ଭାରତ-ପାକ୍ ବିଶ୍ବକପ ମ୍ୟାଚ୍ ସରକାରଙ୍କ ଉପରେ ନିର୍ଭର କରୁଛି: କୁମ୍ବଲେ
ଭୁବନେଶ୍ବର : ଆେଗ ଦେଶ ଏବଂ ପରେ କ୍ରୀଡ଼ା। ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଆସନ୍ତା ମେ’ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ବିଶ୍ବକପ କ୍ରିକେଟରେ ଭାରତ ଓ ପାକିସ୍ତାନ ମ୍ୟାଚକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପାକିସ୍ତାନ ସହିତ ବିଶ୍ବକପ ମ୍ୟାଚ୍ ଭାରତ ନ ଖେଳିବାକୁ ଦାବିହେଉଛି ତ ଆଉ କିଏ ଖେଳିବା ଉଚିତ ବୋଲି ମତ ଦେଉଛନ୍ତି। ତେବେ ସରକାରଙ୍କ ନିଷ୍ପତ୍ତି ଉପରେ ସବୁକିଛି ନିର୍ଭର କରୁଛି ବୋଲି ଦେଶର ସର୍ବାଧିକ ଟେଷ୍ଟ ୱିକେଟ ହାସଲକାରୀ ଲେଗ୍ସ୍ପିନର ଅନୀଲ କୁମ୍ବଲେ କହିଛନ୍ତି। ସୋମବାର କଳିଙ୍ଗ ଷ୍ଟାଡ଼ିୟମରେ ହାଇପରଫର୍ମାନ୍ସ କେନ୍ଦ୍ର ଉଦ୍ଘାଟନ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିବା କୁମ୍ବଲେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ, ମୋ ମତରେ ପାକିସ୍ତାନ ବିପକ୍ଷରେ ଭାରତ ବିଶ୍ବକପ ମ୍ୟାଚ ଖେଳିବା ଉଚିତ; ନଚେତ ଭାରତ ବିନା ଲଢେଇରେ ୨ ପଏଣ୍ଟ ହରାଇବ। ଏହା ପାକିସ୍ତାନକୁ ଆଗକୁ ବଢିବା ଲାଗି ସହାୟକ ହେବ। ମ୍ୟାଚ ଖେଳିବା ନ ଖେଳିବା ନେଇ ସରକାରଙ୍କ ନିଷ୍ପତ୍ତି ହିଁ ସବୁକିଛି ହେବ। ସୂଚନାଯୋଗ୍ୟ; କୁମ୍ବଲେଙ୍କ ପୂର୍ବରୁ କ୍ରିକେଟ ମହାରଥୀ ସଚିନ ତେନ୍ଦୁଲକର ମଧ୍ୟ କହିଥିଲେ ଯେ ପାକିସ୍ତାନ ବିପକ୍ଷରେ ଭାରତୀୟ ଦଳ ବିଶ୍ବକପ୍ ମ୍ୟାଚ୍ ଖେଳିବା ଉଚିତ। ସୁନୀଲ ଗାଭାସ୍କର ମଧ୍ୟ ସମାନ କଥା କହିଥିଲେ। ହେଲେ ସୌରଭ ଗାଙ୍ଗୁଲି, ହରଭଜନ ସିଂହ ମହମ୍ମଦ ଆଝାରୁଦ୍ଦିନ ପ୍ରମୁଖ ପାକିସ୍ତାନ ବିପକ୍ଷରେ ବିଶ୍ବକପ୍ ମ୍ୟାଚ୍ ଭାରତ ବର୍ଜନ କରିବା ଉଚିତ ବୋଲି କହିଥିଲେ।