କଠୁଆ ମାମଲା : ଜାମ୍ମୁ ଓକିଲଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

0

ନୂଆଦିଲ୍ଲୀ : କଠୁଆ ନାବାଳିକା ଗଣବଳାତ୍କାର ମାମଲାରେ ଅଭିଯୋଗଫର୍ଦ ଦାଖଲରେ ବାଧା ସୃଷ୍ଟି କରିବା ତଥା ମାମଲାର ନିରପେକ୍ଷ ତଦନ୍ତ ଦାବି ଉଠାଇବା ନେଇ ଜାମ୍ମୁ କାଶ୍ମୀରର ଓକିଲମାନଙ୍କୁ ସୁପ୍ରିମକୋର୍ଟ ଗୁରୁବାର ତୀବ୍ର ଭର୍ତ୍ସନା କରିଛନ୍ତି। ବିଚାରପତି ଦୀପକ ମିଶ୍ର, ବିଚାରପତି ଏ.ଏମ୍‌. ଖାନ୍‌ୱିଲକର ଏବଂ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ ଏହି ଓକିଲଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଆପଣମାନେ ଏଭଳି ପରିସ୍ଥିତି ସୃଷ୍ଟି କଲେ ଯେ ପୁଲିସ ବାଧ୍ୟ ହୋଇ ମାଜିଷ୍ଟ୍ରେଟ୍‌ଙ୍କ ଘରେ ଅଭିଯୋଗଫର୍ଦ ଦାଖଲ କଲା। ସୁପ୍ରିମକୋର୍ଟ ଏ ମାମଲା ସମ୍ପନ୍ଧୀୟ ବିଷୟ ସହିତ ନିରପେକ୍ଷ ତଦନ୍ତ ସମ୍ପର୍କରେ ମଧ୍ୟ ଅବଗତ ଅଛନ୍ତି। ଭିନ୍ନ ପ୍ରସଙ୍ଗରେ ବିକ୍ଷୋଭ କରାଯାଇଥିବା ବେଳେ ତାହାକୁ ଅଭିଯୋଗଫର୍ଦ ଦାଖଲ ସହିତ ସମ୍ପୃକ୍ତ କରାଯାଉଛି ବୋଲି ବିକ୍ଷୋଭକାରୀ ଓକିଲମାନେ କୋର୍ଟରେ ଦର୍ଶାଇଥିଲେ। କିନ୍ତୁ ବିକ୍ଷୋଭର କାରଣ ଯାହା ବି ହେଉ ନା କାହିଁକି, ଯେଭଳି ପଦକ୍ଷେପ ଗ୍ରହଣ କରାଗଲା ତାହା ସମ୍ପୂର୍ଣ୍ଣ ଭୁଲ୍‌ବୋଲି ଖଣ୍ଡପୀଠ କହିଛନ୍ତି। ଏହି ମାମଲା ଏବଂ ସମ୍ପୃକ୍ତ ଓକିଲମାନଙ୍କ ଆଚରଣ ବିଷୟରେ କୋର୍ଟରେ ନିଜର ମତାମତ ଦାଖଲ କରିବା ଲାଗି ଖଣ୍ଡପୀଠ ସମସ୍ତ ପକ୍ଷମାନଙ୍କୁ ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୬ରେ ହେବ। ଅନ୍ୟପଟେ କଠୁଆ ଗଣବଳାତ୍କାର ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଓକିଲମାନଙ୍କ ବିକ୍ଷୋଭକୁ ଜାମ୍ମୁ ଓକିଲ ସଂଘ ସମର୍ଥନ କରୁ ନ ଥିବା ସୁପ୍ରିମକୋର୍ଟକୁ ଅବଗତ କରାଯାଇଛି। ଏହି ବିକ୍ଷୋଭ ବିଷୟରେ ତଦନ୍ତ ଲାଗି ଜଣେ ପୂର୍ବତନ ହାଇକୋର୍ଟ ବିଚାରପତିଙ୍କ ନେତୃତ୍ୱରେ ଏକ ଦଳ ଗଠନ କରାଯାଇଛି। ଏହି ଦଳ କଠୁଆ ଯାଇ ପରିସ୍ଥିତି ଅନୁଧ୍ୟାନ କରିବ ବୋଲି ଭାରତୀୟ ଓକିଲ ସଂଘ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। କିନ୍ତୁ ଉକ୍ତ ବିକ୍ଷୋଭକୁ ଏପ୍ରିଲ ୧୨ରୁ ପ୍ରତ୍ୟାହାର କରି ନିଆଯାଇଛି ବୋଲି କଠୁଆ ଓକିଲ ସଂଘ ପ୍ରକାଶ କରିଛି। କଠୁଆ ଜିଲା ଅନ୍ତର୍ଗତ ରାସନା ଗ୍ରାମର ସମ୍ପୃକ୍ତ ନାବାଳିକାଙ୍କୁ ଜାନୁଆରୀ ୧୦ରେ ଅପହରଣ ପରେ ଏକ ମନ୍ଦିରରେ ଗଣବଳାତ୍କାର ଓ ହତ୍ୟା କରାଯାଇଥିଲା। ଏହି ମାମଲାରେ କ୍ରାଇମବ୍ରାଞ୍ଚ ପୁଲିସ ଜଣେ ନାବାଳକଙ୍କ ସମେତ ୮ ଜଣ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗଫର୍ଦ ଦାଖଲ କରିଛି।

Leave A Reply