ସମସ୍ୟା ଘେରରେ ମଣିଷ ଗଢ଼ା କାରଖାନା

କାମାକ୍ଷାନଗର: ଆଜିର ଶିଶୁ ଆସନ୍ତାକାଲି ଦେଶର ଭବିଷ୍ୟତ । ସେହି ଭବିଷ୍ୟତ ଆଜି ଅନ୍ଧକାର ବଳୟର ଗାଢ଼ ପରିଧି ମଧ୍ୟରେ ବନ୍ଦୀ ହୋଇ ଯାଇଛି । ଅପେକ୍ଷା କରିଛି ସେହି ଉଜ୍ଜ୍ୱଳ କିରଣର ଉଦ୍ଭାସିତ ମୁହୂର୍ତ୍ତକୁ । ଯେଉଁ ମୁହୂର୍ତ୍ତ ନୂଆ ଏକ ଦିଗବଳୟରେ ଆଶାର ଆଲୋକକୁ ଆଲୋକିତ ଏବଂ ସଂଚାରିତ କରିବ। ଦେଶର ଭବିଷ୍ୟତ ପାଇଁ ମଣିଷ ଗଢ଼ା କାରଖାନା ଆଜି ଅବହେଳିତ ହୋଇ ଅନ୍ଧକାର ମଧ୍ୟରେ ପଡିରହିଛି । ଏବଂ ସମସ୍ୟା ଘେରରେ ରହିଯାଇଛି କୁନି କୁନି ଛୁଆଙ୍କ ଭବିଷ୍ୟତ। ଏଭଳି ଘଟଣା ସାମ୍ନାକୁ ଆସିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରୁ।

ଢେଙ୍କାନାଳ ଜିଲ୍ଲା ରାଜ୍ୟର ୧୦ ଗୋଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ ଗୋଟିଏ । ବିକାଶ ପାଇଁ ସରକାର ଏହି ଜିଲ୍ଲାକୁ ସ୍ୱତନ୍ତ୍ର ସୁବିଧା ସୁଯୋଗ ସହ ବିକାଶ କ୍ଷେତ୍ରରେ ଗୁରୁତ୍ୱ ଦେଉଛନ୍ତି । ଶିଳ୍ପ କ୍ଷେତ୍ରରେ ଗୋଟିଏ ଅଗ୍ରଣୀ ଜିଲ୍ଲା ଭାବେ ପରିଚିତ ଢେଙ୍କାନାଳ ଆଜି ଶିଶୁଙ୍କ ଭବିଷ୍ୟତ ଗଢିବା ପାଇଁ ସଙ୍ଘର୍ଷମୟ । ଅବହେଳିତ ହୋଇପଡିଛି ଜିଲ୍ଲାର ସମସ୍ତ ମଣିଷ ଗଢ଼ା ଅନୁଷ୍ଠାନ । ଜିଲ୍ଲାରେ ରହିଛି ମୋଟ ୨ହଜାର ୨ଶହ ୨୦ଟି ଅଙ୍ଗନୱାଡ଼ି କେନ୍ଦ୍ର । ଜିଲ୍ଲାର ଯେଉଁ ୮ଗୋଟି ବ୍ଲକ ରହିଛି ସେମାନଙ୍କ ମଧ୍ୟରୁ ପରଜଙ୍ଗର ୨୧୨ଟି, ଭୁବନର ୨୭୦ଟି, କାମାକ୍ଷାନଗରର ୨୪୭ଟି, କଙ୍କଡାହାଡ଼ର ୨୧୯ଟି, ଗନ୍ଦିଆର ୨୭୦ଟି, ହିନ୍ଦୋଳର ୪୬୩ଟି, ଓଡାପଡାର ୨୯୮ଟି ଏବଂ ଢେଙ୍କାନାଳ ସଦର ବ୍ଲକର ୨୪୧ ଗୋଟି ଅଙ୍ଗନୱାଡ଼ି କେନ୍ଦ୍ର ରହିଛି । ତେବେ କାମାକ୍ଷାନଗର ଉପଖଣ୍ଡରେ ଥିବା ପ୍ରାୟ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରଗୁଡିକ ଅନ୍ଧାର ଭିତରେ ରହିଛି । ଆଜି ପର୍ଯ୍ୟନ୍ତ ଅଙ୍ଗନୱାଡ଼ି କେନ୍ଦ୍ରଗୁଡିକୁ ବିଦ୍ୟୁତ ସଂଯୋଗ ହୋଇପାରିଲା ନାହିଁ । ସରକାର ସମସ୍ତ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ ବିଦ୍ୟୁତ ସଂଯୋଗକୁ ଗୁରୁତ୍ୱ ଦେଉଥିବା ବେଳେ ଶିଶୁ ଗଢ଼ା ଅଙ୍ଗନୱାଡ଼ି କେନ୍ଦ୍ରଗୁଡିକ ପ୍ରତି ଏତେ ବୈମାତୃକ ଭାବନା କାହିଁକି ? କାହିଁକି ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଚୁପ ରହିଛି ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଛି ଜନସାଧାରଣଙ୍କ ମନରେ । ପ୍ରାୟ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ଅବସ୍ଥା ଶୋଚନୀୟ । ସମସ୍ୟା ଘେରରେ ଆଜି ବି ଗତି କରୁଛି ଏହି ମଣିଷ ଗଢ଼ା ଅନୁଷ୍ଠାନ । ଏଥିପ୍ରତି କାହାରି ବି ନଜର ନାହିଁ । କେଉଁଠି ପାନୀୟ ଜଳ ସମସ୍ୟା ତ କେଉଁଠି ଘର ଓ ରାସ୍ତା ସହିତ ପ୍ରାଚୀର ନାହିଁ ।

