୨ଦଫା ଦାବିରେ ଓଡିଶା କୃଷି ସେବା ସଂଘ ଅଧିକାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
କେନ୍ଦୁଝରଗଡ: ସହକାରୀ କୃଷି ଅଧିକାରୀ ପଦକୁ ପ୍ରଥମଶ୍ରେଣୀ ପାହ୍ୟା ମାନ୍ୟତା ପ୍ରଦାନ ସହ କୃଷି ଅଧିକାରୀ ପଦର କ୍ୟାଡର ପୁର୍ନଗଠନ ଦାବିରେ ଓଡିଶା କୃଷି ସେବା ସଂଘ ପକ୍ଷରୁ ଗୁରୁବାର ଠାରୁ ସମସ୍ତ ଅଧିକାରୀ ସମୂହଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ବିଗତ ୨ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ହୋଇ ଆସୁଥିବା ଦାବି ସମ୍ପର୍କରେ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକ୍ରିୟା ଶେଷ ସତ୍ତ୍ବେ ଦାବି ପୂରଣ କରାଯାଉ ନଥିବାରୁ ଅଗଷ୍ଟ ୩୦ ତାରିଖ ସୁଦ୍ଧା ଦାବି ପୁରଣ ନହେଲେ ସମସ୍ତ ଅଧିକାରୀ ସମୂହଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବାନେଇ ପୂର୍ବରୁ ଦିଆଯାଇଥିବା ଆହ୍ୱାନ ମୁତାବକ ଗୁରୁବାର ଠାରୁ ସମସ୍ତ ଅଧିକାରୀ ଛୁଟିରେ ରହି ଏହି ଆନ୍ଦୋଳନରେ ସାମିଲ ହୋଇଛୁ ବୋଲି ଆନ୍ଦୋଳନର ନେତୃତ୍ୱ ନେଉଥିବା ଜିଲା ମୁଖ୍ୟ କୃଷି ଅଧିକାରୀ ମିହିର କୁମାର ସାହୁ କହିଛନ୍ତି। ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇ ଉଦ୍ୟାନ ଉପନିର୍ଦ୍ଦେଶକ ଡ.ଜୟନ୍ତ କୁମାର ନାୟକ ଓ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ମଲ୍ଲୀକ ମଧ୍ୟ ଏଥିରେ ସାମିଲ ହୋଇ ଆନ୍ଦୋଳନକୁ ବ୍ୟାପକ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର କୃଷି ଅଧିକାରୀ ଗୋକୁଳ ଚନ୍ଦ୍ର ପ୍ରଧାନ, ଚମ୍ପୁଆ କୃଷି ଅଧିକାରୀ ନୀଳମାଧବ ଦାଶ, ଆନନ୍ଦପୁର କୃଷି ଅଧିକାରୀ ସିଂରାୟ ମାରାଣ୍ଡି ଓ ଘଟଗାଁ କୃଷି ଅଧିକାରୀ ସୁଧିରଞ୍ଜନ ବେହେରାଙ୍କ ସମେତ ନିଜ ନିଜ କାର୍ଯ୍ୟାଳୟର ସମସ୍ତ ବ୍ଲକ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏହାସତ୍ତେ୍ୱ ସରକାର ଦାବି ପୂରଣ ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ବ୍ଲକ କୃଷି ଅଧିକାରୀ ରବୀନ୍ଦ୍ର କୁମାର ସାହୁ କହିଛନ୍ତି।
Comments are closed.