କଳାପଥର: ବାଙ୍କୀ ଥାନା ଅନ୍ତର୍ଗତ ଢଁସର ଗ୍ରାମର ମଠ ପୋଖରୀକୁ ଗାଧେଇବାକୁ ଯାଉଥିବାବେଳେ ଜଣେ ବୃଦ୍ଧଙ୍କ ଉପରେ ହାଇୱା ଚଢିଯାଇଛି। ଫଳରେ ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି। ମୃତକ ଜଣକ ଢଁସର ଗ୍ରାମର ଭୀମସେନ ପ୍ରଧାନ(୬୫)।
ସୂଚନା ଅନୁସାରେ, ବାଙ୍କୀ ସୁନାଦେଇ ବାଲିଘାଟର କାଗଜପତ୍ର ଠିକ୍ ନଥିବାରୁ ଚୋରାରେ ବାଲିଘାଟ ଚାଲୁଛି। ଯଦ୍ୱାରା ହାଇୱା ଚାଳକ ଦ୍ରୁତ ଗତିରେ ଗାଡି ଚଳାଉଛନ୍ତି। ସୁନାଦେଇ ବାଲିଘାଟରୁ ଚୋରି ବାଲି ବାଙ୍କୀ-ସିମର ରାସ୍ତାରେ ଆନ୍ଧ୍ରପ୍ରଦେଶ ଚାଲାଣ ହେଉଛି। ମାଇନିଂ ବିଭାଗ ସୁନାଦେଇ ବାଲିଘାଟ ଉପରେ ଚଢ଼ାଉ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
ଅନ୍ୟ ପକ୍ଷରେ ଧକ୍କା ଦେଇ ଫେରାର ହାଇୱା ଚାଳକ ସମେତ ମାଲିକଙ୍କୁ ଗିରଫ କରି କଠୋର ଦଣ୍ଡ ଦେବାକୁ ଶତାଧିକ ଗ୍ରାମବାସୀ ରାସ୍ତା ଅବରୋଧ କରି ମୃତ ପରିବାରଙ୍କୁ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ଘଟଣା ସ୍ଥଳରେ ବାଙ୍କୀ ଆଇଆଇସି ଦିଲ୍ଲୀପ ଭୂୟାଁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବାଙ୍କୀ ଟାଉନରେ ଲାଗିଥିବା ସିସିଟିଭିର ତଦାରଖ କରୁଛନ୍ତି।



