ମହାକାଶରେ ଏହି ସୁନ୍ଦର ଗୀତ ଗାଇଲେ କେଟି ପେରି, ପୃଥିବୀକୁ ଫେରି କହିଲେ- ଭାବପ୍ରବଣ ଅନୁଭୂତି

ସମାଜ ଡିଜିଟାଲ ଡେସ୍କ: ପପ୍ ଷ୍ଟାର କେଟି ପେରି ମହାକାଶ ଯାତ୍ରା ପରେ ସୋମବାର ପୃଥିବୀକୁ ଫେରିଛନ୍ତି। ଜେଫ୍ ବେଜୋସ୍ଙ୍କ ‘ବ୍ଲୁ ଅରିଜିନ୍’ ରକେଟ୍ ସହିତ ତାଙ୍କର ଏହି ମହାକାଶ ଯାତ୍ରାକୁ ସେ ଏକ ‘ଭାବପ୍ରବଣ’ ଅନୁଭୂତି ବୋଲି କହିଛନ୍ତି। କେଟି କହିଛନ୍ତି ଯେ, ମାଆ ହେବା ପରେ ଏହା ତାଙ୍କ ଜୀବନର ଦ୍ୱିତୀୟ ସର୍ବୋତ୍ତମ ଅନୁଭୂତି। କେଟି ପ୍ରକାଶ କରିଛନ୍ତି ଯେ ଉଡ଼ାଣ ସମୟରେ ସେ ‘ହ୍ୱାଟ୍ ଏ ୱାଣ୍ଡରଫୁଲ୍ ୱର୍ଲ୍ଡ’ ଗୀତ ମଧ୍ୟ ଗାଇଥିଲେ।
ପ୍ରାୟ ୧୧ ମିନିଟ୍ ଯାତ୍ରା ପରେ କେଟି ପେରି ବ୍ଲୁ ଅରିଜିନର ନ୍ୟୁ ସେପର୍ଡ ରକେଟ୍ରୁ ଓହ୍ଲାଇବା ପରେ କହିଥିଲେ, ‘‘ମୁଁ ଭାବୁଛି ଏହି ଅନୁଭୂତି ମୋତେ ଦେଖାଇଛି ଯେ, ଆପଣ ନିଜ ଭିତରେ ଭରି ରହିଥିବା ପ୍ରେମକୁ କେବେ ଜାଣିପାରିବେ ନାହିଁ, ଯେମିତିକି ଆପଣଙ୍କୁ କେତେ ପ୍ରେମ ଦେବାକୁ ପଡ଼ିବ ଏବଂ ଆପଣଙ୍କୁ କେତେ ପ୍ରେମ କରାଯାଏ।’’
ଅଲ୍ ଓ୍ବିମେନ୍ ଟିମ୍ ସହ କେଟି ପେରି ରଚିଲେ ଇତିହାସ:
‘ଫାୟାରୱର୍କ’ ଏବଂ ‘କାଲିଫର୍ଣ୍ଣିଆ ଗର୍ଲ୍ସ’ର ଗାୟିକା କେଟି ପେରିଙ୍କ ଏହି ଯାତ୍ରା ଏଥିପାଇଁ ମଧ୍ୟ ଐତିହାସିକ ଥିଲା, କାରଣ ସେ ଏକ ସମ୍ପୂର୍ଣ୍ଣ ମହିଳା ଦଳ ସହିତ ମହାକାଶକୁ ଯାଇଥିଲେ। ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ୍ଙ୍କ ସ୍ପେସ୍ କମ୍ପାନୀ ‘ବ୍ଲୁ ଅରିଜିନ୍’ର ରକେଟ୍ ସାହାଯ୍ୟରେ କେଟି ପେରିଙ୍କ ସମେତ ୫ ଜଣିଆ ମହିଳା ଦଳକୁ ପୃଥିବୀ ପୃଷ୍ଠରୁ ୧୦୦ କିଲୋମିଟରରୁ ଅଧିକ ଉଚ୍ଚତାକୁ ନିଆଯାଇଥିଲା। ଏହା ନ୍ୟୁ ସେପର୍ଡ କାର୍ଯ୍ୟକ୍ରମର ଏକ ଅଂଶ, ଯାହାକୁ NS-31 ନାଁ ଦିଆଯାଇଛି।
