ପତି-ପତ୍ନୀଙ୍କ ଚରିତ୍ର ଉପରେ ନିରାଧାର ଅଭିଯୋଗ ଆଣିବା ମାନସିକ କ୍ରୂରତା : ଅଦାଲତ

0

ବେଙ୍ଗାଲୁରୁ : ଏଣିକି ବିନାଆଧାରରେ ପତି ଏବଂ ପତ୍ନୀ ପରସ୍ପର ଚରିତ୍ର ଉପରେ ଅଭିଯୋଗ ଆଣିପାରିବେ ନାହିଁ। ବିନାପ୍ରମାଣରେ ଅଭିଯୋଗ କଲେ ପତି କିମ୍ବା ପତ୍ନୀଙ୍କୁ ଏହା ଓଲଟା ପଡ଼ିବ ଓ ଏହାକୁ ମାନସିକ କ୍ରୂରତା ବୋଲି ଧରାଯିବ ବୋଲି କର୍ଣ୍ଣାଟକ ହାଇକୋର୍ଟ ଏକ ଆବେଦନର ଶୁଣାଣି କରି ରାୟ ଦେଇଛନ୍ତି। ଏଭଳି ଏକ ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ପୁଣେର ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କ ଆବେଦନର ଶୁଣାଣି କରି ତାଙ୍କୁ ପତ୍ନୀକୁ ଛାଡ଼ପତ୍ର ଦେବାର ଅନୁମତି ପ୍ରଦାନ କରିଛନ୍ତି। ସଫ୍ଟୱେର ଇଞ୍ଜିନିୟରଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କ ବିରୋଧରେ ଆଣିଥିବା ଅଭିଯୋଗର ପ୍ରମାଣ ଦେଇପାରିନଥିଲେ। ଫଳରେ କୋର୍ଟ ପତିକୁ ଛାଡ଼ପତ୍ର ଦେବାକୁ ଅନୁମତି ଦେଇଛନ୍ତି। କର୍ଣ୍ଣାଟକ ହାଇକୋର୍ଟ ଜଷ୍ଟିସ୍‍ ବିନିତ କୋଠାରୀ ଏବଂ ଏସ୍‍ବି ପ୍ରଭାକର ଶାସ୍ତ୍ରୀଙ୍କ ଖଣ୍ଡପୀଠ ଶୁଣାଣି ବେଳେ କହିଥିଲେ ଯେ ଅଭିଯୋଗ ଲଗାଇବା ବେଳେ ମହିଳା ଜଣକ ଏହାକୁ ପ୍ରମାଣିତ କରିବାକୁ ପଡ଼ିବ ବୋଲି ଭାବିନଥିଲେ। ଏବେ ଅଭିଯୋଗର ସତ୍ୟତାକୁ ସେ ପ୍ରମାଣିତ କରିପାରୁନାହାନ୍ତି। ଚରିତ୍ର ଉପରେ ଅଣାଯାଇଥିବା ଗୁରୁତର ଅଭିଯୋଗକୁ ମାନସିକ କୃରତା ବୋଲି ଧରାଯିବ। ତେଣୁ ଖଣ୍ଡପୀଠ ପତିକୁ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଅନୁମତି ପ୍ରଦାନ କରୁଛନ୍ତି।
ଉଲ୍ଲେଖ ଯେ ମହିଳା ଜଣକ ନିଜ ସ୍ୱାମୀଙ୍କ ନାମରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ। ତାଙ୍କ ସ୍ୱାମୀ ଗଣ୍ଡଗୋଳିଆ ପ୍ରକୃତିର ଲୋକ ତେଣୁ ତାଙ୍କୁ ବେଙ୍ଗାଲୁରୁରୁ ପୁଣେକୁ ସ୍ଥାନାନ୍ତର କରାଯାଇଥିଲା ଓ ତାଙ୍କ ସ୍ୱାମୀ ତାଙ୍କୁ ମାଡ଼ ମାରି ଘରୁ ବାହାର କରିଦେଇଥିଲେ ବୋଲି ଅଭିଯୋଗରେ ଦର୍ଶାଇଥିଲେ। ଏହାସହ ତାଙ୍କ ସ୍ୱାମୀଙ୍କର ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବା ଅଭିଯୋଗ କରିଥିଲେ। ହେଲେ ସେ ଏହି ଅଭିଯୋଗର ସତ୍ୟତାକୁ ପ୍ରମାଣିତ କରିପାରିନଥିଲେ। ଏନେଇ ପୂର୍ବରୁ ପାରିବାରିକ କୋର୍ଟରେ ମାମଲାର ଶୁଣାଣି ହୋଇଥିଲା। ପାରିବାରିକ ଅଦାଲତ ଦମ୍ପତିଙ୍କ ପୁଅର ଖର୍ଚ୍ଚ ପାଇଁ ମହିଳାଙ୍କୁ ୭,୫୦୦ ଟଙ୍କା ଦେବାକୁ ତାଙ୍କ ସ୍ୱାମୀଙ୍କୁ ନିର୍ଦେଶ ଦେଇଥିଲେ। ଅଦାଲତ ଏହି ରାୟକୁ ବଜାୟ ରଖିଛନ୍ତି ଓ ଛାଡ଼ପତ୍ର ପାଇଁ ୧୦ ଲକ୍ଷ ଟଙ୍କା ଦେବାକୁ ସ୍ୱାମୀକୁ ନିର୍ଦେଶ ଦେଇଛନ୍ତି। ୨୦୦୩ ସେପ୍ଟେମ୍ବର ୫ରେ ସେମାନେ ବିବାହ କରିଥିଲେ। ୨୦୦୯ରୁ ସମସ୍ୟା ଆରମ୍ଭ ହୋଇଥିଲା। ସ୍ୱାମୀ ଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କ ପତ୍ନୀ ବାପଘରକୁ ଯାଇ ଆଉ ଫେରିନଥିଲେ। ପରେ ନିଜ ଓ ପୁଅ ଖର୍ଚ୍ଚ ଦାବିରେ ପାରିବାରିକ ଅଦାଲତରେ ଆବେଦନ କରିଥିଲେ। ଏନେଇ ସ୍ୱାମୀ ଜଣକ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Leave A Reply