କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ଦାୟିତ୍ୱରେ ଥିବା ଅଧିକାରୀଙ୍କ ମନମୁଖୀ କାର୍ଯ୍ୟଧାରାରେ ରୋଗୀଙ୍କଠାରୁ ଆରମ୍ଭ କରି ଡାକ୍ତର ଓ କର୍ମଚାରୀଙ୍କ ମଧ୍ୟରେ ଏବେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦିଗମ୍ବର ସାହୁ ଦୈନିକ ଚିକିତ୍ସାଳୟରେ ରୋଗୀ ନ ଦେଖି ଚିକିତ୍ସାଳୟ ପରିସରରେ ଥିବା ନିଜ ବାସଭବନରେ ଅବିରତ ରୋଗୀ ଦେଖୁଛନ୍ତି। ଏଥିସହ ରୋଗୀଙ୍କଠାରୁ ୩ ଶହରୁ ଊର୍ଦ୍ଧ୍ବ ଫି’ ନେଇ ୩ ହଜାରରୁ ଊର୍ଦ୍ଧ୍ବ ଟଙ୍କାର ଔଷଧ ଲେଖୁଥିବାରୁ ସେସବୁ ଔଷଧ ଦୋକାନରୁ କିଣିବାକୁ ପାଖରେ ନିୟୋଜିତ କର୍ମଚାରୀ ପରାମର୍ଶ ମଧ୍ୟ ଦେଇଥା’ନ୍ତି। ସରକାରଙ୍କ ପ୍ରଦତ୍ତ ମାଗଣା ଔଷଧ ନିରାମୟ କେନ୍ଦ୍ରରୁ ରୋଗୀ ଔଷଧ ନ ନେଇ କର୍ମଚାରୀଙ୍କ ନିର୍ଦେଶକ୍ରମେ ବାହାରେ ଥିବା ଔଷଧ ଦୋକାନରୁ ଔଷଧ କିଣି ନୟାନ୍ତ ହେଉଛନ୍ତି। ପୁଣି ଚିକିତ୍ସାଳୟକୁ ଆସୁଥିବା ରୋଗୀମାନଙ୍କୁ ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀଙ୍କ ସହାୟତାରେ ବାସଭବନକୁ ଡକାଇ ସେଠାରେ ଦେଖୁଥିବାର ଅଭିଯୋଗ ହେଉଛି।
ଡାକ୍ତରଖାନାରେ ଅବସ୍ଥାପିତ ଡାକ୍ତରମାନଙ୍କୁ ବହିର୍ବିଭାଗରେ ୨ରୁ ୩ ଘଣ୍ଟା ଲେଖାଏଁ ରୋଗୀ ଦେଖିବାକୁ ପରାମର୍ଶ ଦେଉଥିବାବେଳେ ଡାକ୍ତରମାନେ ଏକାକୀ ୨ ଶହରୁ ଊର୍ଦ୍ଧ୍ବ ରୋଗୀ ଦେଖି ନୟାନ୍ତ ହୋଇ ପଡୁଥିବାର ଅଭିଯୋଗ ହେଉଛି। ମୁଖ୍ୟ ଚିକିତ୍ସାଧିକାରୀ ନିଜ ବାସଭବନରେ ରୋଗୀ ଦେଖୁଥିବାରୁ ଚିକିତ୍ସାଳୟ ସମ୍ଭାଳିବା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ। ବାସଭବନରେ ରୋଗୀ ଦେଖୁଥିବାବେଳେ ଔଷଧ ସହିତ ରୋଗୀର ପରୀକ୍ଷା ନିରୀକ୍ଷା ପାଇଁ ଚିକିତ୍ସାଳୟ ପରିସରରେ ପରୀକ୍ଷା ପାଇଁ ନକହି ବାହାରେ ଥିବା ପରୀକ୍ଷା କେନ୍ଦ୍ରକୁ ପଠାଇଥାନ୍ତି। ସରକାରଙ୍କ ପକ୍ଷରୁ ନିରାମୟ ଯୋଜନାରେ ଚିକିତ୍ସାଳୟ ପରିସରରେ ମାଗଣାରେ ଔଷଧ ବିତରଣର ବ୍ୟବସ୍ଥା ଥିବାବେଳେ ମୁଖ୍ୟ ଚିକିତ୍ସାଧିକାରୀ ବାହାରୁ ଔଷଧ କିଣିବାକୁ ନିର୍ଦେଶ ଦେଇ ଦୋକାନୀ ଏବଂ ଔଷଧ କମ୍ପାନୀକୁ ପୋଷିବା ଏକ ବେଉସାରେ ପରିଣତ କରିଥିବା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏଥିସହିତ ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୌରାତ୍ମ୍ୟରୁ ରକ୍ଷା ପାଇବା ପାଇଁ କେତେକ କର୍ମଚାରୀ ଏହି ଚିକିତ୍ସାଳୟରୁ ଅନ୍ୟତ୍ର ବଦଳି ହୋଇ ଯାଇଥିବାର ନଜିର ମଧ୍ୟ ରହିଛି। ଏ ସଂକ୍ରାନ୍ତ୍ରରେ ସହରର ବରିଷ୍ଠ ନାଗରିକମାନଙ୍କ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଥିବାବେଳେ ଉପଜିଲ୍ଲାପାଳ ଦିନମଣି ନାୟକ ଏଥିପ୍ରତି ଗୁରୁତ୍ୱ ଦେଇ ଯଥା ସମ୍ଭବ ପଦକ୍ଷେପ ନେବାପାଇଁ ପ୍ରକାଶ କରିଛନ୍ତି।



