କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ସହରର ଗତକାଲିଠାରୁ ସୃଷ୍ଟି ହୋଇଥିବା ଉତ୍ତେଜନା ଓ ଗୁରୁବାର ବନ୍ଦ ପରେ ମଧ୍ୟ ଜିଲା ପ୍ରଶାସନ ଜାରି କରିଥିବା ୧୪୪ ଧାରା ଶୁକ୍ରବାର ସକାଳ ୬ଟାରେ ଉଠାଯିବ। କର୍ଫ୍ୟୁ ଉଠାଯାଇ ଜିଲା ପ୍ରଶାସନ ନେତୃତ୍ବରେ ଶାନ୍ତି କମିଟି ପକ୍ଷରୁ ଏକ ଶାନ୍ତି ଓ ସଦ୍ଭାବନା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବ। ସଭାସ୍ଥଳକୁ କେନ୍ଦ୍ରକରି ଉଭୟ ଗୋଷ୍ଠୀ ମଧ୍ୟରେ ବୁଧବାର ସୃଷ୍ଟି ହୋଇଥିବା ବିବାଦର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବ। ଗୁରୁବାର ସନ୍ଧ୍ୟାରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ଏଭଳି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ସନ୍ଧ୍ୟା ୬ରୁ ରାତି ୯.୩୦ ପର୍ଯ୍ୟନ୍ତ ଦୀର୍ଘ ସାଢେ ତିନି ଘଣ୍ଟାକାଳ ଶାନ୍ତି କମିଟିର ବୈଠକ ବସି ସଭାସ୍ଥଳକୁ ନେଇ ଉପୁଜିଥିବା ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଉପରେ ଆଲୋଚନା ହୋଇଥିଲା। ତେବେ ଏହାର ତଦନ୍ତ ସହ ପ୍ରଥମେ ସହରରେ
ଶାନ୍ତି ଫେରାଇ ଆଣିବା ଲାଗି ସ୍ଥିର କରାଯାଇଥିବା ବୈଠକ ପରେ ଜିଲା ଆରକ୍ଷୀ ଅଧୀକ୍ଷକ ନୀତିଶେଖର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଆସନ୍ତାକାଲି ସକାଳ ୮.୩୦ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି ପ୍ରଥମେ ଉପ ଜିଲାପାଳ ସଞ୍ଜୟକୁମାର ମିଶ୍ର ସୂଚନା ଦେଇଥିଲେ। ପ୍ରଶାସନ ଉଦ୍ୟମରେ ସନ୍ଧ୍ୟାରେ ଶାନ୍ତି କମିଟି ବୈଠକ ବସିଥିଲା। ସହରରେ ଶାନ୍ତି ଫେରାଇ ଆଣିବାକୁ ୬ ପ୍ଲାଟୁନ୍ରୁ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ ବଢାଇ ଦିଆଯାଇଥିଲା। ଏପରିକି ଇଣ୍ଟରନେଟ୍ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଥିଲା। କେନ୍ଦ୍ରାପଡ଼ା ହାଇସ୍କୁଲ ପଡିଆରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଦ୍ୱାରା ବୁଧବାର ଆୟୋଜିତ ନେତାଜୀ ସୁଭାଷଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ କାର୍ଯ୍ୟକ୍ରମକୁ କିଛି ଗୋଷ୍ଠୀ ଓ ଜିଲା ପ୍ରଶାସନ ଭଣ୍ଡୁର କରିବା ପ୍ରତିବାଦରେ ଆରଏସଏସ୍, ଭିଏଚ୍ପି ଓ ବଜରଙ୍ଗ ଦଳ ଗୁଡିକ ପକ୍ଷରୁ ଗୁରୁବାର ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ବେଳେ ମଧ୍ୟ ଦୁଇ ଗୋଷ୍ଠୀ ମଧ୍ୟରେ ପୁଣି ଉତ୍ତେଜନା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ବନ୍ଦପାଳନକାରୀ ମାନେ ୧୪୪ ଧାରା ଜାରି ସତ୍ତ୍ବେ ଟାୟାର ଜାଳି ରାସ୍ତାରେ ଅବରୋଧ କରିଥିଲେ। ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଚାପା ଉତ୍ତେଜନା ଅବ୍ୟାହତ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡି କରିବା ଲାଗି ଗତକାଲିଠାରୁ ଆଜି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଯାଇଥିଲା। ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୁଲିସ ତୀକ୍ଷ୍ଣ ନଜର ରଖିଛି। ଉତ୍ତେଜନା ସ୍ଥଳରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ। ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବା ସହ ଜିଲା ଏବଂ ଜିଲା ବାହାରୁ ୧୦ ଡିଏସ୍ପି ଓ ଶତାଧିକ ପୁଲିସ ଅଧିକାରୀଙ୍କୁ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି। ସହରର ଗୁରୁତ୍ୱପୂର୍ଣ୍ଣ ଗଳି ଏବଂ ଛକ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତେବେ ଗତକାଲିର ଘଟଣା ପରେ ସହର ଉପକଣ୍ଠ ଗରାପୁର, କପାଳେଶ୍ୱର, କାଳୀମନ୍ଦିର, ଗୋପଛକ, ଗୋଗୁଆ, ଶ୍ୟାମସୁନ୍ଦରପୁର, ମାର୍ଶାଘାଇ କ୍ରସିଂ ଆଦି ସ୍ଥାନରେ ଆନ୍ଦୋଳନକାରୀ ବହୁ ସଂଖ୍ୟାରେ ଗାଡି ଅଟକାଇ ବନ୍ଦ ପାଳନ କରିଥିଲେ। ଏବେ ବି ଉଭୟ ଗୋଷ୍ଠୀ ଛକା-ପଞ୍ଝା ସ୍ଥିତିରେ ଥିବା ଆଶଙ୍କା କରାଯାଉଛି। ଗୁଇନ୍ଦା ରିପୋର୍ଟ ଆଧାରରେ ସହର ଏବଂ ସହରତଳି ଅଞ୍ଚଳରେ ଆଜି ଅପରାହ୍ନ ୪ଟାଠାରୁ ଆସନ୍ତାକାଲି ପୂର୍ବାହ୍ନ ୮ଟା ୩୦ମିନିଟ୍ ପର୍ଯ୍ୟନ୍ତ କର୍ଫୁ ସମୟ ବଢାଇ ଦିଆଯାଇଥିଲା। ଗତକାଲି ରାତି ୮ଟା ପରେ କେନ୍ଦ୍ରାପଡାରୁ ବାହାରକୁ ଇଣ୍ଟରନେଟ୍ ସେବାକୁ ଅଚଳ କରିଦିଆଯିବା ସହ ସହରର ସମସ୍ତ ସ୍କୁଲ, କଲେଜ ଗୁଡିକୁ ଛୁଟି ଘୋଷଣା କରିଥିଲା ପ୍ରଶାସନ।
ଆଜିର ଶାନ୍ତି କମିଟି ବୈଠକରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ବିଷ୍ଣୁପଦ ସେଠୀ, ଏସପି ନୀତିଶେଖର, ଉପଜିଲାପାଳ ଶ୍ରୀ ମିଶ୍ର, ରାଜ୍ୟ ସରକାରଙ୍କ ପ୍ରତିନିଧି ରୂପେ ଶକ୍ତି ସଚିବ ହେମନ୍ତ ଶର୍ମା ଯୋଗଦେଇଥିବାବେଳେ ଶାନ୍ତି କମିଟିରୁ ବିଧାୟକ କିଶୋର ତରାଇ, ଜିଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡ଼ା, ପୂର୍ବତନ ବିଧାୟକ ଅଲେଖ ଜେନା, ଉତ୍କଳକେଶରୀ ପରିଡ଼ା, ଗଣେଶ୍ବର ବେହେରା, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଭୂବନମୋହନ ଜେନା, ଶାନ୍ତି କମିଟି ସଦସ୍ୟ ମୁକ୍ତାର ଖାନ୍, ପୂର୍ବତନ ପୌରପାଳ ଆକବର ଅଲ୍ଲୀ ପ୍ରମୁଖ ୨୦ ଜଣ ବୁଦ୍ଧିଜୀବୀ ସେମାନଙ୍କ ମତାମତ ରଖିଥିଲେ।
ସୂଚନାଯୋଗ୍ୟ, ଗତକାଲି ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ଲାଗି ଆରଏସଏସ ପକ୍ଷରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ସଭା ଲାଗି ହାଇସ୍କୁଲ ପଡ଼ିଆରେ ପ୍ରସ୍ତୁତ ମଞ୍ଚ ନିକଟକୁ ଯିବାବେଳେ ପଡ଼ିଆକୁ ଶତାଧିକ ଯୁବକ କବ୍ଜାରେ ରଖି ଶୋଭାଯାତ୍ରାକାରୀଙ୍କୁ ସେଠାକୁ ଛାଡି ନଥିଲେ। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହୋଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା। ପୁଲିସ ମଧ୍ୟ ଶୋଭାଯାତ୍ରାକାରୀଙ୍କୁ ପଡିଆ ଭିତରକୁ ନ ଛାଡିବାରୁ ପୁଲିସର ଅତର୍କିତ ଏଭଳି ମନୋଭାବକୁ ନେଇ ସଂଘର କର୍ମକର୍ତ୍ତା ତୀବ୍ର ଅସନ୍ତୋଷ ପ୍ରକାଶ କରି ଏହାର ପ୍ରତିବାଦ କରିଥିଲେ।
କେନ୍ଦ୍ରାପଡ଼ା ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ; ଆଜି ଉଠିବ କର୍ଫ୍ୟୁ, ବାହାରିବ ଶାନ୍ତି ଶୋଭାଯାତ୍ରା
Popular Categories



