ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅଞ୍ଚଳର ଜଣେ ଅପହୃତା ନାବାଳିକାକୁ ପୁଲିସ ଉଦ୍ଧାର କରିଥିବା ବେଳେ ତାକୁ ଅପହରଣ କରାଯାଇଥିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ହେଉଛି ଉଦଳା ଥାନା ଅନ୍ତର୍ଗତ ଶ୍ରୀଦାମଚନ୍ଦ୍ରପୁରର ଗ୍ରାମର ଜୟପ୍ରକାଶ । ପୁଲିସ ଜୟପ୍ରକାଶକୁ ରବିବାର କୋର୍ଟ ଚାଲାଣ କରାଯାଇଥିବା ବେଳେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି ।
କନ୍ୟା ପିତାଙ୍କ ଅଭିଯୋଗ ଅନୁଯାଇ ଗତ ୮ତାରିଖରେ ଟିକରପଡାରେ ଅନୁଷ୍ଠିତ ରାବଣ ପୋଡି ମେଳା ଦେଖିବାକୁ ଯାଇଥିବା ବେଳେ ଯୁକ୍ତ ତିନିରେ ଅଧ୍ୟୟନ କରୁଥିବା ତାଙ୍କର ଝିଅ ଆଉ ଘରକୁ ଫେରିନଥିଲା। ଝିଅ ହଜିଯାଇଥିବା ନେଇ ୯ତାରିଖରେ ଖୁଣ୍ଟା ଥାନରେ ମାମଲା ରୁଜୁ ହୋଇଥିଲା। ଅନୁସନ୍ଧାନ ବେଳେ ନିଖୋଜ ଥିବା ନାବାଳିକାକୁ ଅପହରଣ କରାଯାଇଥିବା ଓ ସେ ଶ୍ରୀଦାମଚନ୍ଦ୍ରପୁର ଗ୍ରାମରେ ଥିବା ପୁଲିସ ଜାଣିବାକୁ ପାଇଥିଲା। ଶନିବାର ରାତିରେ ପୁଲିସ ଜୟପ୍ରକାଶର ଘରୁ ନାବଳିକାକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜୟପ୍ରକାଶକୁ ଗିରଫ କରିଥିଲା



