କଲ୍ୟାଣସିଂହପୁର: ଅନ୍ଧାରରେ ରାୟଗଡା ଜିଲ୍ଲା ନିୟମଗିରି ପାହାଡ଼ର ଅନେକ ଗାଁ। ବିଜୁଳି ଆଲୁଅ ସାତ ସପନ। ଦୁର୍ଦ୍ଦିନରେ ବିତୁଛି ଜୀବନ। ସନ୍ଧ୍ୟା ହେଲେ ଜୀବଜନ୍ତୁଙ୍କ ଭୟ।
ଅବ୍ୟବସ୍ଥାର ଶିକୁଳିରେ ବନ୍ଧା ହେବା ସତ୍ତ୍ୱେ ବୁଝୁଛନ୍ତି ଶିକ୍ଷାର ମହତ୍ତ୍ୱ। ତେଣୁ ବିନା ବିଜୁଳି ଆଲୁଅରେ ବି ସ୍ବପ୍ନ ଦେଖୁଛନ୍ତି ପିଲାଙ୍କୁ କିଭଳି ମଣିଷ କରିବେ। ଗାଁ ମଝିରେ ଜଳୁଛି ନିଆଁ, ଚାରିପାଖରେ ବସି ପାଠ ପଢୁଛନ୍ତି ଡଙ୍ଗରିଆ ଛାତ୍ରଛାତ୍ରୀ ଓ ସେହି ନିଆଁ ଆଲୁଅରେ ବସି ଖାଦ୍ୟ ଖାଆନ୍ତି ପରିବାର ଲୋକେ। ଏ ଦୃଶ୍ୟ ହେଉଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ନିୟମଗିରି ପାହାଡ ଆଦିମ ଜନଜାତି ଡଙ୍ଗରିଆ ଗାଁ ଲାଖପଦର ଓ ପଟାଙ୍ଗ ପଦରରେ।
ପିଲାମାନେ ପାଠ ପଢିବାକୁ ହେଲେ ଜାଳେଣି ଆଲୁଅ ଏକ ମାତ୍ର ବିକଳ୍ପ କାରଣ ପିଡ଼ିଏସରେ ଆଉ କିରୋସିନ ମିଳୁନାହିଁ। ଏଥି ସକାଶେ ଡିବିରି ଲାଗିପାରୁନାହିଁ। ଯାହା ସୋଲାର ଲାଇଟ ଦିଆ ଯାଇଥିଲା ଅଧିକାଂଶ ଅଚଳ ହୋଇରହିଛି। ପାରସାଲି ସୁନାଖଣ୍ଡି ଓ ପୋଲମା ପଞ୍ଚାୟତର ୪୦ଖଣ୍ଡ ଗାଁ ମଧ୍ୟରୁ ୧୨ ଖଣ୍ଡ ଗାଁ ଆଜି ଯାଏଁ ବିଜୁଳି ପହଞ୍ଚି ନାହିଁ। କେବଳ ଯେ ବିଜୁଳି ଆଲୁଅ ନୁହେଁ ପିଇବା ପାଣିର ମଧ୍ୟ ସମାନ ଅବସ୍ଥା, ପାହାଡିଆ ଝରଣା ପାଣିକୁ ବ୍ୟବହାର କରନ୍ତି ଗାଁ ଲୋକେ । ଆଦିମ ଜନଜାତି ନିୟମଗିରି ଡଙ୍ଗରିଆଙ୍କ ସହରୀ ଜୀବନ ଶୈଳୀ ଠାରୁ ସମ୍ପୂର୍ଣ୍ଣ ଅଲଗା। ରୋଜଗାର କହିଲେ ଜଙ୍ଗଲୀ ଜାତ ଦ୍ରବ୍ୟ ସଂଗ୍ରହ କରି କଲ୍ୟାଣସିଂହପୁର ଓ ମାଝୀଗୁଡା ସାପ୍ତାହିକ ବଜାରକୁ ନେଇ ବିକ୍ରି ବଟା କରି ସେଥିରୁ ଯାହା ଟଙ୍କା ମିଳିଲା ତାହା ତେଲ, ଲୁଣ ଓ ଶୁଖୁଆ କିଣି ଆଣିଥାନ୍ତି। ଖାଦ୍ୟ ପିଡ଼ିଏସ ଚାଉଳ ସହ ଜଙ୍ଗଲୀ ଶାଗ ବା ଜଙ୍ଗଲୀ ଫଳମୂଳ ବ୍ୟବହାର କରିଥାନ୍ତି।
ଏ ମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ୧୯୮୭ ମସିହାରେ ସ୍ୱତନ୍ତ୍ର ବିଭାଗ ଡଙ୍ଗରିଆ କନ୍ଧ ଉନୟନ ସଂସ୍ଥା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ତା ସହ ୨୦୧୯ ମସିହାରୁ ଆଜି ଯାଏଁ ଓପିଲିପି ସଂସ୍ଥା ମାଧ୍ୟମରେ ପ୍ରଚୁର ଅର୍ଥ ଖର୍ଚ୍ଚ କରାଯାଇଛି। କିନ୍ତୁ ଡଙ୍ଗରିଆଙ୍କ ବିଶେଷ କିଛି ଉନ୍ନତି ହୋଇପାରିନାହିଁ। ବିଭିନ୍ନ ମୌଳିକ ସମସ୍ୟା ନେଇ ତତ୍କାଳୀନ ସରକାର ନିକଟରେ ବହୁବାର ଗୁହାରୀ ସତ୍ୱେ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ନିୟମଗିରି ସୁରକ୍ଷା ସମିତି ସଭାପତି ଲଦ ସିକକା ସମେତ ଗାଁ ଲୋକେ ।



