ଓଡ଼ିଶା ରକ୍ତ କେନ୍ଦ୍ର, ୪ ବର୍ଷ ହେଲା ନବୀକରଣ ହୋଇନି ଲାଇସେନ୍ସ
କେନ୍ଦୁଝରଗଡ଼ : ଆବଶ୍ୟକ ଭିତ୍ତିଭୂମି ଅଭାବ ସାଙ୍ଗକୁ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ୬୦ବର୍ଷରୁ ଅଧିକ ବର୍ଷ ହେଲା କାର୍ଯ୍ୟକ୍ଷମ ହୋଇପାରୁନି ଜିଲା ରକ୍ତ କେନ୍ଦ୍ର। କେନ୍ଦୁଝର ସରକାରୀ ମେଡ଼ିକାଲ କଲେଜ ଆଣ୍ଡ ହସପିଟାଲ ତଥା ଅନ୍ତର୍ଗତ ଓଡ଼ିଶା ରକ୍ତ କେନ୍ଦ୍ରର ଜିଲା ରକ୍ତ କେନ୍ଦ୍ର ଶୀତତାପ ନିୟନ୍ତ୍ରୀତ ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ ଥିବାରୁ ଆଜକୁ ୬ବର୍ଷ ତଳେ ଉକ୍ତ ରକ୍ତ କେନ୍ଦ୍ରକୁ ଶୀତତାପ ନିୟନ୍ତ୍ରୀତ ସହ ଆଧୁନିକୀକରଣ କରାଯାଇଛି । ମାତ୍ର, କାର୍ଯ୍ୟ ଶେଷହେବା ୬ମାସ ନପୁରୁଣୁ ସିଲିଂ ଖସି ପଡିବା ସହ ବିପଦସଙ୍କୁଳ ଅବସ୍ଥାରେ କର୍ମଚାରୀ କାର୍ଯ୍ୟ କରିବା ଏବଂ ରକ୍ତ କେନ୍ଦ୍ରର ଅଧିକାଂଶ କବାଟ ଠିକ୍ ଭାବେ କାର୍ଯ୍ୟକ୍ଷମ ହେଉନଥିବା ଜଣାପଡିଛି । ଜିଲା ରକ୍ତ କେନ୍ଦ୍ରର ଲାଇସେନ୍ସ ମାର୍ଚ୍ଚ ୨୦୨୦ରୁ ଶେଷ ହୋଇଛି। ଲାଇସେନ୍ସ ନବୀକରଣ ପାଇଁ ଅପ୍ରେଲ ୨୦୨୦ରୁ ଆବେଦନ କରାଯାଇଛି। ଲାଇସେନ୍ସ ନବୀକରଣ ଆବେଦନର ୪ବର୍ଷ ବିତି ଯାଇଥିଲେ ବି ଲାଇସେନ୍ସ ଦିଆଯାଇନାହିଁ। କେବଳ ଜିଲା ରକ୍ତ କେନ୍ଦ୍ର ନୁହେଁ, ବିଗତ ୪ ବର୍ଷ ହେଲା ଆନନ୍ଦପୁର ଓ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାର କେନ୍ଦ୍ରର ଲାଇସେନ୍ସ ଅବଧି ଶେଷ ହୋଇଥିଲେ ହେଁ ଏହାର ମଧ୍ୟ ନବୀକରଣ ହୋଇପାରିନଥିବା ବିଶେଷସୂତ୍ରରୁ ଜଣାପଡିଛି ।
ଜିଲା ରକ୍ତ କେନ୍ଦ୍ର ପାଇଁ ଆବଶ୍ୟକ ୫ଶହ ବର୍ଗଫୁଟ୍ର ଗୃହ ନଥିବାରୁ କମ୍ପୋନେଟ୍ ସେପାରେସନ ୟୁନିଟ୍ ମେସିନ କାର୍ଯ୍ୟକ୍ଷମ ହୋଇନପାରିବା କାରଣରୁ ରକ୍ତ କେନ୍ଦ୍ର ଭଣ୍ଡାର ନବୀକରଣ ହୋଇପାରୁନି । ଏହାକୁ ଦୃଷ୍ଟିରେ ରଖି ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ଇଣ୍ଟିଗ୍ରେଟେଡ ରକ୍ତଭଣ୍ଡାର ଗୃହ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଆସନ୍ତ ୨/୩ମାସ ମଧ୍ୟରେ ଶେଷ ହୋଇ ଲାଇସେନ୍ସ ନବୀକରଣ ସହ କମ୍ପୋନେଟ୍ ସେପାରେସନ ୟୁନିଟ୍ ମେସିନ ତୁରନ୍ତ କାର୍ଯ୍ୟକ୍ଷମ ହୋଇ ରୋଗୀ ସେବାରେ ଆସିବ ବୋଲି ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି କହିଛନ୍ତି ।
ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଜଣେ ରୋଗୀଙ୍କ ପାଇଁ ଆବଶ୍ୟକ ୨ ୟୁନିଟ୍ ରକ୍ତ ପାଇଁ ରୋଗୀ ସମ୍ପର୍କୀୟଙ୍କ ଠାରୁ ଲାଞ୍ଚ ନେବା ଜଣାପଡିବାରୁସମ୍ପୃକ୍ତ ଦାୟୀ କର୍ମଚାରୀଙ୍କ ବିରୋଧରେ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣାରେ ଦାୟୀ କର୍ମଚାରୀ ଲାବ୍ରୋଟେରୀ ଟେକ୍ନିସିଆନ ସତ୍ୟବ୍ରତ ମହୁରୀକୁ ତୁରନ୍ତ ବହିଷ୍କୃତ ପାଇଁ ଠିକା ସଂସ୍ଥାକୁ ଚିଠି କରାଯିବା ସହ ରବିବାର ଠାରୁ ରକ୍ତ କେନ୍ଦ୍ରକୁ ଅ୍ରନୁମତି ଦିଆନଯିବା ଏବଂ ଆଟେଣ୍ଡାଣ୍ଟ ଯତୀନ କୁମାର ସେଠୀଙ୍କୁ ରକ୍ତ କେନ୍ଦ୍ରରୁ ବଦଳି କରାଯାଇ ପୁରୁଷ ଭେଷଜ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିବା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି କହିଛନ୍ତି ।
Comments are closed.