କଣ୍ଟାବାଞ୍ଜି: ତୁରେକେଲା ବ୍ଳକର ତୁରେକେଲା ଗାଁରେ ସାର୍ବଜନୀନ ଦୁର୍ଗାପୂଜା କମିଟି ତରଫରୁ ୫୨ତମ ମା’ ଦୁର୍ଗାଙ୍କ ପୂଜା ଧୁମଧାମରେ ପାଳିତ ହୋଇଯାଇଛି । ପ୍ରତିଦିନ କମିଟି ତରଫରୁ ମେଲଛାମୁଣ୍ଡାରୁ ଆସିଥିବା ରାମଲୀଳା, ନାଟ ଓ ଦଣ୍ଡନୃତ୍ୟର ଆୟୋଜନ କରାଯାଇଥିଲା । ବିଜୟା ଦଶମୀରେ ମା’ଙ୍କୁ ବିସର୍ଜନ ହୋମ କରିବା ପରେ ତୁରେକେଲା ଉଚ୍ଚ ବିଦ୍ୟାଳୟ ପାଖରେ ଥିବା ଖେଳପଡିଆରେ ପରମ୍ପରାରୁ ଚାଲି ଆସୁଥିବା ଲାଖବିନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ତୁରେକେଲା ଆଖପାଖ ଅଞ୍ଚଳର ଅନେକ ଭକ୍ତ ଲାଖବିନ୍ଧା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ବହୁତ ସମୟ ଲାଖବିନ୍ଧା ପରେ ତୁରେକେଲା ଗ୍ରାମର ଜୟକୃଷ୍ଣ ନାଏକ ଖମ୍ବରେ ଝୁଲୁଥିବା ନଡିଆକୁ ଶରବିଦ୍ଧ କରିଥିଲେ । କମିଟି ତରଫରୁ ତାଙ୍କୁ ନୂଆ ଧୋତି ଗାମୁଛା ଦେବା ସହିତ ଦୁଇ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ପୂଜାକୁ ସଫଳ କରିବାରେ କମିଟିର ସଭ୍ୟ ଶ୍ରୀ ଜଳନ୍ଧର ମହାକୁଡ, ସରପଂଚ, ଶ୍ରୀ ପ୍ରମୋଦ କୁମାର ମହାପାତ୍ର, ସମିତିସଭ୍ୟ, ହେମ ପଣ୍ଡା, କାନ୍ତ ମଲ୍ଲିକ, ସୁଦାମ ବେହେରା, ସତ୍ୟ ରାଉତ, ସତ୍ୟ କର,ହେମନ୍ତ ବଗର୍ତ୍ତୀ, ମୁଟୁ ବେହେରା, କୁମର ସାହୁ, ପୂର୍ଣ୍ଣ ନାଏକ, ବିରଂଚି ରାଉତ, ପ୍ରେମରାଜ ପାଣିଗ୍ରାହୀ ଆଦି ସହଯୋଗ କରିଥିଲେ । ଠିକ୍ ସେହିପରି ତୁରେକେଲା ନିକଟସ୍ଥ ବକବାହାଲ ନିକଟରେ ଥିବା ବନଦୁର୍ଗା ମନ୍ଦିରରେ ରିତିନୀତିରେ ଦୁର୍ଗା ମାଆଙ୍କ ପୂଜାର୍ଚ୍ଚନା ହୋଇଥିଲା । ପ୍ରତିଦିନ ଭକ୍ତ ମାନଙ୍କ ପାଇଁ ଭୋଗ ବ୍ୟବସ୍ଥା କରିବା ସହିତ ରାତିରେ ଦଣ୍ଡନୃତ୍ୟ, ନାଟକ ଆଦି କରାଯାଇଥିଲା ।



