ପିତୃହନ୍ତା ଓ ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ ଜେଲ୍‌‌

କେନ୍ଦୁଝରଗଡ଼: ଟଙ୍କା ନଦେବାରୁ ବାପାକୁ କିରାସିନି ଢ଼ାଳି ହତ୍ୟା କରିଥିବା ଅଭିଯୋଗରେ ଅତିରିକ୍ତ ଜିଲା ଓ ଦୌରାଜଜ୍‌‌ କେନ୍ଦୁଝର ପୁଅକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍‌‌ ଦଣ୍ଡାଦେଶ କରିଛନ୍ତି। କେନ୍ଦୁଝର ଟାଉନ ଥାନା ବୀରବରପୁରପାଟଣାର ସୁରେନ୍ଦ୍ର ନାଥ ବେହେରା (୩୮) ବାପା ରବୀନ୍ଦ୍ରଙ୍କୁ ମଦ ପିଇବା ପାଇଁ ୧୦୦ଟଙ୍କା ମାଗିଥିଲା। ମଦ ପିଇବା ପାଇଁ ଟଙ୍କା ନଦେବାରୁ ୫ ଫେବୃୟାରୀ ୨୦୧୯ରେ ପୁଅ ସୁରେନ୍ଦ୍ର ବାପା ରବୀନ୍ଦ୍ରକୁ କିରାସିନି ଢ଼ାଳି ପୋଡିବା ପରେ ବାହାର ପଟୁ କବାଟ ବନ୍ଦ କରି ପଳାଇ ଯାଇଥିଲା ମ୍ନିଆଁରେ ପୋଡି ହୋଇ ରବୀନ୍ଦ୍ରଙ୍କ ମୃତ୍ୟୁ ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ରବୀନ୍ଦ୍ରଙ୍କ ମୃତ ଶରୀରକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସୁରେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଏହି ମାମଲାରେ ମୋଟ ୨୦ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅତିରିକ୍ତ ଜିଲା ଓ ଦୌରାଜଜ୍‌‌ କେନ୍ଦୁଝର ମମିତା ଦାସ ଗୁରୁବାର ଚୂଡାନ୍ତ ଶୁଣାଣୀ କରି ଅଭିଯୁକ୍ତ ସୁରେନ୍ଦ୍ରକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍‌‌ ଦଣ୍ଡାଦେଶ ସହ ୧୫ହଜାର ଟଙ୍କା ଗୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୧୦ମାସ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ପେଶାଲ ପି.ପି.ପ୍ରଫୁଲ୍ଲ କୁମାର ପାତ୍ର ମକଦ୍ଦମା ପରିଚାଳନା କରୁଥିଲେ।

ମାତୃହରା ନାବାଳିକାକୁ ପାଠ ପଢ଼ାଇବା କହି ଘରେ ଆଣି ରଖିବା ପରେ ଦୁଷ୍କର୍ମ କରି ଅନ୍ତଃସତ୍ତ୍ୱା କରିବା ଘଟଣାରେ ଅଭିଯୁକ୍ତ ଅଂଶୁମାନ ମହାପାତ୍ର (୩୧)କୁ ଫାଷ୍ଟଟ୍ରାକ୍‌‌ କୋର୍ଟ କେନ୍ଦୁଝରର ବିଚାରପତି ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍‌‌ ଦଣ୍ଡାଦେଶ ଶୁଣାଇଛନ୍ତି। କେନ୍ଦୁଝର ଟାଉନ ଥାନା ଅଧିନ ସରାସ ଗ୍ରାମର ଅଂଶୁମାନ ମହାପାତ୍ରଙ୍କ ସ୍ତ୍ରୀ ନିକଟସ୍ଥ ଏକ ଗ୍ରାମର ୧୨ବର୍ଷର ଆଦିବାସୀ ନାବାଳିକାର ମା’ ମୃତ୍ୟୁ ପରେ ପାଠ ପଢ଼ାଇବା କହି ନିଜ ଘରକୁ ଆଣି ନିକଟସ୍ଥ ବିଦ୍ୟାଳୟରେ ନାମ ମଧ୍ୟ ଲେଖାଇଥିଲେ।

