କର୍ଣ୍ଣାଟକ : ବିଜେପି ଏମିତି ଯୋଗାଡ କରିବ ବହୁମତ

0

ବେଙ୍ଗାଲୁରୁ : ସଦ୍ୟ ସମାପ୍ତ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ୨୨୨ ଆସନ ମଧ୍ୟରୁ ୧୦୪ଟିରେ ଜିତିଥିବା ବେଳେ ଜଣେ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ହାସଲ କରିଛି। ଫଳରେ ଦଳୀୟ ଆସନ ସଂଖ୍ୟା ୧୦୫ରେ ପହଞ୍ଚିଛି। ତଥାପି ସରକାର ଗଠନ ଲାଗି ଆବଶ୍ୟକ କୁହୁକ ସଂଖ୍ୟା ଛୁଇଁବା ଲାଗି ଦଳକୁ ଆହୁରି ୭ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି। ଏଭଳି ପରିସ୍ଥିତିରେ ବହୁମତ ହାସଲ ଲାଗି ବିଜେପି ନିକଟରେ ଦୁଇଟି ବିକଳ୍ପ ପନ୍ଥା ରହିଛି।
-ପ୍ରଥମତଃ ବିଧାନସଭାରେ ବିଶ୍ୱାସମତ ବେଳେ ଗୃହରେ ଉପସ୍ଥିତ ବିଧାୟକଙ୍କ ସଂଖ୍ୟା ୨୦୯ ମଧ୍ୟରେ ସୀମିତ ରଖିବା ଲାଗି ବିଜେପି ଉଦ୍ୟମ କରିବ। ଏ ନେଇ ଦଳ ବିରୋଧୀ ଦଳର କିଛି ବିଧାୟକଙ୍କୁ ଭୋଟିଂରୁ ଦୂରେଇ ରଖିବାକୁ ଉଦ୍ୟମ କରିବ ଯଦ୍ଦ୍ୱାରା କୁହୁକ ସଂଖ୍ୟା ୧୦୫କୁ ଖସିଆସିବ। ଫଳରେ ଦଳ ସହଜରେ ବିଶ୍ୱାସମତ ଜିତିଯିବ। ଏ କ୍ଷେତ୍ରରେ ଭୋଟିଂରୁ ଦୂରେଇ ରହିଥିବା ବିଧାୟକମାନେ ନିଜ ଦଳରୁ ବହିଷ୍କୃତ ହେବେ ଏବଂ ସେମାନଙ୍କ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ।
-ଦ୍ୱିତୀୟତଃ ବିଜେପି ବିରୋଧୀ ଦଳ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ କରିବ। ଅର୍ଥାତ୍‍ କଂଗ୍ରେସ କିମ୍ବା ଜେଡିଏସ୍‍ର ଦୁଇ-ତୃତୀୟାଂଶ ବିଧାୟକ ଯଦି ବିଜେପିକୁ ସମର୍ଥନ କରନ୍ତି, ତା’ହେଲେ ବିଜେପି ପାଇଁ ବିଜୟ ସହଜସାଧ୍ୟ ହେବ ଏବଂ ଏ କ୍ଷେତ୍ରରେ ଦଳବଦଳ ନିରୋଧ ଆଇନ ମଧ୍ୟ ଲାଗୁ ହେବ ନାହିଁ। ଏଭଳି ସ୍ଥିତିରେ କଂଗ୍ରେସର ୫୨ କିମ୍ବା ଜେଡିଏସ୍‍ର ୨୪ ବିଧାୟକ ବିଜେପିକୁ ସମର୍ଥନ କରିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ବିଜେପିକୁ ଯଥାକ୍ରମେ ୧୫୭ ଅଥବା ୧୨୯ ବିଧାୟକଙ୍କ ସମର୍ଥନ ମିଳିଯିବ।

Leave A Reply