ଶ୍ରମିକ କଲ୍ୟାଣ ଯୋଜନାର ଲାଭ ଅର୍ଥବ୍ୟବସ୍ଥାକୁ ମିଳିଛି: ପୂର୍ବତନ ମୁଖ୍ୟ ଆର୍ଥିକ ପରାମର୍ଶଦାତା

ନୂଆଦିଲ୍ଲୀ: ମୋଦୀଙ୍କ ସରକାର ଗତ ୮ ବର୍ଷ ମଧ୍ୟରେ ଶ୍ରମିକ ବର୍ଗଙ୍କ କଲ୍ୟାଣ ପାଇଁ ଅନେକଗୁଡ଼ିଏ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏସବୁ ପ୍ରୟାସର ସୁଫଳ ଦେଶର ଅର୍ଥବ୍ୟବସ୍ଥା ଉପରେ ପଡ଼ିଛି ବୋଲି କହିଛନ୍ତି ପୂର୍ବତନ ମୁଖ୍ୟ ଆର୍ଥିକ ପରାମର୍ଶଦାତା କେଭି ସୁବ୍ରମଣ୍ୟମ । ଏକ ବିଶ୍ଲେଷଣ ମାଧ୍ୟମରେ ଶ୍ରୀ ସୁବ୍ରମଣ୍ୟମ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଭଳି ଅନେକ ପ୍ରୟାସ ଶ୍ରମିକଙ୍କୁ ଏକପ୍ରକାର ସୁରକ୍ଷା କବଚ ପ୍ରଦାନ କରିଛି । ଏସବୁ ଯୋଜନାର ଫଳସ୍ବରୂପ ଦେଶର ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ମନରେ ସମ୍ମାନର ଏକ ଭାବନା ସୃଷ୍ଟି ହୋଇଛି ।

ସେ କହିଛନ୍ତି ଯେ, ଶ୍ରମିକମାନଙ୍କ କଲ୍ୟାଣ ପାଇଁ ନିଆଯାଇଥିବା ପଦକ୍ଷେପର ସୁଫଳ ଆମେ କରୋନା କାଳରେ ଦେଖିଛୁ । ‘ଇମର୍ଜେନ୍ସୀ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ସ୍କିମ’ କାରଣୁ ଲକ୍ଷାଧିକ କ୍ଷୁଦ୍ର ଉଦ୍ୟୋଗ ଲାଭବାନ ହୋଇଛନ୍ତି । ଏକ ଅଧ୍ୟୟନ ଅନୁଯାୟୀ, ଏହି ଯୋଜନା କାରଣରୁ ପ୍ରାୟ ଦେଢ଼ କୋଟି ଲୋକ ଚାକିରି ହରାଇବାରୁ ବର୍ତ୍ତି ଯାଇଛନ୍ତି । ସେମାନଙ୍କର ରୋଜଗାର ସୁରକ୍ଷିତ ରହିଛି । କରୋନା କାଳରେ ଇପିଏଫଓଠାରୁ ମଧ୍ୟ କର୍ମଚାରୀମାନଙ୍କୁ ବଡ଼ ସହାୟତା ମିଳିଛି । କର୍ମଚାରୀଙ୍କ ଅସୁବିଧା ଦୂର କରିବା ଲାଗି ହଜାର ହଜାର କୋଟି ଟଙ୍କାର ଅଗ୍ରୀମ ପ୍ରଦାନ କରାଯାଇଛି । ଆବଶ୍ୟକତା ସମୟରେ ଦେଶ ଶ୍ରମିକମାନଙ୍କୁ ସହାୟ ହୋଇଥିଲା, ଏହାର ଜବାବରେ ଶ୍ରମିକମାନେ ମଧ୍ୟ ମହାମାରୀ ପ୍ରଭାବରୁ ମୁକୁଳିବା ଲାଗି ସମ୍ପୂର୍ଣ୍ଣ ଶକ୍ତିର ସହ ପରିଶ୍ରମ କରିଛନ୍ତି । ଦେଶ ଆଜି ପୁଣିଥରେ ବିଶ୍ବର ସବୁଠୁ ଦ୍ରୁତତମ ଅର୍ଥବ୍ୟବସ୍ଥା ଭାବେ ଆଗକୁ ବଢ଼ୁଛି । ଶ୍ରମିକମାନେ ଏହାର ଶ୍ରେୟ ପାଇବାକୁ ସମ୍ପୂର୍ଣ୍ଣ ଭାବେ ହକଦାର ।