ଏକ ଦେୱାନୀ ମାମଲାରେ ଟାଉନ ଥାନା ପୁଲିସ ଅଂଶୁମାନଙ୍କ ଘରେ ଚଢ଼ଉ ସମୟରେ ତାଙ୍କ ଘରେ କାମ କରୁଥିବା ଏକ ନାବାଳିକାକୁ ଉଦ୍ଧାର କରି ବଣିଆପାଟସ୍ଥିତ ଓପନସେଲଟର ହୋମରେ ଛାଡିଥିଲା। କିଛିଦିନ ପରେ ସମ୍ପୃକ୍ତ ନାବାଳିକା ଜଣକ ଗର୍ଭବତୀ ଥିବା ଅନୁମାନ କରି ସଖୀ ୱାନଷ୍ଟପ୍‌‌ ସହାୟତାରେ ନାବାଳିକା ଜଣକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରିବାରୁ ୬ ମାସର ଗର୍ଭବତୀ ଥିବା ଜଣାପଡିଥିଲା। ଏ ସମ୍ପର୍କରେ ନାବାଳିକା ଜଣକୁ ପଚରାଯିବାରୁ ଘରେ ସ୍ତ୍ରୀ ଅନୁପସ୍ଥିତ ଥିବା ସମୟରେ ଅଂଶୁମାନ ତାକୁ ଜୋରଜବରଦସ୍ତ ବଳାତ୍କାର କରିଥିବା ପ୍ରକାଶ କରିବା ପରେ ଏ ସମ୍ପର୍କରେ ଓପନସେଲଟର ହୋମର ସମାଜସେବୀ ମୋନିକା ସାହୁ ୨୩ ଜୁନ ୨୦୨୧ରେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇ ଅଭିଯୁକ୍ତ ଅଂଶୁମାନକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।

ଏହି ମାମଲାର କିଛି ଦିନ ପରେ ନାବାଳିକା ଜଣକ ଏକ ମୃତ ଶିଶୁ କନ୍ୟାକୁ ଜନ୍ମ ଦେବାସହ କିଛିଦିନ ପରେ ସେ ମଧ୍ୟ ଆଖି ବୁଜି ଦେଇଥିଲା। ମୃତ ଶିଶୁ କନ୍ୟା ଓ ସମ୍ପୃକ୍ତ ନାବାଳିକା ଏବଂ ଅଭିଯୁକ୍ତ ଅଂଶୁମାନର ରକ୍ତ ନମୂନା ସଂଗ୍ରହ କରାଯାଇ ଡିଏନ୍‌‌ଏ ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ ମୃତ ଶିଶୁ କନ୍ୟା ନାବାଳିକା ଓ ଅଭିଯୁକ୍ତ ଅଂଶୁମାନର ବୋଲି ଡିଏନଓ ରିପୋର୍ଟରେ ପ୍ରକାଶ ପାଇଥିଲା। ଏହି ମାମଲାରେ ମୋଟ ୧୬ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଫାଷ୍ଟଟ୍ରାକ୍‌‌ କୋର୍ଟ କେନ୍ଦୁଝରର ବିଚାରପତି ବିଜୟ କୁମାର ମିଶ୍ର ଗୁରୁବାର ଅଭିଯୁକ୍ତ ଅଂଶୁମାନକୁ ଆଜୀବନ ଜେଲ୍‌‌ ଦଣ୍ଡାଦେଶ ସହ ୧ଲକ୍ଷ ଟଙ୍କା ଜୋରିମାନା ଆଦେଶ କରିଛନ୍ତି। ପୀଡିତାଙ୍କ ପକ୍ଷରୁ ସ୍ପେଶାଲ ପି.ପି. ଜ୍ଞାନେନ୍ଦ୍ରନାଥ ଜେନା ମକଦ୍ଦମା ପରିଚାଳନା କରୁଥିଲେ।

Comments are closed.