ସରକାରଙ୍କ ପଦକ୍ଷେପ ପରେ ପ୍ରାୟ କିଛି ଜାଗାରେ ଅଙ୍ଗନୱାଡ଼ି କେନ୍ଦ୍ରଗୁଡିକୁ ବିଦ୍ୟୁତ ସଂଯୋଗ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । କିଛି କେନ୍ଦ୍ରରେ ତାର ଓ ମିଟର ସଂଯୋଗ ହୋଇଛି, ମାତ୍ର ବିଦ୍ୟୁତ ସଂଯୋଗ ନାହିଁ । ବହୁତ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ବିଦ୍ୟୁତ ଓୟାରିଂ ହୋଇଛି, ମାତ୍ର ସଂଯୋଗ ନାହିଁ । ଏପରିକି କିଛି ସ୍ଥାନରେ ଭାଙ୍ଗି ରୁଜି ନଷ୍ଟ ହୋଇଗଲାଣି । ଅନେକ ସ୍ଥାନରେ ପୁରାତନ ଅଙ୍ଗନୱାଡ଼ି ଘରଗୁଡ଼ିକରେ ଆଜି ମଧ୍ୟ ପାଠପଢା ଚାଲିଛି । କେଉଁ ମୁହୂର୍ତ୍ତରେ ସେହି ଗୃହଗୁଡିକ ଭୁଶୁଡିଯିବ ତାହା କେହି କହିପାରିବେ ନାହିଁ । ତେବେ ଏ ନେଇ ଯଦି କୌଣସି ଅଘଟଣ ଘଟେ ସେଥିପ୍ରତି କିଏ ଦାୟୀ ରହିବ ? ସମସ୍ୟା ଘେରରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ଦାୟିତ୍ୱ ଓ ଗୁରୁତ୍ୱ ନିଆ ଯାଉନାହିଁ। ଯାଦ୍ବାରା ଆଶା ଆଶଙ୍କାରେ କୋମଳମତି ଶିଶୁଙ୍କ ଭବିଷ୍ୟତ ରହିଛି । ଏଥିପ୍ରତି ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଙ୍ଗନୱାଡ଼ି କେନ୍ଦ୍ରଗୁଡିକୁ ବିଦ୍ୟୁତ ସଂଯୋଗ ସହିତ ପାନୀୟ ଜଳର ସୁବିଧା, ଗୃହ ମରାମତି କିମ୍ବା ନୂତନ ଗୃହ ନିର୍ମାଣ, ପ୍ରାଚୀର ଆଦି ନିର୍ମାଣ ପ୍ରତି ଗୁରୁତ୍ୱ ରହିଛି । ଏପରିକି କାମାକ୍ଷାନଗର ବ୍ଲକ କୁସୁମଯୋଡି ଗାଁର ଅଙ୍ଗନୱାଡ଼ି କେନ୍ଦ୍ର ପରିସରରେ ବିଶାଳକାୟ ଅଶ୍ୱତ୍ଥ ବୃକ୍ଷ ଥିବାରୁ ବଡ଼ ବଡ଼ କାଠ ଖଣ୍ଡ ତଳେ ଖସି ପଡୁଥିବା ଅଭିଯୋଗ ହୋଇଛି । ସେହିପରି ମହୁଲି ଗାଁର ପୁରାତନ ଅଙ୍ଗନୱାଡ଼ି କେନ୍ଦ୍ରକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ସମାଜସେବୀ । ଏପରିକି ଭୁବନ ବ୍ଲକର ଜିରାଳ ସ୍ଥିତ ଅଙ୍ଗନୱାର୍ଡି କେନ୍ଦ୍ରଗୁଡିକ ବର୍ଷା ହେଲେ ପାଣି ଘେରରେ ରହିବା ସହିତ ଅଙ୍ଗନୱାଡ଼ି କେନ୍ଦ୍ର ଭିତରେ ପାଣି ଜମି ରହୁଥିବା ଅଭିଯୋଗ ହୋଇଛି । କାମାକ୍ଷାନଗର ବ୍ଲକ ସାରୁଆଳୀ ଗାଁରେ ଥିବା ଗୋଟିଏ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯିବାକୁ କୌଣସି ରାସ୍ତା ନଥିବା ଯୋଗୁଁ ପିଲାମାନେ ବିପଦସଙ୍କୁଳ ଭାବରେ ଯାତାୟତ କରୁଛନ୍ତି । ସମସ୍ୟା ଘେରରେ ଅନେକ ଅଙ୍ଗନୱାଡ଼ି କେନ୍ଦ୍ର ରହିଥିବା ବେଳେ ଅଧିକାଂଶ କେନ୍ଦ୍ରକୁ ବିଦ୍ୟୁତ ସଂଯୋଗ ନାହିଁ । ଅନ୍ଧକାର ଭିତରେ ଥିବା ଶିଶୁଙ୍କ ଭବିଷ୍ୟତକୁ ନେଇ ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ସ୍ଥାନୀୟ ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିଛି । କେବେ ଆଶା ଆଶଙ୍କାରେ ଥିବା ଏହି ମଣିଷ ଗଢ଼ା ଅନୁଷ୍ଠାନଗୁଡିକ ପ୍ରତି ସରକାରଙ୍କ ଦୃଷ୍ଟି କେବେ ପଡ଼ୁଛି ତାହାକୁ ହିଁ ଅପେକ୍ଷା ।

Comments are closed.