କରଞ୍ଜିଆରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଲୋକସଭାରେ ଦାବି କଲେ କେନ୍ଦୁଝର ସାଂସଦ 

ପାଟଣା : କେନ୍ଦୁଝର ଲୋକସଭା ସାଂସଦ ଅନନ୍ତ ନାୟକ ଗୁରୁବାର ଦିନ ସଂସଦରେ ମୟୁରଭଂଜ ଜିଲ୍ଲାର କରଞ୍ଜିଆରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି । ନିୟମ ୩୭୭ ଅନୁଯାୟୀ ଏହି ପ୍ରସଙ୍ଗକୁ ଉଠାଇ ଶ୍ରୀ ନାୟକ ଏହି ଦାବି କରିଛନ୍ତି । ସେ କହିଛନ୍ତି ଯେ ଏହି ଦାବି ଦୀର୍ଘ ଦିନର ଦାବି ଓ ଯାହା ପୂରଣ ହେଲେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଲାଭ ହେବ। ଶ୍ରୀ ନାୟକ କହିଥିଲେ ଯେ କରଞ୍ଜିଆ ଏକ ଜନଜାତି ବହୁଳ ଅଞ୍ଚଳ ଓ ଏହାର ଲୋକସଂଖ୍ୟା ଦୁଇ ଲକ୍ଷରୁ ଅଧିକ । ଏହା ସତ୍ତ୍ବେ ଏହି ଅଞ୍ଚଳରେ ଗୋଟିଏ ହେଲେ କେନ୍ଦ୍ରୀୟ ବିଦ୍ୟାଳୟ ନାହିଁ । କେନ୍ଦୁଝରଠାରେ ଓ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟାଳୟ ବାରିପଦାଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଅଛି ଯାହା କରଞ୍ଜିଆ ଠାରୁ ଢେର ଦୂରରେ ।

ଏହି କାରଣରୁ ଜନଜାତୀୟ ଓ ଆର୍ଥିକ ଭାବେ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ସିବିଏସଇ ଆଧାରିତ ଗୁଣବତ୍ତାପୂର୍ଣ୍ଣ ଶିକ୍ଷାପ୍ରାପ୍ତ କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । କରଞ୍ଜିଆ ଭୌଗଳିକ ସ୍ଥିତି ଓ ସାମାଜିକ- ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାର ଆବଶ୍ୟକତା ରହିଛି । ଏହା ଦ୍ୱାରା କେବଳ ଯେ ଜନଜାତୀୟ ଛାତ୍ରଛାତ୍ରୀ ମାନେ ଶିକ୍ଷା ପ୍ରାପ୍ତ କରିବାରେ ସଫଳ ହେବେ ତା ନୁହେଁ ବରଂ ଜନଜାତୀୟ ସମାଜର ସଶକ୍ତିକରଣ ମଧ୍ୟ ହୋଇ ପାରିବ ବୋଲି ଶ୍ରୀ ନାୟକ କହିଛନ୍ତି  । ଶ୍ରୀ ନାୟକ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ କରଞ୍ଜିଆଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାକୁ ଶୀଘ୍ର ସ୍ୱୀକୃତି ପ୍ରଦାନ କରାଯାଉ ଯଦ୍ୱାରା ଏହି ଅଞ୍ଚଳର ଲୋକ ମାନଙ୍କର ଦୀର୍ଘ ଦିନର ଆକାଂକ୍ଷା ପୂରଣ ହୋଇ ପାରିବ ଓ ବିଦ୍ୟାର୍ଥୀ ମାନଙ୍କୁ ସୁଲଭ ମୂଲ୍ୟରେ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ମିଳି ପାରିବ ।

Comments are closed.