www.samajalive.in
Friday, December 5, 2025
26.1 C
Bhubaneswar

ବିକଶିତ ହେବ କୋଟିଆ, ଆନ୍ଧ୍ର ହେବ ଜଳକା

ପଟାଙ୍ଗି: କୋରାପୁଟ ଜିଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ବିବଦୀୟ ଗ୍ରାମପୁଞ୍ଜ ପ୍ରତି ଆନ୍ଧ୍ରର ଲୋଲୁପ ଦୃଷ୍ଟି ହଟାଇବା ପାଇଁ ଓଡ଼ିଶା ସରକାର ଅଣ୍ଟା ଭିଡିଛନ୍ତି। କୋଟିଆ ଓଡ଼ିଶାର ଥିଲା ଏବଂ ରହିବ। ଏହାକୁ ଓଡ଼ିଶାରୁ କେହି ଅଲଗା କରିପାରିବେ ନାହିଁ ବୋଲି ନିକଟରେ କୋଟିଆ ରଥଯାତ୍ରାରେ ଯୋଗଦେଇ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀଙ୍କ ସମେତ ଡଜନେ ମନ୍ତ୍ରୀ, ସାଂସଦ ଓ ବିଧାୟକ ପଡୋଶୀ ଆନ୍ଧ୍ରକୁ କଡା ଭାଷାରେ ଚେତାଇଥିଲେ। ଏହି ବିବାଦୀୟ ଗ୍ରାମ ପୁଞ୍ଜର ସମସ୍ୟାର ସମାଧାନ କେବଳ ସ୍ବତନ୍ତ୍ର ଅନୁଦାନରେ ହେବ ନାହଁ ବରଂ ଏଥିପାଇଁ ସ୍ବତନ୍ତ୍ର ନୀତି, ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତି ସାଙ୍ଗକୁ ସ୍ବତନ୍ତ୍ର ଅଞ୍ଚଳ ଘୋଷଣା କରାଯିବାର ଆବଶ୍ୟକତା ରହିଥିବା ହୃଦୟଙ୍ଗମ କରି ରାଜ୍ୟ ସରକାର କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଛନ୍ତି। ସୂଚନା ମୁତାବକ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ସ୍ବତନ୍ତ୍ର କମିଟି ନିର୍ଦେଶ କ୍ରମେ କୋଟିଆର ବିକାଶ ପାଇଁ ଏକ ରୋଡମ୍ୟାପ ଜିଲା ପ୍ରଶାସନ ପ୍ରସ୍ତୁତ କରୁଛି। ବିଭିନ୍ନ ବିଭାଗକୁ ନେଇ ଆନୁମାନିକ ୨ଶହ କୋଟିର ବିକାଶମୂଳକ କାର୍ଯ୍ୟକ୍ରମ ସାଧନ ପାଇଁ ନଥିପତ୍ର ପ୍ରସ୍ତୁତି ଆରମ୍ଭ ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି।

ଆନ୍ଧ୍ର ସୀମାନ୍ତ କୋରାପୁଟ ଜିଲାର ପଟାଙ୍ଗି ବ୍ଳକ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତର ସମସ୍ୟା ଉତ୍କଳ ପ୍ରଦେଶ ଗଠନ ପରଠାରୁ ରହି ଆସିଛି। ଆନ୍ଧ୍ର -ଓଡିଶା ସୀମାନ୍ତରେ ଥିବା ଏହି ପଞ୍ଚାୟତର ୨୧ଖଣ୍ଡ ଗ୍ରାମ ପୁଞ୍ଜ ସର୍ଭେ ନହୋଇ ବିବାଦୀୟ ଅବସ୍ଥାରେ ସୁପ୍ରିମକୋର୍ଟରେ ମାମଲା ଚାଲିଛି। ପୂର୍ବ ସରକାରମାନେ ଏହି ଅଞ୍ଚଳ ପ୍ରତି ଏତେଟା ଧ୍ୟାନ ଦେଉନଥିଲେ। ଗତ ବିଜେଡି ସରକାର ଏହି ଅଞ୍ଚଳର ବିକାଶ ପାଇଁ ସ୍ବତନ୍ତ୍ର ଅନୁଦାନ ପ୍ରଦାନ କରିଥିଲେ ସୁଦ୍ଧା ସମସ୍ୟାର ସମାଧାନ ପ୍ରତି ସେଭଳି କୋୖଣସି ଆଖିଦୃଶିଆ ପଦକ୍ଷେପ ନେଇନଥିଲେ। ଯାହାଫଳରେ ସୀମାନ୍ତବାସିନ୍ଦାଙ୍କ ସମସ୍ୟା ଜଟିଳ ହେବାରେ ଲାଗିଛି। ସୀମାନ୍ତ ବାସିନ୍ଦା ଉଭୟ ରାଜ୍ୟ ସରକାରଙ୍କ ସୁବିଧା ହାତେଇବା ସହ ଉଭୟ ରାଜ୍ୟ ସରକାରଙ୍କ ନିର୍ବାଚନରେ ଅଂଶ ଗ୍ରହଣ କରୁଛନ୍ତି। ଉଭୟ ରାଜ୍ୟର ଆଧାର, ପ୍ୟାନ ଓ ଭୋଟର କାର୍ଡ ହାତେଇଛନ୍ତି। ଯେଉଁଥିପାଇଁ ସେମାନେ ଉଭୟ ରାଜ୍ୟ ସରକାରଙ୍କ ସୁବିଧା ପାଉଛନ୍ତି। ଏହା ସେମାନଙ୍କ ନ୍ୟାଯ୍ୟ ଅଧିକାର ବୋଲି ଦାବି କରିବାକୁ ପଛାଉ ନାହାଁନ୍ତି। ପୂର୍ବ ରାଜ୍ୟ ସରକାରଙ୍କ ନୀତି ନିୟମଠାରୁ ବର୍ତ୍ତମାନ ସରକାର କିଛି ଅଲଗା ଦିଗ ଆପଣେଇ ଥିବାରୁ ଆଗକୁ ସମାଧାନ ବାଟ ଖୋଲିବାର ଆଶା ଉଜ୍ଜଳ ହୋଇଛି।

- Advertisement -

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି। ଏଥିପାଇଁ ଏକ ସ୍ବତନ୍ତ୍ର ରୋଡ଼ ମ୍ୟାପ ପ୍ରସ୍ତୁତ କରିବାକୁ ଜିଲା ପ୍ରଶାସନକୁ କୁହାଯାଇଛି। କୋଟିଆର ବିକାଶ ସହ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଜିଲା ପ୍ରଶାସନ ପଦକ୍ଷେପ ନେଉଛି। ଜିଲାପାଳ ଭି.କୀର୍ତ୍ତିଭାସନ ମଧ୍ୟ କୋଟିଆ ପଞ୍ଚାୟତବାସୀଙ୍କ ବିକାଶକୁ ପ୍ରାଥମିକତା ଦେଉଛନ୍ତି। ଜଣେ ସ୍ବତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି , ଗ୍ରାମ ପୁଞ୍ଜରେ ପକ୍କା ଗୃହ ଓ ରାସ୍ତା ନିର୍ମାଣ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ ସାଙ୍ଗକୁ ଏକ ବ୍ଳକ ଭାବେ ଘୋଷଣା କରାଯିବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories