କେନ୍ଦୁଝର ଜିଲା ଓକିଲ ସଂଘ ନିର୍ବାଚନ – ଆଲୋକ ସଭାପତି, ବୀନିତା ଉପସଭାପତି ଓ ସଞ୍ଜିତ ସମ୍ପାଦକ

କେନ୍ଦୁଝରଗଡ : କେନ୍ଦୁଝର ଜିଲା ଓକିଲ ସଂଘ ନିର୍ବାଚନରେ ସଭାପତି ଭାବେ ଆଲୋକ କୁମାର ମହାନ୍ତ, ଉପସଭାପତି ବୀନିତା ଦାଶ ଓ ସମ୍ପାଦକ ଭାବେ ସଞ୍ଜିତ ଦାସ ନିର୍ବାଚିତ ହୋଇଛନ୍ତି । ଶନିବାର ପୂର୍ବାହ୍ନ ୮ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୩ଟାରେ ଶେଷ ହେବାପରେ ଅପରାହ୍ନ ୪ଟାରୁ ଭୋଟଗଣତି ଆରମ୍ଭ ହୋଇ ସନ୍ଧ୍ୟାରେ ବିଜୟୀ ପ୍ରାର୍ଥୀଙ୍କ ଫଳାଫଳକୁ ନିର୍ବାଚନ ଅଧିକାରୀ ଶାନ୍ତନୁ କୁମାର ପ୍ରଧାନ ଘୋଷଣା କରିଥିଲେ । ସଂଘର ମୋଟ ୪୩୪ଜଣ ଭୋଟରଙ୍କ ମଧ୍ୟରୁ ୪୧୩ଜଣ ସଦସ୍ୟ ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ ।

ସଭାପତି ପଦ ନିମନ୍ତେ ଆଶିଷ ଚକ୍ରବର୍ତ୍ତୀ, ଆଲୋକ କୁମାର ମହାନ୍ତ, ସନ୍ଦୀପ ପଟ୍ଟନାୟକ ଓ ବିରଞ୍ଜନ ମହାପାତ୍ରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିବା ବେଳେ ଆଲୋକ ମହାନ୍ତ ୬୭ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଆଲୋକ ୨୨୮ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦି ଆଶିଷ କୁମାର ଚକ୍ରବର୍ତ୍ତୀ ୧୬୧ଖଣ୍ଡ, ଦୁଷ୍ମନ୍ତ କୁମାର ଜେନା ୧୯ଖଣ୍ଡ ଓ ବିରଞ୍ଜନ ମହାପାତ୍ର ୩ଖଣ୍ଡ ପାଇଥିବା ବେଳେ ୨ଟି ଭୋଟ ନାକଚ ହୋଇଥିଲା । ଉପସଭାପତି ପଦ ନିମନ୍ତେ ବିନୀତା ଦାଶ ୧୪୪ଖଣ୍ଟ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦି ଭାରତଭୂଷଣ ଦାସ ୧୨୧ଖଣ୍ଡ, ସନ୍ଦୀପ ପଟ୍ଟନାୟକ ଓ ସୁରଜ କୁମାର ମହାପାତ୍ର ୫୯ଖଣ୍ଡ ଲେଖାଏଁ ଏବଂ ଜ୍ୟୋତିରଞ୍ଜନ ମହାପାତ୍ର ୨୩ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଥିବା ବେଳେ ୭ଟି ଭୋଟ ନାକଚ ହୋଇଥିବା ଜଣାପଡିଛି । ସମ୍ପାଦକ ପଦ ନିମନ୍ତେ ସଞ୍ଜୀତ ଦାସ ଓ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦିତା ହୋଇଥିବା ବେଳେ ସଞ୍ଜିତ ୨୬୮ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ସୂର୍ଯ୍ୟ ନାରାୟଣ ୧୪୨ଖଣ୍ଡ ଭୋଟ ପାଇଥିବା ବେଳେ ୩ଟି ଭୋଟ ନାକଚ ହୋଇଥିବା ଜଣାପଡିଛି । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଦୁଇ ଯୁଗ୍ମସମ୍ପାଦକ ପଦରେ କରୁଣାକର ବ୍ରହ୍ମ ଓ ତାରିଣୀ ପ୍ରସାଦ ପୋଥାଳ ଏବଂ ୫ କାର୍ଯ୍ୟକାରୀ ସଦସ୍ୟ ଭାବେ ଯୁଧିଷ୍ଠିର ନାଏକ, ହଳଧର ମହାନ୍ତ, ରାଜେନ୍ଦ୍ର ସାହୁ, ବାରୁଣୀ ନାୟକ ଓ ପୂର୍ଣ୍ଣଚନ୍ଦ୍ର ରାଜ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି । ସଂଘର ବରିଷ୍ଠ ସଦସ୍ୟ ଶରତ ରାଉତ, ଜ୍ଞାନେନ୍ଦ୍ରନାଥ ଜେନା, ବସନ୍ତ କୁମାର ବେହେରା, ବସନ୍ତ ମାଝୀ, ସୁଧୀର କୁମାର ସାହୁ, ଅଜୟ ମାଝୀ, ମନୋଜ କୁମାର ବେହେରା ଓ ପତିତପାବନ ନାଥ ପ୍ରମୁଖ ସହକାରୀ ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ ।

Comments are closed.