ଭୁବନେଶ୍ବର : ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ କିଟ୍ ବିଶ୍ବବିଦ୍ୟାଳୟ ମହିଳା ଦଳ ସ୍ବର୍ଣ୍ଣ ଓ ପୁରୁଷ ଦଳ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ଶୁକ୍ରବାର କିଟ୍ ରଗ୍ବୀ ଗ୍ରାଉଣ୍ଡରେ ଖେଳାଯାଇଥିବା ମହିଳା ବିଭାଗ ଫାଇନାଲ ମ୍ୟାଚରେ କିଟ୍ ବିଶ୍ବବିଦ୍ୟାଳୟ ୩୨-୭ ପଏଣ୍ଟରେ ପାଟଳିପୁତ୍ର ବିଶ୍ବବିଦ୍ୟାଳୟକୁ ପରାସ୍ତ କରି ଚମ୍ପିଆନ ହୋଇଛି। କିଟ୍ ପକ୍ଷରୁ ହୁପି ମାଝି, ସୋନି ମାଡାଙ୍ଗୀ ଓ ରଜନୀ ଶାବର ଚମତ୍କାର ପ୍ରଦର୍ଶନ କରିଥିଲେ । ସେହିପରି ପୁରୁଷ ଦଳ ତୃତୀୟ ସ୍ଥାନ ସହ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛି। ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚରେ କିଟ୍ ବିଶ୍ବବିଦ୍ୟାଳୟ, ଲଭ୍ଲି ପ୍ରଫେସନାଲ ବିଶ୍ବବିଦ୍ୟାଳୟକୁ ପରାସ୍ତ କରି ବ୍ରୋଞ୍ଜ ପଦକ ବିଜୟୀ ହୋଇଛି। କିଟ୍ ବିଶ୍ବବିଦ୍ୟାଳୟର ପଦକ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ପୂର୍ବରୁ ଦଳଗତ ପୁରୁଷ ରିକର୍ଭ ରାଉଣ୍ଡରେ ରଞ୍ଜିତ ନାୟକ, ଶ୍ରବଣ ମାଡାଙ୍ଗୀ ଓ ସୂର୍ୟ୍ୟକାନ୍ତ ମାଝି ସ୍ବର୍ଣ୍ଣ, ବ୍ୟକ୍ତିଗତ ବିଭାଗରେ ରଞ୍ଜିତ ନାୟକ ରୌପ୍ୟ ଓ ଭାରୋତ୍ତୋଳନରେ କାମ୍ବେଶ୍ବର ମଲ୍ଲିକ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ। କିଟ୍ ମହିଳା ଓ ପୁରୁଷ ରଗ୍ବୀ ଦଳର ଏହି ସଫଳତା ଲାଗି କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Popular Categories



