କାମାକ୍ଷାନଗର: କାମାକ୍ଷାନଗର ଥାନା ବଡ଼ସୁଆଁଳ ପଞ୍ଚାୟତ ଅନ୍ତର୍ଗତ ଶିଆରିମାଳିଆ ଗ୍ରାମ ନିକଟରେ ଥିବା ଏକ ଆମ୍ବ ବଗିଚାକୁ କାମ କରିବାକୁ ଯାଇଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ରାଇବୋଲ ପଞ୍ଚାୟତ ଅନ୍ତର୍ଗତ ଚକାପାଳ ଗ୍ରାମର ରଞ୍ଜନ ପଧାନ। ରଞ୍ଜନ ଆମ୍ବ ବଗିଚାକୁ କାମ କରିବାକୁ ଯାଇଥିଲେ। ତାଙ୍କ ସ୍ତ୍ରୀ କବିତା ପଧାନ ରଞ୍ଜନଙ୍କ ସକାଶେ ଖାଇବାକୁ ନେଇ ଯାଇଥିବା ବେଳେ ସ୍ୱାମୀ ବିଦ୍ୟୁତ ବାଡ଼ ପାଖରେ ପଡି ରହିଥିବା ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ରଞ୍ଜନଙ୍କୁ ଉଦ୍ଧାର କରାଯାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏ ନେଇ ଚକାପାଳ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
ସେହିପରି କାମାକ୍ଷାନଗର ଥାନା ଅନ୍ତର୍ଗତ ବାଉଁଶପାଳ ଗ୍ରାମରେ ଗୁରୁବାର ଅପରାହ୍ନରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଗୁରୁତର ଭାବେ ଆହତ ହୋଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାର ଜଣାଯାଇଛି। ବାଉଁଶପାଳ ଗ୍ରାମର ବିନୋଦ ମହାନ୍ତିଙ୍କ ବାଡ଼ି ପଛପଟେ ଏକ ଆମ୍ବ ଗଛର ଡାଳ ଭାଙ୍ଗି ଯାଇଥିଲା। ଆମ୍ବ ଡାଳଟି ଏଲଟି ତାରରେ ଲାଗି ଥିବାର ବିନୋଦ ଜାଣି ନପାରି ଡାଳକୁ ଟାଣୁଥିବା ବେଳେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ଫଳରେ ବିନୋଦ ଗୁରୁତର ଭାବେ ଆହତ ହୋଇ ପଡ଼ିଥିଲେ। ଏହା ଦେଖି ଗ୍ରାମବାସୀ ତୁରନ୍ତ ବିନୋଦଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ବିଦ୍ୟୁତ୍ ଆଘାତରେ ଶ୍ରମିକ ମୃତ୍ୟୁ ଅଭିଯୋଗ ; ଅନ୍ୟ ଜଣେ ଗୁରୁତର
Popular Categories



