ସମାଜ ଡିଜିଟାଲ ଡେସ୍କ: କାରଗିଲ ଯୁଦ୍ଧକୁ ଆଜି ୨୫ ବର୍ଷ ପୂରଣ ହୋଇଛି। ଏହି ଯୁଦ୍ଧର ଅନେକ କାହାଣୀ ରହିଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଯୁଦ୍ଧର କାହାଣୀ ଶୁଣାଇବୁ ନାହିଁ। ଶୁଣାଇବୁ ସେହି ଷଡ଼ଯନ୍ତ୍ରର କାହାଣୀ ଯାହା ପାଇଁ ଏହି ଯୁଦ୍ଧ ହୋଇଥିଲା। ସେହି ବିଶ୍ଵାସଘାତର କାହାଣୀ କହିବୁ, ଯାହା ଭାରତକୁ ବନ୍ଧୁତାର ହାତ ବଢ଼ାଇବା ପ୍ରତିବଦଳରେ ମିଳିଥିଲା।
ଯୁଦ୍ଧର ଠିକ ଏକ ବର୍ଷ ପୂର୍ବରୁ ଭାରତ ପରମାଣୁ ପରୀକ୍ଷଣ କରି ସାରା ଦୁନିଆକୁ ଚମକାଇ ଦେଇଥିଲା। ସେହି ଦିନ ଥିଲା ୧୯୯୮ ମସିହା ମେ ମାସ ୧୧ ଏବଂ ୧୩ ତାରିଖ। ଏହାର ୧୫ ଦିନ ପରେ ପାକିସ୍ତାନ ପରମାଣୁ ପରୀକ୍ଷଣ କରିଥିଲା। ଫଳରେ ଦୁଇ ପଡ଼ୋଶୀ ଦେଶ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ବନିଗଲେ।
ଏଣିକି ଦୁଇ ଦେଶ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ବଡ଼ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ଉପୁଜାଇଥିଲା। ତେଣୁ ଏକ ଦୂରଦର୍ଶୀ ରଣନୀତି ଅଧାରରେ ଭାରତ ପାକିସ୍ତାନ ସହିତ ସମ୍ପର୍କ ସୁଧାରିବାକୁ ଉଦ୍ୟମ କରିଥିଲା। ଏଥିପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୧୯୯୯ ଫେବୃୟାରୀରେ ଲାହୋରରେ ପହଞ୍ଚିଲେ। ଫେବୃୟାରୀ ୨୧ରେ ଦୁଇ ଦେଶ ମଧ୍ୟରେ ଏକ ବୁଝାମଣା ହୋଇଥିଲା। ଯାହାକୁ ଲାହୋର ରାଜିନାମା କୁହାଯାଏ। ଖୁବଶୀଘ୍ର କାଶ୍ମୀର ସମେତ ଅନ୍ୟାନ୍ୟ ପ୍ରସଙ୍ଗ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଦୁଇଦେଶ ସମ୍ମତି ପ୍ରକାଶ କଲେ। ଏପରି କି ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ୨୧ ତୋପ ସଲାମୀ ଦିଆଯାଇଥିଲା। କିନ୍ତୁ ଏସବୁ ପାକିସ୍ତାନ ନିଜର ମନ୍ଦ ଉଦ୍ଦେଶ୍ୟ ଲୁଚାଇବାକୁ କରିଥିଲା। ଗୋଟିଏ ପଟେ ଭାରତକୁ ବନ୍ଧୁତାର ହାତ ବଢ଼ାଇଥିଲା, ଅନ୍ୟପଟେ ପାକ୍ ସେନା ଭାରତ ଉପରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରିଥିଲା।
