ବରଯାତ୍ରୀ ଉପରେ ମାଡି ଗଲା ଟ୍ରକ ; ୫ ମୃତ , ୯ ଗୁରୁତର 

କେନ୍ଦୁଝରଗଡ : କେନ୍ଦୁଝର ଟାଉନ ଥାନା ଅଧିନ ୨୦ନଂ ଜାତୀୟ ରାଜପଥ ବାଇପାସ୍‌‌ ଷଠିଘରସାହିରେ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ୧ଟାରେ ବରଯାତ୍ରୀଙ୍କ ଉପରେ ଏକ ୧୨ଚକିଆ ଟ୍ରକ ଚଢ଼ିଯିବାରୁ ଘଟଣାସ୍ଥଳରେ ୫ଜଣଙ୍କ ଶୋଚନୀୟ ମୃତ୍ୟୁ ହେବା ସହ ୯ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତ ମାନଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ୭ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଯୋଗ୍ୟ,  ହରିଚନ୍ଦନପୁର ଥାନା ମାନପୁର ଗ୍ରାମର ହାଡିବନ୍ଧୁ ପାତ୍ରଙ୍କ ପୁଅ ହେମନ୍ତ କେନ୍ଦୁଝର ଷଠିଘରସାହିର କାର୍ତ୍ତିକ ପାତ୍ରଙ୍କ ଝିଅ କୌଶଲ୍ୟାଙ୍କୁ ବିବାହ ନିମନ୍ତେ ଜୁନ ୨୭ ତାରିଖ ରାତିରେ ପହଞ୍ଚିବା ପରେ ବରଯାତ୍ରୀ ଦଳ ଶୋଭାଯାତ୍ରାରେ କନିଆଁ ଘରକୁ ବାହାରିଥିଲେ। ବରଯାତ୍ରୀ ଦଳ ଷଠିଘରସାହି ଶୋଭାଯାତ୍ରା ସାରି କନିଆଁ ଘର ନିକଟରେ ପହଞ୍ଚିବା ସମୟରେ ହଠାତ୍‌‌ ଦ୍ରୁତ ଗତିରେ ଏକ ୧୨ ଚକିଆ ଟ୍ରକ ପଛପଟୁ ଆସି ବରଯାତ୍ରୀ ଶୋଭାଯାତ୍ରାକାରୀଙ୍କ ଉପରେ ଚଢ଼ି ଯାଇଥିଲା।
ଫଳରେ ଘଟଣାସ୍ଥଳରେ ହରିଚନ୍ଦନପୁର ଥାନା ମାନପୁର ଗ୍ରାମର ଜିତ୍‌‌ ଓରଫ ସତ୍ୟଜିତ ପାତ୍ର (୧୩) ଓ ଧଳପୁର ଗ୍ରାମର ସୁନୀଲ କୁମାର ମହାନ୍ତ (୨୮), କେନ୍ଦୁଝର ଟାଉନଥାନା ଅଧିନ ଷଠିଘରସାହିର ଦର୍ଶନ କୁମାର ପାତ୍ର (୨୨), ଜୁଡିଆସାହିର ରତି ମୁଣ୍ଡା (୩୯) ଓ କେଉଟସାହିର ବାପୁନ ଦେହୁରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାର ଶୀକାର ହୋଇ ଗୁରୁତର ଆହତ ଥିବା ବଡବିଲ ଥାନା ଅଞ୍ଚଳର ବିଶୁ ପାତ୍ର (୩୫), କେନ୍ଦୁଝର ଟାଉନଥାନା ଅଧିନ ଷଠିଘରସାହିର ସଞ୍ଜୟ ପାତ୍ର (୩୫), ଲିପୁନ ପାତ୍ର (୧୭), ଅଜିତ ପାତ୍ର (୨୦), ହରିଚନ୍ଦପୁର ଥାନା ଅଧିନ ମାନପୁରର ଲିକୁନ ମୁଣ୍ଡା (୧୨) ଓ ମିଥୁନ ମୁଣ୍ଡା (୨୫)ଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ତୁରନ୍ତ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ତେବେ ଷଠିଘରସାହିର ହିମାଂଶୁ ପାତ୍ର (୧୭) ଓ ସୁନୀଲ ପାତ୍ର (୧୮) ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଦୁର୍ଘଟଣାର ହୃଦୟବିଦାରକ ଦୃଶ୍ୟ ପରେ ଷଠିଘରସାହି ଅଞ୍ଚଳ ଖାଁ ଖାଁ ହୋଇ ପଡିଥିବା ବେଳେ ବରକୁ ନେଇ ବରପକ୍ଷ ଫେରି ଯାଇଥିବା ବେଳେ ବୁଧବାର ସକାଳେ କନ୍ୟା ପିତା ମଙ୍ଗୁଳା କନ୍ୟାକୁ ସଙ୍ଗରେ ନେଇ ପୁଣିଥରେ ବିବାହ ପାଇଁ ଯାଇଥିବା ସ୍ଥାନୀୟ ଅଞ୍ଚଳବାସୀଙ୍କ ଆଲୋଚନାରୁ ଜଣାପଡିଛି।
ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇବା ସହ କେନ୍ଦୁଝର ବାଇପାସ୍‌‌ ରାସ୍ତାକୁ ସମ୍ପୂର୍ଣ୍ଣ ଉଜ୍ଜଳ ଆଲୋକୀକରଣ କରିବା, ଷଠିଘରସାହି ଠାରେ ଫ୍ଲାଇଓଭର ନିର୍ମାଣ, ମୃତାହାତଙ୍କ ପରିବାରବର୍ଗଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଆଦି ଦାବିରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ବାଇପାସ୍‌‌ ରାସ୍ତାକୁ ଉଭୟ ଦିଗରୁ ଅବରୋଧ କରାଯାଇଥିଲା। ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ବୁଧବାର ପୂର୍ବାହ୍ନ ୯ଟାରେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ଫେରି ଯାଇଥିଲେ।
ପରେ ସଦର ତହସିଲଦାର ଆଶିଷ କୁମାର ମହାପାତ୍ର ଓ କେନ୍ଦୁଝରଗଡ ପୌର ନିର୍ବାହୀ ଅଧିକାରୀ ଡା. ମଧୁସ୍ମୀତା ସାମନ୍ତରାୟ ମାଜିଷ୍ଟ୍ରେଟ୍‌‌ ଭାବେ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଓ ମୃତକଙ୍କ ପରିବାର ସହ ଆଲୋଚନା କରିଥିଲେ।
ବିଜେଡି ରାଜ୍ୟ ଯୁବ ଉପସଭାପତି ସୌମ୍ୟଶଙ୍କରୀ ଚକ୍ର, ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ବିଜେଡି ନେତା ଦେବୁ ପଟ୍ଟନାୟକ ଓ ସ୍ଥାନୀୟ କାଉନସିଲର ନିହାର ଦାସ ପ୍ରମୁଖ ଆନ୍ଦୋଳନକାରୀ ଷଠିଘର ସାହିବାସିନ୍ଦାଙ୍କ ସହ ପ୍ରଥମେ ଆଲୋଚନା କରିବା ପରେ ମୃତାହାତ ପରିବାରବର୍ଗଙ୍କୁ ପୂର୍ବାହ୍ନ ସାଢ଼େ ୧୦ଟରେ ସଙ୍ଗରେ ନେଇ ଜିଲାପାଳଙ୍କ ସହ କ୍ଷତିପୁରଣ ଓ ଦାବି ସମ୍ପର୍କରେ ଆଲୋଚନା କରିଥିଲେ।
ଷଠିଘରସାହି ନିକଟରେ ଏକ ଫ୍ଲାଇଓଭର ନିର୍ମାଣ ନିମନ୍ତେ ଜାତୀୟ ରାଜପଥ ପ୍ରାଧିକରଣ କେନ୍ଦୁଝର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଜିଲାପାଳ ଆଲୋଚନା କରିଥିବା ବେଳେ ତୁରନ୍ତ କିଭଳି ବାଇପାସ୍‌‌ ରାସ୍ତାରେ ଉଜ୍ଜଳ ଆଲୋକୀକରଣ କରାଯିବ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ନିଦେ୍‌‌ର୍ଦଶ ଦେଇଥିଲେ। ଏଥିସହ ଦୁର୍ଘଟଣାକୁ ଏଡାଇବା ପାଇଁ ଷଠିଘରସାହି ସମେତ ବାଇପାସ୍‌‌ ରାସ୍ତାର କେତେକ ସ୍ଥାନରେ ବ୍ୟାରିୟର ସ୍ଥାପନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଦୁର୍ଘଟଣାରେ ମୃତ ପରିବାରକୁ ଜିଲା ରେଡକ୍ରସ୍‌‌ ପାଣ୍ଠିରୁ ତୁରନ୍ତ ୪୦ହଜାର ଟଙ୍କା ଏବଂ ଆହତଙ୍କୁ ଚିକିତ୍ସା ନିମନ୍ତେ ୨୦ହଜାର ଟଙ୍କା ଯୋଗାଇ ଦେବାସହ ମୁଖ୍ୟମନ୍ତ୍ରୀ ରିଲିଫ୍‌‌ ପାଣ୍ଠିରୁ ଆର୍ଥୀକ ସହାୟତା ଯୋଗାଇ ଦେବାପାଇଁ ସୁପାରିଶ କରାଯିବ ବୋଲି ଜିଲାପାଳ ଆଲୋଚନାକାରୀଙ୍କୁ ପ୍ରତିଶ୍ରୁତି ଦେଇଥିବା ଷଠିଘରସାହିବାସିନ୍ଦା ବେଣୁଧର ପାତ୍ର କହିଛନ୍ତି। ଏତଦ୍‌‌ବ୍ୟତୀତ ମୃତକଙ୍କ ପରିବାରବର୍ଗଙ୍କୁ କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ପକ୍ଷରୁ ୨୦ହଜାର ଟଙ୍କା ଓ ଯୋଡା ଟ୍ରକ ମାଲିକ ସଂଘ ପକ୍ଷରୁ ୨୦ହଜାର ଟଙ୍କା ଲେଖାଏଁ ଆର୍ଥୀକ ସହାୟତା ଯୋଗାଇ ଦିଆଯାଇଥିବା କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ଯୁଗ୍ମସମ୍ପାଦକ ଦେବୁ ପଟ୍ଟନାୟକ କହିଛନ୍ତି। ପ୍ରଶାସନ ସହ ଆଲୋଚନା ପରେ ପୂର୍ବାହ୍ନ ୧୧ଟାରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା।

Comments are closed.