ପୃଥିବୀକୁ ଫେରି ଭୂମିକୁ ଚୁମ୍ବନ ଦେଇଥିଲେ କେଟି:
ଏହି ଯାତ୍ରାରେ କେଟି ପେରିଙ୍କ ସହିତ ଜେଫ୍ ବେଜୋସ୍ଙ୍କ ଭାବି ପତ୍ନୀ ଲରେନ୍ ସାଞ୍ଚେଜ୍, ଟିଭି ଉପସ୍ଥାପିକା ଗେଲ୍ କିଙ୍ଗ୍, ମାନବାଧିକାର କର୍ମୀ ଅମାଣ୍ଡା ଗୁୟେନ୍, ଚଳଚ୍ଚିତ୍ର ନିର୍ମାତା କେରିୟନ୍ ଫ୍ଲିନ୍ ଏବଂ ନାସାର ପୂର୍ବତନ ରକେଟ୍ ବୈଜ୍ଞାନିକ ଆଇଶା ବୋୱେ ମଧ୍ୟ ଥିଲେ। କ୍ୟାପସୁଲ ସୁରକ୍ଷିତ ଭାବରେ ଅବତରଣ କରିବା ପରେ କେଟି ପେରି ଭୂମିକୁ ଚୁମ୍ବନ ଦେଉଥିବାର ଏକ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି।
ନିଜ ସହ ଡେଜି ଫୁଲ ନେଇଥିଲେ କେଟି ପେରି:
ଉଡ଼ାଣ ଭରିବା ସମୟରେ କେଟି ପେରି ତାଙ୍କ ସହିତ ଏକ ଡେଜି ଫୁଲ ମଧ୍ୟ ନେଇଥିଲେ। ଏହା ତାଙ୍କ ଝିଅ ଡେଜି ପାଇଁ ଥିଲା। ସେ ଅନ୍ୟ ମହିଳାମାନଙ୍କ ସହିତ ପ୍ରାୟ ୪ ମିନିଟ୍ ପର୍ଯ୍ୟନ୍ତ ମହାକାଶରେ ରହିଥିଲେ। ନ୍ୟୁ ସେପର୍ଡ ରକେଟ୍ ସୋମବାର ପୃଥିବୀଠାରୁ ୧୦୦ କିଲୋମିଟରରୁ ଅଧିକ ଉଚ୍ଚତାରେ ପହଞ୍ଚିଥିଲା ଏବଂ ଅନ୍ତର୍ଜାତିକସ୍ତରରେ ମହାକାଶର ସୀମା କୁହାଯାଉଥିବା କର୍ମନ୍ ଲାଇନକୁ ଅତିକ୍ରମ କରିଥିଲା।
ଏହା ପୂର୍ବରୁ ୧୯୬୩ରେ ପୁରୁଷ ବିନା ମହାକାଶକୁ ଯାଇଥିଲେ ମହିଳା:
୨୦୦୦ ମସିହାରେ ଅରବପତି ଜେଫ୍ ବେଜୋସ୍ ମହାକାଶ ପର୍ଯ୍ୟଟନ କମ୍ପାନୀ ବ୍ଲୁ ଅରିଜିନ୍ ଆରମ୍ଭ କରିଥିଲେ। ସୋମବାର କେଟି ପେରିଙ୍କ ସମେତ ସମ୍ପୂର୍ଣ୍ଣ ମହିଳା ଦଳକୁ ନେଇ ଯାଇଥିବା ନ୍ୟୁ ସେପର୍ଡ ରକେଟ୍ ପଶ୍ଚିମ ଟେକ୍ସାସରୁ ଉତକ୍ଷେପଣ କରାଯାଇଥିଲା। ଏହା ପ୍ରଥମ ମହାକାଶ ଉଡ଼ାଣ ଥିଲା, ଯେଉଁଥିରେ ପ୍ରତ୍ୟେକ ସିଟ୍ରେ ମହିଳାମାନେ ହିଁ ବସିଥିଲେ। ଏହା ପୂର୍ବରୁ ୧୯୬୩ ମସିହାରେ ରୁଷ୍ ଇଞ୍ଜିନିୟର ଭାଲେଣ୍ଟିନା ତେରେସକୋଭା ଏକାକୀ ମହାକାଶ ଯାତ୍ରା କରିଥିଲେ।
Comments are closed.