ପାକିସ୍ତାନ ସେନା ମୁଖ୍ୟ ପରଭେଜ ମୁଶରଫ ଏହି ଷଡ଼ଯନ୍ତ୍ରର ସୂତ୍ରଧର ଥିଲେ। ଷଡ଼ଯନ୍ତ୍ରର ନାଁ ଥିଲା ‘ଅପରେସନ ବଦ୍ରା’। ସେନାମୁଖ୍ୟ ସହିତ ପାକିସ୍ତାନ ସେନାର ବଡ଼ ଅଧିକାରୀମାନେ ମିଶି ଏହି ଯୋଜନା କରିଥିଲେ। ଯୋଜନା ଥିଲା ଶିମଲା ରାଜିନାମାକୁ ଉଲ୍ଲଂଘନ କରିବା।
ଶିମଲା ରାଜିନାମା ପରେ ସ୍ଥିର ହୋଇଥିଲା ଯେ, ଶୀତ ଦିନେ କାରଗିଲର ତାପମାତ୍ରା ବିଯୁକ୍ତ ୩୦ରୁ ୪୦ ଡିଗ୍ରୀକୁ ଖସିଯାଉଥିବାରୁ ଅକ୍ଟୋବର ମାସ ବେଳକୁ ଦୁଇ ଦେଶର ସେନା ନିଜ ସୈନିକଙ୍କୁ ଫେରାଇ ଆଣୁଥିଲେ। ଏହା ପରେ ମେ/ଜୁନ ମାସରେ ପୁନର୍ବାର ସେନା ମୁତୟନ କରୁଥିଲେ। ‘ଅପରେସନ ବଦ୍ରା’ରେ ରଚାଯାଇଥିବା ଷଡ଼ଯନ୍ତ୍ର ଅନୁସାରେ ୧୯୯୮ ଅକ୍ଟୋବରରେ ଭାରତୀୟ ସେନା ଯେତେବେଳେ ନିଜ ପୋଷ୍ଟ ଛାଡ଼ି ଫେରିଆସିଲେ, ସେତେବେଳେ ପାକ୍ ସେନା କିନ୍ତୁ ଯାଇ ନ ଥିଲେ। ଏହା ପରେ ଅନୁପ୍ରବେଶକାରୀ ପାକ୍ ସୈନିକମାନେ ଭାରତୀୟ ପୋଷ୍ଟକୁ କବଜା କରିନେଇଥିଲେ। ମୁଶରଫଙ୍କ ଯୋଜନା ଥିଲା ତାଙ୍କ ସେନା ଲେହ-ଶ୍ରୀନଗର ରାଜପଥ ଉପରେ କବଜା କରିନେବ, ଯାହାଦ୍ଵାରା ପାକିସ୍ତାନ ସିଆଚିନକୁ ନିଜ ଦଖଲକୁ ନେଇଯିବ।
ହଜିଯାଇଥିବା ଚମରୀ ଗାଈରୁ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ
୧୯୯୯ ମେ ୨ ତାରିଖ। ତାଶୀ ନାମଗ୍ୟାଲ ନାମକ ଜଣେ ଗୋପାଳକ ଥିଲେ। ଉକ୍ତ ଦିନ ତାଙ୍କର ଏକ ଚମରୀ ଗାଈ ହଜି ଯାଇଥିଲା। ତେଣୁ ସେ ନିଜ ଗାଈକୁ ଖୋଜିବାକୁ ବାହାରିଲେ। ସେହି ସମୟରେ ସେ କାରଗିଲ ପାହାଡ଼ରେ ଲୁଚିଥିବା ପାକ ସୈନିକଙ୍କୁ ଦେଖିଥିଲେ। ଏହା ପରଦିନ ଅର୍ଥାତ ମେ ୩ ତାରିଖରେ ସେ ଏ ସମ୍ପର୍କରେ ଭାରତୀୟ ସେନାକୁ ଖବର ଦେଇଥିଲେ।
ମେ ୧୯ରେ ଆରମ୍ଭ ହେଲା ‘ଅପରେସନ ବିଜୟ’
