କିମ୍‍ଙ୍କୁ ପ୍ରଶଂସା କଲେ ସିରିଆ ରାଷ୍ଟ୍ରପତି, ଖୁବଶୀଘ୍ର ଭେଟ ସଂକେତ

0

ବିରୁଟ : ସିରିଆ ରାଷ୍ଟ୍ରପତି ବସର ଅଲ ଅସାଦ ଏବଂ ଉତ୍ତରକୋରିଆ ରାଷ୍ଟ୍ରପତି କିମ୍‍ ଜୋଙ୍ଗ ଉନ୍‍ଙ୍କ ମଧ୍ୟରେ ଖୁବଶୀଘ୍ର ସାକ୍ଷାତ ଆଲୋଚନା ହୋଇପାରେ। ରବିବାର କୋରିଆର ସେଣ୍ଟାଲ ନ୍ୟୁଜ୍‍ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ଅସାଦ ଉତ୍ତରକୋରିଆ ଗସ୍ତ ପାଇଁ ଯୋଜନା କରୁଛନ୍ତି। ସିରିଆ ସରକାରଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ମିଳିନାହିଁ। ଯଦି ଅସାଦ ଏପରି କରନ୍ତି, ତେବେ ସେ ଦୁନିଆର ପ୍ରଥମ ରାଷ୍ଟ୍ରପତି ଭାବେ ଉତ୍ତରକୋରିଆ ଗସ୍ତ କରି କିମ୍‍ଙ୍କୁ ଭେଟିବେ। କିଛି ଦିନ ପୂର୍ବରୁ ଉତ୍ତରକୋରିଆ ରାଷ୍ଟ୍ରଦୂତଙ୍କ ସହ ବୈଠକରେ ଅସାଦ କିମ୍‍ଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ। ପ୍ରକାଶ ଯେ ଜୁନ୍‍ ୧୨ରେ ସିଙ୍ଗାପୁରଠାରେ କିମ୍‍ ଜୋଙ୍ଗ ଉନ୍‍ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହେବ। ସୂଚନା ଅନୁସାରେ ଗତ ବୁଧବାର ଅସାଦ ଏବଂ ଉତ୍ତରକୋରିଆ ରାଷ୍ଟ୍ରଦୂତ ମୁନ୍‍ ଜୋଙ୍ଗ ନମଙ୍କ ମଧ୍ୟରେ ବୈଠକ ହୋଇଥିଲା। ଏହି ଅବସରରେ ଅସାଦ କହିଥିଲେ ଯେ ସେ ଖୁବଶୀଘ୍ର ଉତ୍ତରକୋରିଆ ଗସ୍ତ କରି କିମ୍‍ ଜୋଙ୍ଗ ଉନ୍‍ଙ୍କୁ ସାକ୍ଷାତ କରିବେ। କୋରିଆ ଉପଦ୍ୱୀପରେ କିମ୍‍ଙ୍କ ରାଜନୈତିକ ଦକ୍ଷତା ଏବଂ ନେତୃତ୍ୱରୁ ହିଁ ଐତିହାସିକ ସାକ୍ଷାତକାରକୁ ବିଶ୍ୱ ସ୍ୱାଗତ କରୁଛି।

Leave A Reply