ଖୁଣ୍ଟା ପଞ୍ଚାୟତ ସମିତି ବୈଠକ ; ବିଧାୟକ-ସାଂସଦଙ୍କ ମଧ୍ୟରେ ଫାଟକୁ ନେଇ ଚର୍ଚ୍ଚା
ବିଧାୟକଙ୍କ ବିଳମ୍ବ ଯୋଗୁଁ ସାଂସଦ ଉଠି ଚାଲିଗଲେ
ଖୁଣ୍ଟା: ଖୁଣ୍ଟା ପଞ୍ଚାୟତ ସମିତିର ସପ୍ତମ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ତେବେ ବିଜେପି ସାଂସଦ ଓ ବିଧାୟଙ୍କ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଘଟଣା ସାମ୍ନାକୁ ଆସିଛି । ସାଂସଦ, ଜିଲାପରିଷଦ ଅଧ୍ୟକ୍ଷା ଓ ବିଧାୟକ ଡେରିରେ ପହଞ୍ଚିବାରୁ ବୈଠକ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଆରମ୍ଭ ହୋଇଥିଲା। ପ୍ରଥମେ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ଓ ଜିଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚିଥିବା ବେଳେ ବାରିପଦା ବିଧାୟକଙ୍କ ଗାଡି ପଛରେ ଆସୁଥିବା ଜଣା ପଡିଥିଲା। ତେବେ ସାଂସଦ ଶ୍ରୀ ଟୁଡୁ ବୈଠକ ଶୀଘ୍ର ଆରମ୍ଭ କରାଯିବାକୁ ଚାହୁଁ ଥିବା ବେଳେ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ମାରାଣ୍ଡିଙ୍କ ସମେତ କେତେକ ସରପଞ୍ଚ ଓ ସମିତି ସଭ୍ୟ ବିଧାୟକ ପହଞ୍ଚିଲେ ବୈଠକ ଆରମ୍ଭ କରାଯିବ ବୋଲି ଚାହିଁ ଥିଲେ। ଏହାକୁ କେନ୍ଦ୍ର କରି ସାଂସଦ ତୀବ୍ର ଅସନ୍ତୋଷ ପ୍ରକାଶ କରି ବୈଠକ ଆରମ୍ଭ ପୂର୍ବରୁ ସଭା ଗୃହ ତ୍ୟାଗ କରି ଚାଲିଯାଇଥିଲେ । ବିଡିଓ, ସରପଞ୍ଚ, ସମିତି ସଭ୍ୟ ତାଙ୍କୁ ବୁଝାସୁଝା କରି ଫେରାଇନେବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ସାଂସଦ ଓ ବିଧାୟକ ବିଜେପି ଦଳର ହୋଇଥିବା ବେଳେ ଏହି ଘଟଣା ପରେ ଉଭୟଙ୍କ ସମ୍ପର୍କରେ ଫାଟ ଥିବା ନେଇ ଚର୍ଚ୍ଚା ଯୋର ଧରିଛି । ଘଟଣା ସମ୍ପର୍କରେ ବିଧାୟକ ଶ୍ରୀ ସୋରେନଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସାଂସଦଙ୍କ ସହିତ ସମ୍ପର୍କରେ ଫାଟ ଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିଥିଲେ। ମାତ୍ର ସାଂସଦ ଶ୍ରୀ ଟୁଡୁଙ୍କ ମତାମତ ଜାଣିବା ପାଇଁ ଚେଷ୍ଟା କରାଯାଇଥିବା ବେଳେ ସେ ଫୋନ ଧରି ନଥିଲେ।
Comments are closed.