ଟେଷ୍ଟ ବ୍ୟାଟସମ୍ୟାନ୍‍ : ଶୀର୍ଷରେ କୋହଲି

0

ଦୁବାଇ : ଭାରତୀୟ କ୍ରିକେଟ୍‍ ଦଳର ଅଧିନାୟକ ବିରାଟ କୋହଲି ଟେଷ୍ଟ ବ୍ୟାଟସମ୍ୟାନ୍‍ ଭାବେ ୧ନଂ ମାନ୍ୟତା ବଜାୟ ରଖିଛନ୍ତି। ସୋମବାର ଆଇସିସି ପକ୍ଷରୁ ପ୍ରକାଶିତ ଟେଷ୍ଟ ମାନ୍ୟତାରେ ବ୍ୟାଟସମ୍ୟାନ୍‍ ଭାବେ କୋହଲି ୧ନଂ ସ୍ଥାନରେ ପୂର୍ବପରି ରହିଥିବା ଜଣାପଡ଼ିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ୪ର୍ଥ ଟେଷ୍ଟ ମ୍ୟାଚ୍‍ରେ କୋହଲି ଦୁଇଟି ଇନିଂସରେ ଯଥାକ୍ରମେ ୪୬ ଓ ୫୮ ରନ୍‍ ସଂଗ୍ରହ କରିଥିଲେ। ଟେଷ୍ଟ ବ୍ୟାଟସମ୍ୟାନ୍‍ ମାନ୍ୟତାରେ କୋହଲି ୯୩୭ ପଏଣ୍ଟ ପାଇ ୧ନଂ ସ୍ଥାନରେ ରହିଛନ୍ତି।
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‍ରେ କୋହଲି ଏପର୍ଯ୍ୟନ୍ତ ୮ଟି ଇନିଂସରୁ ୫୪୪ ରନ୍‍ ସଂଗ୍ରହ କରିଛନ୍ତି। ଟେଷ୍ଟ ବ୍ୟାଟସମ୍ୟାନ୍‍ ଭାବେ ପଏଣ୍ଟ ତାଲିକାରେ କୋହଲି ସର୍ବକାଳୀନ ରେକର୍ଡଠାରୁ ମାତ୍ର ଗୋଟିଏ ପଏଣ୍ଟ ପଛରେ ରହିଛନ୍ତି। ପୂର୍ବରୁ ଗ୍ୟାରି ସୋବର୍ସ, କ୍ଲାଇଡ୍‍ ୱାଲଟନ୍‍, ଭିଭିଆନ୍‍ ରିଚାର୍ଡ ଓ କୁମାର ସାଙ୍ଗାକାରା ଟେଷ୍ଟ ବ୍ୟାଟସମ୍ୟାନ୍‍ ଭାବେ ସର୍ବାଧିକ ୯୩୮ ପଏଣ୍ଟ ହାସଲ କରିଥିଲେ। ଆଇସିସି ପକ୍ଷରୁ ପ୍ରକାଶିତ ଟେଷ୍ଟ ମାନ୍ୟତା ଅନୁଯାୟୀ ଭାରତୀୟ ବ୍ୟାଟସମ୍ୟାନ୍‍ ଚେତେଶ୍ୱର ପୂଜାରା ୬ଷ୍ଠ ସ୍ଥାନରେ ରହିଛନ୍ତି। ସେ ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ମ୍ୟାଚ୍‍ରେ ଅପରାଜିତ ୧୩୨ ରନ୍‍ ସଂଗ୍ରହ କରିଥିଲେ। ଫଳରେ ତାଙ୍କୁ ମାନ୍ୟତାରେ ୭୯୮ ପଏଣ୍ଟ ମିଳିଛି। ସେହିପରି ୪ର୍ଥ ଟେଷ୍ଟରେ ୬ଟି ୱିକେଟ୍‍ ହାସଲ କରିଥିବା ମହମ୍ମଦ ସାମି ବୋଲର ମାନ୍ୟତାର ୧୯ନଂ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ଈଶାନ୍ତ ଶର୍ମା ଗୋଟିଏ ସ୍ଥାନ ଉପରକୁ ଉଠି ୨୫ନଂରେ ରହିଛନ୍ତି। ଯଶପ୍ରୀତ ବୁମରା ୪୮୭ ପଏଣ୍ଟ ସହ ୩୭ ନଂରେ ରହିଛନ୍ତି।
ଇଂଲଣ୍ଡ ତରଫରୁ ୨୦ ବର୍ଷୀୟ ସାମ୍‍ କରନ ବ୍ୟାଟସମ୍ୟାନ୍‍ ମାନ୍ୟତାରେ ୨୯ଟି ସ୍ଥାନ ଉପରକୁ ଉଠି ୪୩ ନଂରେ ରହିଥିବା ବେଳେ ବୋଲିଂ ମାନ୍ୟତାରେ ୧୧ଟି ସ୍ଥାନ ଉପରକୁ ଉଠି ୫୫ନଂ ଓ ଅଲରାଉଣ୍ଡର ମାନ୍ୟତାରେ ୨୭ଟି ସ୍ଥାନ ଉପରକୁ ଉଠି ୧୫ ନଂରେ ରହିଛନ୍ତି। ୪ର୍ଥ ଟେଷ୍ଟରେ ୯ଟି ୱିକେଟ୍‍ ହାସଲ କରିଥିବା ଇଂଲଣ୍ଡର ବୋଲର ମୋଇନ ଅଲ୍ଲି ବୋଲର ମାନ୍ୟତାରେ ୩ଟି ସ୍ଥାନ ଉପରକୁ ଉଠି ୩୩ନଂରେ ରହିଛନ୍ତି। ସେ ମୋଟ୍‍ ୫୪୩ ପଏଣ୍ଟ ହାସଲ କରିଛନ୍ତି। ଅଲରାଉଣ୍ଡର ମାନ୍ୟତାରେ ମୋଇନ ଗୋଟିଏ ସ୍ଥାନ ଉପରକୁ ଉଠି ୭ମ ସ୍ଥାନରେ ରହିଛନ୍ତି।

Leave A Reply