ମେ ୧୯ ସେହି ଦିନ ଥିଲା, ଯେଉଁଦିନ କାରଗିଲ ଯୁଦ୍ଧର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଥିଲା। ଦ୍ରାସ ସେକ୍ଟର ଉପରେ ନିଜ ଅଞ୍ଚଳକୁ କବଜାକୁ ନେବା ପାଇଁ ଏହି ଅପରେସନ ଆରମ୍ଭ ହୋଇଥିଲା। ଶତ୍ରୁମାନେ ଉଚ୍ଚ ସ୍ଥାନରେ ବସିଥିଲେ। ଆମ ସେନାକୁ ପାହାଡ଼ ଚଢ଼ିବାର ଥିଲା। ସେଥିଲାଗି ଶତ୍ରୁଙ୍କ ଟାର୍ଗେଟରୁ ବର୍ତ୍ତିବା ମୁସ୍କିଲ ଥିଲା। ଏହା ପରେ ତୋଲୋଲନ ପାହାଡ଼ଠାରୁ ଟାଇଗର ହିଲ୍ ପର୍ଯ୍ୟନ୍ତ ସବୁ ପୋଷ୍ଟରେ ଆମ ବୀର ଯବାନମାନେ କେବଳ କବଜା କରି ନ ଥିଲେ, ବରଂ ପାକିସ୍ତାନୀ ସେନାକୁ ମାଡ଼ ମାରି ତଡ଼ିଥିଲେ। ଭାରତୀୟ ସେନାର ବୋଫର୍ସ ତୋପ ଯୁଦ୍ଧର ପରିଭାଷା ବଦଳାଇ ଦେଇଥିଲା।
ଅପରେସନ ‘ସଫେଦ ସାଗର’ ପାକିସ୍ତାନ ଅଣ୍ଟା ଭାଙ୍ଗିଦେଇଥିଲା
୧୯୯୯ ମେ ୨୬ ତାରିଖରେ ଅପରେସନ ‘ସଫେଦ ସାଗର’ ଆରମ୍ଭ ହେଲା। ୨୭ ମେ’ରେ ଦୁଇଟି ଭାରତୀୟ ଯୁଦ୍ଧ ବିମାନକୁ ପାକିସ୍ତାନୀ ସେନା ଖସାଇ ଦେଇଥିଲା। ବିମାନ ଲେଫ୍ଟନାଣ୍ଟ କେ. ନଚିକେତାଙ୍କୁ ପାକିସ୍ତାନ ବନ୍ଦୀ କରିନେଲା। ସ୍କ୍ଵାର୍ଡ୍ରନ ଲିଡର ଅଜୟ ଆହୁଜା ଶହୀଦ ହେଲେ। ଏହା ପରେ ଭାରତ ନିଜ ରଣନୀତି ବଦଳାଇଥିଲା।
ଯୁଦ୍ଧ ବିମାନ ବଦଳରେ ବାୟୁସେନା ହେଲିକପ୍ଟର ବ୍ୟବହାର କଲା। ଏହି ହେଲିକପ୍ଟର ପାକ୍ ସେନାର ଆଡ୍ଡାକୁ ଟାର୍ଗେଟ କଲା। ଏହା ପରେ ଭାରତ ମିରାଜ ବିମାନ ଦ୍ଵାରା ପାକିସ୍ତାନୀ ସେନା ଉପରେ ଆକ୍ରମଣ କରିଥିଲା।
ନୌସେନାର ଅପରେସନ ‘ତଲଓ୍ବାର’
ନୌସେନା ନିଜର ଅପରେସନ ‘ତଲଓ୍ବାର’ ଆରମ୍ଭ କଲା। ପଶ୍ଚିମ ନାଭାଲ କମାଣ୍ଡ ଏବଂ ଦକ୍ଷିଣ ନାଭାଲ କମାଣ୍ଡ ଆରବ ସାଗରରେ ପାକିସ୍ତାନ ଉପରେ ନଜର ରଖିଲେ। ଜଳମାର୍ଗକୁ ଅବରୋଧ କରିଦିଆଗଲା। ଫଳରେ ପାକିସ୍ତାନକୁ ପେଟ୍ରୋଲିୟମ ଯୋଗାଣ ବନ୍ଦ ହୋଇଗଲା। ପରିସ୍ଥିତି ଏପରି ହେଲା ଯେ ପାକିସ୍ତାନ ନିକଟରେ ମାତ୍ର ୬ ଦିନର ପେଟ୍ରୋଲ ବଞ୍ଚି ରହିଲା। ଚାରିପଟୁ ଘେରାଯାଇଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ଶେଷରେ ସହାୟତା ପାଇଁ ଆମେରିକା ପହଞ୍ଚିଲେ।



