ୍ଡି ଜିଲାର ଜାତୀୟ ରାଜପଥ ନଂ ୨୬ ଉପରେ ଅବସ୍ଥିତ ମୋଟେର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନ। ପ୍ରତିଦିନ ଶହ ଶହ ଲୋକ କିଛି ନା କିଛି କାମ ପାଇଁ ଏଠାକୁ ଆସିଥା’ନ୍ତି। ଫଳରେ ଦିନ ରାତି ଏଠାରେ ଭିଡ ଲାଗି ରହିଥାଏ। ୧୫ କିମି ବ୍ୟାସାର୍ଦ୍ଧ ପରିମିତ ପାଖା ପାଖି ୨୦୦ ଖଣ୍ଡ ଗ୍ରାମ ମୋଟେର ଗ୍ରାମ ଉପରେ ଲୋକେ କିଛି ନା କିଛି କାମ ପାଇଁ ନିର୍ଭର କରିଥା’ନ୍ତି। ମୋଟେର ଗ୍ରାମ ଜୁନାଗଡ଼, କଲମପୁର, ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଲକ୍‌ର କେନ୍ଦ୍ରସ୍ଥଳରେ ଅବସ୍ଥିତ। ଗ୍ରାମର ସ୍ଥିତି ଦେଖିଲେ ଏଠାରେ ବ୍ୟବସାୟ ବଢ଼ିଛି ସତ, କିନ୍ତୁ ବିକାଶ ବାଟବଣା। ଏଠି ଯାତ୍ରୀଙ୍କ ପାଇଁ ଶୌଚାଳୟ ଖଣ୍ଡେ ନିର୍ମାଣ ପାଇଁ ଗ୍ରାମବାସୀ କହି କହି ଥକିଗଲେ ସିନା ନିର୍ମାଣ ହେଲାନାହିଁ।

ସେହିଭଳି ଏବେ ଗାଁର ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥା ମୁଖ୍ୟ ସମସ୍ୟା ରୂପେ ଉଭା ହୋଇଛି। ଏଠି ବିଭାଗୀୟ ଅବହେଳା ଯୋଗୁଁଁ ଡ୍ରେନେଜ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ତେବେ ଗତ କିଛିମାସ ହେବ କେସିଙ୍ଗା ଜାତୀୟ ରାଜପଥ ବିଭାଗ ପକ୍ଷରୁ ଡ୍ରେନ ନିର୍ମାଣ କାର୍ଯ୍ୟ ରାଜପଥ କଡ଼ରେ ଆରମ୍ଭ ହୋଇଥିବାବେଳେ ମନ୍ଥର ଗତିରେ ଡ୍ରେନ ନିର୍ମାଣ କାର୍ଯ୍ୟ ଚାଲିଛି। ଅଧ ପନ୍ତରିଆ ଡ୍ରେନ କାର୍ଯ୍ୟ ଯୋଗୁଁଁ ଗ୍ରାମବାସୀ ନାନାଦି ଅସୁବିଧା ଭୋଗ କରୁଛନ୍ତି। ଠିକାସଂସ୍ଥା ପକ୍ଷରୁ ଡ୍ରେନ ନିର୍ମାଣ କାର୍ଯ୍ୟରେ ମନ୍ଥରତା ଦେଖାଦେବା ଓ ବର୍ଷା ହେଲେ ପାଣି ଡ୍ରେନ ଦେଇ ନିଷ୍କାସନ ନ ହୋଇ ରାସ୍ତା କଡରେ ଥିବା ଘର ଓ ରାଜପଥ ଉପରେ ଲହଡି ମାରୁଥିବା ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଡ୍ରେନ ନିର୍ମାଣ ବିଳମ୍ବ ଯୋଗୁଁଁ ରାସ୍ତା କଡରେ ଜୀବନ ଜୀବିକା ନିର୍ବାହ କରୁଥିବା ଉଠା ଦୋକାନୀମାନେ ଏବେ ରୋଜଗାର ହରାଇ ବେସାହାରା ହୋଇ ପଡ଼ିଛନ୍ତି। କିଛି ଦୋକାନୀ ଦୋକାନ ବନ୍ଦ କରି କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିବା କହିଛନ୍ତି। ବିଭିନ୍ନ ସମୟରେ ଜାତୀୟ ରାଜପଥ ବିଭାଗ ଅଧିକ୍ଷକଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ସ୍ଥାନୀୟ ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜନ ସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ ବିଭାଗ ତ୍ବରିତ ପଦକ୍ଷେପ ଗ୍ରହଣ କରି ଶୀଘ୍ର ଡ୍ରେନ ନିର୍ମାଣ କାର୍ଯ୍ୟ ସାରିବାକୁ ମୋଟେର ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ଜାତୀୟ ରାଜପଥ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories