ରତ୍ନଭଣ୍ଡାର ଚାବି ହଜିବା ଘଟଣା ନେଇ ତଦନ୍ତ କମିଶନ ଗଠନ କରାଯାଉ : ଶଙ୍କରାଚାର୍ଯ୍ୟ

0

ପୁରୀ : ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ପ୍ରଶାସନର ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି, ନୂଆ ଚାବି ତିଆରି କରିବା ଯାନ୍ତ୍ରିକ ଯୁଗରେ ଅସମ୍ଭବ ନୁହେଁ। ରତ୍ନଭଣ୍ଡାର ଚାବି କେଉଁଠାରେ ରଖାଯିବା କଥା ଏବଂ ସେଠାରେ ରଖା ଯାଇଥିଲା କି ନାହିଁ ସେଥିନେଇ ତଦନ୍ତ ହେବା ଦରକାର। ରତ୍ନଭଣ୍ଡାରର ସୁରକ୍ଷା ପାଇଁ ଜଗତ୍‍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ପରାମର୍ଶ ଦେଇଛନ୍ତି। ରତ୍ନଭଣ୍ଡାର ଚାବି ହଜିବା ସମ୍ପର୍କରେ ପଚାରିବାରୁ ରବିବାର ଗୁରୁଜୀ କହିଲେ ଚାବି ହଜିଛି କି ନାହିଁ ତାହାର ସତ୍ୟତା ଯାଞ୍ଚ କରାଯାଉ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ହଜିବା ନେଇ ସେ ଉଦ୍‍ବେଗ ପ୍ରକାଶ କରିଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ରାଜ୍ୟ ସରକାରଙ୍କର କୌଣସି କ୍ଷେତ୍ରରେ ଆନ୍ତରିକତା ନାହିଁ। ରତ୍ନଭଣ୍ଡାର ଚାବି ହଜିବା ପ୍ରଶାସନିକ ଦାୟିତ୍ୱହୀନତାର ପ୍ରମାଣ। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ଉଚିତ। ଏଥିନେଇ ପୁରୀ ଲୋକସଭା ଯୁବ କଂଗ୍ରେସ ପକ୍ଷରୁ ରବିବାର ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ସାଧାରଣ ସମ୍ପାଦକ ବିଶ୍ୱନାଥ ଦାଶ ଓ ସ୍ୱାଧୀନ କୁମାର ପଣ୍ଡା ଅଭିଯୋଗ କରିଛନ୍ତିଯେ ୧୯୭୮ ମସିହାରେ ରତ୍ନଭଣ୍ଡାର ଖୋଲିବା ପାଇଁ ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକ ଚାବି ଆଣିଥିଲେ। ଜିଲାପାଳଙ୍କ ତତ୍ତ୍ୱାବଧାନରେ ରତ୍ନଭଣ୍ଡାର ଖୋଲା ଯାଇଥିଲା। ଶ୍ରୀମନ୍ଦିର ଆଇନ ଅନୁଯାୟୀ ପ୍ରତି ୩ବର୍ଷରେ ରତ୍ନଭଣ୍ଡାର ତନଖି କରାଯିବା କଥା। ୧୯୭୮ରୁ ୨୦୧୮ ମସିହା ମଧ୍ୟରେ ରତ୍ନଭଣ୍ଡାର ଚାବି ମନ୍ଦିର ପ୍ରଶାସନ କାହିଁକି ଖୋଜିନଥିଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଏହିସମୟ ମଧ୍ୟରେ ପ୍ରଶାସକ ଦାୟିତ୍ୱରେ ଥିବା ଅଫିସରଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ କଂଗ୍ରେସ ଦାବି କରିଛି।
ରତ୍ନଭଣ୍ଡାର ଚାବି ହଜିନାହିଁ, ଚୋରି ହୋଇଥିବା ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି। ଆଇନମନ୍ତ୍ରୀ ପ୍ରତାପ କୁମାର ଜେନା ତୁରନ୍ତ ଇସ୍ତଫା ଦେବାକୁ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଦାବି କରିଛନ୍ତି। ଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଯଦି ରତ୍ନଭଣ୍ଡାର ଚାବି ହଜିଛି ତାହାହେଲେ ଏପର୍ଯ୍ୟନ୍ତ ମନ୍ଦିର ପ୍ରଶାସନ ପକ୍ଷରୁ କାହିଁକି ଥାନାରେ ଏତଲା ଦିଆଯାଇ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ରତ୍ନଭଣ୍ଡାର ଅପେକ୍ଷା ଚାବି ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ଦେଇଛନ୍ତି। ଚାବି ସୁରକ୍ଷିତ ଭାବେ ରଖିପାରୁ ନଥିବା ଶ୍ରୀମନ୍ଦିର ପ୍ରଶାସନ ରତ୍ନଭଣ୍ଡାରକୁ କିପରି ସୁରକ୍ଷା ଦେବବୋଲି ସେ ପ୍ରଶ୍ନ କରିଛନ୍ତି।
ବିଜେପି ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ସମ୍ମୁଖରେ ରବିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜିଲା ସଭାପତି ପ୍ରଭଞ୍ଜନ ମହାପାତ୍ର ତାହାର ନେତୃତ୍ୱ ନେଇଥିଲେ। ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀମାନେ ରତ୍ନଭଣ୍ଡାର ଚାବି ହଜିବାପାଇଁ ଦାୟୀ ବୋଲି ସେ ଅଭିଯୋଗ କରିଛନ୍ତି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ କର୍ତ୍ତବ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବିଜେପି ଦାବି କରିଛି। ଡଃ ବିଶ୍ୱନାଥ ରଥ, ଭବାନୀ ଦାସମହାପାତ୍ର, ସୋମନାଥ ଖୁଣ୍ଟିଆ, ଶାଶ୍ୱତ ମହାପାତ୍ର ଓ ଉମାକାନ୍ତ ନାୟକ ପ୍ରମୁଖ ବିକ୍ଷୋଭରେ ସାମିଲ ଥିଲେ।

 

Leave A Reply