ଶ୍ରୀ ସୁବ୍ରମଣ୍ୟମ କହିଛନ୍ତି ଯେ, ଦେଶର ପ୍ରତ୍ୟେକ ଶ୍ରମିକମାନଙ୍କୁ ସୁରକ୍ଷା ପରିସର ମଧ୍ୟକୁ ଆଣିବା ଲାଗି ବ୍ୟାପକ ଆକାରରେ ପଦକ୍ଷେପ ନିଆଯାଉଛି । ‘ଇ-ଶ୍ରମ ପୋର୍ଟାଲ’ ଏହାର ଏକ ଉଦାହରଣ । ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କର ଏକ ଜାତୀୟ ଡେଟାବେସ ପ୍ରସ୍ତୁତ କରିବା ଲାଗି ଗତବର୍ଷ ଏହାକୁ ଆରମ୍ଭ କରାଯାଇଥିଲା । ଏହି ପୋର୍ଟାଲରେ ୪୦୦ଟି ଭିନ୍ନ ଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୨୮ କୋଟି ଶ୍ରମିକ ଯୋଡ଼ି ହୋଇପାରିଛନ୍ତି । ବିଶେଷ କରି ଏହାର ଲାଭ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ, ପ୍ରବାସୀ ଶ୍ରମିକ ଏବଂ ଘରୋଇ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ମିଳିପାରୁଛି । ଏବେ ସେମାନଙ୍କୁ ଏକକ ଆକାଉଣ୍ଟ ନମ୍ବର ଭଳି ସୁବିଧାର ଲାଭ ମିଳୁଛି । ଶ୍ରମିକମାନଙ୍କୁ ଅଧିକ ରୋଜଗାର ସୁଯୋଗ ଦେବା, ‘ଇ-ଶ୍ରମ ପୋର୍ଟାଲ’କୁ ନେସନାଲ କ୍ୟାରିଅର ସର୍ଭିସ, ଅସୀମ ପୋର୍ଟାଲ ଏବଂ ଉଦ୍ୟମ ପୋର୍ଟାଲ ସହ ମଧ୍ୟ ଯୋଡ଼ାଯାଇଛି ।

ପୂର୍ବତନ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଆହୁରି ମଧ୍ୟ କହିଛନ୍ତି ଯେ, ଗୋଲାମୀ ମାନସିକତା ରଖୁଥିବା ଆଇନକୁ ସମାପ୍ତ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି । ଦେଶ ଏବେ ଶ୍ରମ ଆଇନରେ ସଂସ୍କାର ଆଣି ଏହାକୁ ସରଳ କରିଛି । ଏହି ମାନସିକତା ଫଳରେ ୨୯ଟି ଶ୍ରମ ଆଇନ ସ୍ଥାନରେ ୪ଟି ସରଳ ଶ୍ରମ ସଂହିତା କାର୍ଯ୍ୟକାରୀ କରାଯାଇଛି । ଏହାଦ୍ବାରା ଆମର ଶ୍ରମିକ ଭାଇ-ଭଉଣୀମାନେ ସର୍ବନିମ୍ନ ବେତନ, ରୋଜଗାର ସୁରକ୍ଷା, ସାମାଜିକ ସୁରକ୍ଷା ଏବଂ ସ୍ବାସ୍ଥ୍ୟ ସୁରକ୍ଷା ଭଳି ସୁବିଧାରେ ସଶକ୍ତ ହୋଇପାରିବେ । ନୂଆ ଶ୍ରମ ସଂହିତାରେ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକମାନଙ୍କର ପରିଭାଷାରେ ସଂସ୍କାର ଅଣାଯାଇଛି । ଆମର ପ୍ରବାସୀ ଶ୍ରମିକ ଭାଇ-ଭଉଣୀଙ୍କୁ ‘ୱନ ନେସନ, ୱନ ରାସନ କାର୍ଡ’ ଭଳି ଯୋଜନା ମାଧ୍ୟମରେ ସହାୟତା ମିଳିପାରିଛି । ଶ୍ରୀ ସୁବ୍ରମଣ୍ୟମ କହିଛନ୍ତି ଯେ, ଦେଶର ଶ୍ରମ ମନ୍ତ୍ରଣାଳୟ ଅମୃତ କାଳରେ ୨୦୪୭ ବର୍ଷ ପାଇଁ ନିଜର ସଂକଳ୍ପ ପ୍ରସ୍ତୁତ କରୁଛି । ଭବିଷ୍ୟତର ଆବଶ୍ୟକତା ହେଉଛି ନମନୀୟ କାର୍ଯ୍ୟସ୍ଥଳୀ, ଘରୁ ଥାଇ କାର୍ଯ୍ୟ କରିବାର ବ୍ୟବସ୍ଥା । ନମନୀୟ କାର୍ୟ୍ୟ ସମୟ ଏବଂ ନମନୀୟ କାର୍ଯ୍ୟସ୍ଥଳୀ ଭଳି ବ୍ୟବସ୍ଥା ଜରିଆରେ ମହିଳା ଶ୍ରମଶକ୍ତିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରାଯାଇପାରିବ ।

Comments are closed.