କଲମପୁର :କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଥମିବାର ନା ନେଉନି ଝାଡାବାନ୍ତି ରୋଗ। ଦିନ କୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ସହ ବୃଦ୍ଧି ପାଉଛି ମୃତକଙ୍କ ସଂଖ୍ୟା। ସାଧାରଣତଃ ବ୍ଲକର ଅଗମ୍ୟ ଅଞ୍ଚଳ ଗୁଡିକରେ ଏହା ବ୍ୟାପୁଥିବା ସୂଚନା ଆସୁଛି।ଗତ ୬ ଦିନ ମଧ୍ୟରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଣି ବ୍ଲକର ଇନ୍ଦ୍ରାବତୀ ଜଳଭଣ୍ଡାର ଦ୍ବାରା ଜଳବନ୍ଦୀ ଭାବେ ପରିଚିତ ପୋଡାପଦର ପଞ୍ଚାୟତର ଭିତରଡୁଙ୍ଗା ଗ୍ରାମର ଝାଡ଼ା ବାନ୍ତି ରୋଗରେ ଆକ୍ରାନ୍ତ ହେଇଥିବା ଘାସେନ ମାଝୀ(୬୫)ଙ୍କ ବୁଧବାର ସଂଧ୍ୟାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଏଥିସହିତ ଏହି ଗ୍ରାମରେ ବର୍ତ୍ତମାନ ଅନେକ ଆକ୍ରାନ୍ତ ଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ପୋଡାପଦର ପଞ୍ଚାୟତର ପୁର୍ବତନ ସରପଞ୍ଚ ମଣି ମାଝୀ(୨୮) ଏବଂ ମୃତକ ଘାସେନ ମାଝୀଙ୍କ ବୋହୁ ସମାଏ ମାଝୀ(୪୦) ମଧ୍ୟ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ପଡିରହିଥିବା ବେଳେ ମଣି ମାଝୀଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ବୋଟ ଅ।ମ୍ବୁଲାନ୍ସ୍ ଯୋଗେ ଜଳଭଣ୍ଡାର ଆରପାରିରେ ଥିବା ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି। ଏହି ଦୁର୍ଗମ ଜଳବନ୍ଦୀ ଅଞ୍ଚଳକୁ ଗମନାଗମନର ସୁବ୍ୟବସ୍ଥା ନଥିବା ବେଳେ ଭଙ୍ଗା ଦଦରା ଦେଶୀ ଡଙ୍ଗା ଏବଂ ସରକାରୀ ଯନ୍ତ୍ର ଚାଳିତ ଡଙ୍ଗା ଉପରେ ଭରସା । ଏପରି ସ୍ଥଳେ ସ୍ବାସ୍ଥ୍ୟ ସେବା ମଧ୍ୟ ଅପହଞ୍ଚ। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଏହି ଅଞ୍ଚଳର ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ସେବା ଯୋଗାଇବା ଜରୁରୀ ଅଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ପୁଣି ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳରେ ଝାଡାବାନ୍ତି ରୋଗରେ ଜଣେ ମୃତ ; ଅନେକ ଆକ୍ରାନ୍ତ
Popular Categories



