ଜଗନ୍ନାଥପୁର ୫-ଟି ଉଚ୍ଚବିଦ୍ୟାଳୟ ଦୁର୍ନୀତିର ତଦନ୍ତ ଦାବି କଲେ ଅଭିଭାବକ

କଲ୍ୟାଣସିଂହପୁର: ସରକାରୀ ଉଚ୍ଚବିଦ୍ୟାଳୟରେ ପାଠପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ମାନର ଶିକ୍ଷା ଓ ପରିବେଶ ପ୍ରଦାନ କରିବା ପାଇଁ ଗୋଟିଏ ବିଦ୍ୟାଳୟ ପିଛା ୪୫ ଲକ୍ଷ ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି ସରକାର। ବାସ୍ତବରେ ସରକାରୀ ବାବୁମାନେ ଆଖିରେ ନଦେଖିଲେ ବିଶ୍ଵାସ କରି ହେବନାହିଁ। ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକର ଜଗନ୍ନାଥପୁର ଉଚ୍ଚବିଦ୍ୟାଳୟକୁ ୫-ଟିରୁ ୪୫ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା। ବିଦ୍ୟାଳୟ ପକ୍ଷରୁ ୬ ଲକ୍ଷ ଟଙ୍କା ପ୍ରଧାନଶିକ୍ଷକ ବିଦ୍ୟାଳୟ ପାଇଁ ଖର୍ଚ୍ଚ କରିବାକୁ ଅନୁମତି ରହିଥିବାବେଳେ ୩୯ ଲକ୍ଷ ଟଙ୍କା ବ୍ଲକର ବିଡିଓଙ୍କ ଜମା ଖାତାରେ ଜମା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାର ସୁଯୋଗ ନେଇ ବ୍ଲକର ଯନ୍ତ୍ରୀମାନେ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି କରିବାକୁ ପଛାଇ ନାହାନ୍ତି କହିଲେ ଭୁଲ୍ ହେବନାହିଁ। ବ୍ଲକ କାର୍ଯ୍ୟାଳୟ କନିଷ୍ଠ ଯନ୍ତ୍ରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇ କାର୍ଯ୍ୟ ଆରମ୍ଭ କରିଥିଲେ। ଯେଉଁ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା କାର୍ଯ୍ୟ, ତାହା ପ୍ରକୃତରେ ପିଲାଙ୍କ ପାଇଁ ସାଧିତ ହୋଇପାରିଲା ନାହିଁ। ୫-ଟି ବିଦ୍ୟାଳୟରେ ଜେଣତେଣ ନିମ୍ନମାନର କାର୍ଯ୍ୟ ହୋଇ ଲାଇବ୍ରେରୀ ଓ ସ୍ମାର୍ଟ ଶ୍ରେଣୀ ଗୃହ ଦୁଇଟି ସମ୍ପୂର୍ଣ୍ଣ ହୋଇଥିବାବେଳେ ବିଜ୍ଞାନ ଲ୍ୟାବ୍ ଅସମ୍ପୂର୍ଣ୍ଣ ରହିଛି।

ସେହିଭଳି ପିଇବା ପାଣି ବ୍ୟବସ୍ଥା ହୋଇଥିଲେ ମଧ୍ୟ ନିମ୍ନମାନର ଟ୍ୟାପ୍‌  ଯୋଗୁ ଅନବରତ ପାଣି ବାହାରି ଯାଉଛି। ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟାଳୟ ପରିସର ସୌନ୍ଦର୍ଯ୍ୟକରଣ ହୋଇନି। ବିଦ୍ୟାଳୟରେ ତିନୋଟି ଶ୍ରେଣୀଗୃହ ରଙ୍ଗ କରାଯାଇଥିବା ବେଳେ କାର୍ଯ୍ୟାଳୟ ଗୃହଗୁଡ଼ିକରେ ରଙ୍ଗ ଟିକିଏ କରାଯାଇ ନଥିବାରୁ ଭଙ୍ଗା କାନ୍ଥରେ ସେମିତି ରହିଛି। ସେହିପରି ମୁଖ୍ୟ ଫାଟକ ମୂଳରୁ ନିର୍ମାଣ କରାଯାଇ ନଥିବାରୁ ତତ୍କାଳୀନ ଯନ୍ତ୍ରୀ କୁଆଡେ ମିଥ୍ୟା ବିଲ୍ କରି ଚାଲିଗଲେ ବୋଲି ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ କଳ୍ପନା ସୁନାନୀ ଓ ଅଭିଭାବକ ସଭାପତି ବିନୋଦ ନାଗ ସନ୍ଦେହ ପ୍ରକାଶ କରି ବିଡିଓ ରାଜୀବ ଦାସଙ୍କ ନିକଟରେ ଅଭିଯୋଗ କରିଛନ୍ତି। କୁଆଡ଼େ ବିଡିଓ ଶ୍ରୀ ଦାସ କହିଲେ ମୁଁ ନୂଆରେ ଆସିଛି, ଫାଇଲ ଦେଖି କହିବି ବୋଲି କହିଛନ୍ତି ବୋଲି ଶ୍ରୀମତୀ ସୁନାନୀ ପ୍ରକାଶ କରିଛନ୍ତି। ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବରୁ ପିଲା ବାରଣ୍ଡାରେ ପାଠପଢିବାକୁ ବାଧ୍ୟ ହେଉଛନ୍ତି। ପାଚେରୀରେ ନିମ୍ନମାନର ରଙ୍ଗ କରାଯାଇଥିବାରୁ ରଙ୍ଗ ଆଉ ଦେଖାଯାଉନି। ସୌନ୍ଦର୍ଯ୍ୟକରଣ ଆଦୌ କରାଯାଇ ନଥିବାରୁ ୫-ଟି ବିଦ୍ୟାଳୟ ବୋଲି ଦେଖା ଯାଉନାହିଁ ବୋଲି ପିଲାମାନେ ଅଭିଯୋଗ କରିଛନ୍ତି। ସମସ୍ତ କାର୍ଯ୍ୟରେ ମହା ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ବିଦ୍ୟାଳୟ ପରିଚାଳନା ସଭାପତି ବିନୋଦ ନାଗ। ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛନ୍ତି ଅଭିଭାବକମାନେ। ଏ ସମ୍ପର୍କରେ ବ୍ଲକ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ ପଚାରିବାରୁ ଅଫିସ କାର୍ଯ୍ୟାଳୟର ରଙ୍ଗ ହେବ ଗେଟ ହେବ ଆଉ କିଛି କାମ ବାକି ଅଛି କରାଯିବ ବୋଲି କହିଛନ୍ତି। ପୂର୍ବରୁ ଯେଉଁ ଯନ୍ତ୍ରୀ ଥିଲେ ଆଜିଯାଏ ଭଲକରି କାଗଜ ପତ୍ର ଦାଖଲ କରି ନାହାନ୍ତି ତେଣୁ ବିଳମ୍ବ ହୋଇଛି। କାମ ସମ୍ପୂର୍ଣ୍ଣ କରିବା ପାଇଁ ଚେଷ୍ଟା ଚାଲିଛି ବୋଲି ସବ୍ୟସାଚୀ ନାୟକ କହିଛନ୍ତି।

Comments are closed.