କର୍ଣ୍ଣାଟକବାସୀ ନୁହେଁ; କଂଗ୍ରେସ ନିକଟରେ କୃତଜ୍ଞ: କୁମାରସ୍ୱାମୀ

0

ବେଙ୍ଗାଲୁରୁ : କର୍ଣ୍ଣାଟକର ସାଢେ ୬ କୋଟି ଜନତାଙ୍କ ନିକଟରେ ସେ କୃତଜ୍ଞ ନୁହନ୍ତି; ବରଂ କଂଗ୍ରେସ ନିକଟରେ କୃତଜ୍ଞ ବୋଲି ରାଜ୍ୟର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ରବିବାର କହିଛନ୍ତି। ନିର୍ବାଚନ ଇସ୍ତାହାରର ଘୋଷଣା ଅନୁଯାୟୀ କୃଷକଙ୍କ ଋଣ ଛାଡ କରିବାକୁ କୁମାରସ୍ୱାମୀଙ୍କ ଉପରେ ବିରୋଧୀ ବିଜେପି ଚାପ ପକାଇଥିବାବେଳେ ସେ ଏପରି କହିଛନ୍ତି। କୃଷକଙ୍କ ଋଣ ଛାଡ ପ୍ରସଙ୍ଗରେ କୁମାରସ୍ୱାମୀ କହିଛନ୍ତି ଯେ ସହଯୋଗୀ କଂଗ୍ରେସକୁ ଏ ପ୍ରସଙ୍ଗରେ ମନାଇବା ପରେ ଯାହା କିଛି ନିଷ୍ପତ୍ତି ନେବେ। ଏଥିପାଇଁ ସେ ଗୋଟିଏ ସପ୍ତାହ ସମୟ ମାଗିଛନ୍ତି। ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟର ଆର୍ଥିକ ସ୍ଥିତି ବାବଦରେ ସମୀକ୍ଷା କରାଯିବାର ଆବଶ୍ୟକତା ରହିଛି। ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ଏହା ସମ୍ଭବ ହୋଇପାରିବ। ସେ କହିଛନ୍ତି ଯେ ଜେଡିଏସ୍‍ କୃଷକଙ୍କ ଋଣ ଛାଡ ପାଇଁ ପ୍ରତିଶ୍ରୁତି ଦେଇଥିଲା। ଯଦି ସପ୍ତାହ ମଧ୍ୟରେ ଏହି ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୁଅନ୍ତି ତେବେ ସେ ସାରା ଜୀବନ ପାଇଁ ରାଜନୀତି ଛାଡିଦେବେ ବୋଲି କୁମାରସ୍ୱାମୀ କହିଛନ୍ତି। ଜେଡିଏସ୍‍ ଏହାର ପ୍ରତିଶ୍ରୁତିରୁ ଓହରିବାର ନାହିଁ। ଜେଡିଏସ୍‍ ଏହାର ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିଲା ଯେ କ୍ଷମତାକୁ ଆସିବାର ୨୪ଘଣ୍ଟା ମଧ୍ୟରେ ସମସ୍ତ କୃଷି ଋଣ ଛାଡ କରାଯିବ। ଏପରିକି ସମବାୟ, ଘରୋଇ ଓ ବାଣିଜ୍ୟିକ ବ୍ୟାଙ୍କରୁ ନିଆଯାଇଥିବା ସମସ୍ତ କୃଷି ଋଣ ଛାଡ କରାଯିବ। ନିର୍ବାଚନରେ ଜେଡିଏସ୍‍ ସଂଖ୍ୟାଲଘୁ ଦଳ ହେବା ସତ୍ତ୍ବେ କଂଗ୍ରେସର ସମର୍ଥନରେ ସରକାର ଗଠନ କରିବାକୁ ସମର୍ଥ ହୋଇଛି। କୁମାରସ୍ୱାମୀ ସରକାର ଗଠନ କରିବାକୁ ସମର୍ଥ ହୋଇଥିôବାବେଳେ ନୀତି ଓ ନିଷ୍ପତ୍ତି ପାଇଁ କଂଗ୍ରେସ ଉପରେ ନିର୍ଭରଶୀଳ ହୋଇପଡିଛନ୍ତି। ଏପରିକି ଦୁଇ ଦଳ ମଧ୍ୟରେ ବିଭାଗ ବଣ୍ଟନକୁ ନେଇ ଟଣାଓଟରା ଚାଲିଛି।

Leave A Reply