କଲମପୁର: ଗ୍ରାମବାସୀଙ୍କ ଦ୍ବାରା ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ ସତ୍ତ୍ବେ ନିର୍ମାଣ କାର୍ଯ୍ୟଚାଲୁ ରଖିବା ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ପରବର୍ତ୍ତି ସମୟରେ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସହ ସ୍ଥାନୀୟ ଜିଲା ପରିଷଦ ସଭ୍ୟା ଦୂହିତା ମାଝୀଙ୍କୁ ଅଟକ ରଖିବା ଭଳି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି।
ସୂଚନା ଅନୁସାରେ କଲମପୁର ସମିତି ଅଧିନରେ ଡୁମେରମୁଣ୍ଡା ଠାରୁ ବଡକୁଟ୍ରୁକୁ ସଂଯୋଗ କରୁଥିବା ରାସ୍ତାରେ ଗତ କିଛି ଦିନ ତଳେ ମନରେଗା ଯୋଜନାରେ ମେଟାଲ ମରୁମ ବିଛାଇ ରାସ୍ତା କାମ କରାଯାଇଥିଲା। ଯାହାରି କିଛି ପ୍ରାପ୍ୟ ବକେୟା ରହିଛି। ଏଭଳି ସ୍ଥିତିରେ ପୁଣି ସରକାରୀ ଅନୁଦାନରେ ସେହି ରାସ୍ତାରେ ମରୁମ ବିଛାଇବା କାର୍ଯ୍ୟ ସରକାର କା ମାଲ ଦରିଆ ମେ ଡାଲ ଭଳି ମନେହୁଏ।
କିନ୍ତୁ ଏହି ରାସ୍ତାରେ ମରୁମ ବଦଳରେ ଚୁଇ ଏବଂ ଚିକିଟା ମାଟି ବିଛା ଯାଉଥିଲା। ଯାହାକୁ ଗ୍ରାମବାସୀ ବିରୋଧ କରିଥିଲେ। ଏହାସହ ସଠିକ କାମ କରିବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ଗ୍ରାମବାସୀଙ୍କ ବାରଣକୁ ଖାତିରନକରି ମରୁମ ବଦଳରେ ମାଟି ବିଛାଇ କାର୍ୟ୍ୟ ସମ୍ପାଦନ କରୁଥିବାରୁ ଗୁରୁବାର ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଅସନ୍ତୁଷ୍ଟ ଗ୍ରାମବାସୀ ସଂଘବଦ୍ଧ ଭାବେ ରାସ୍ତା ନିର୍ମାଣରେ ନିୟୋଜିତ ଶ୍ରମିକଙ୍କୁ କାମ ବନ୍ଦ କରିବା ପାଇଁ କହିଥିଲେ। ସେହିସମୟରେ ସେହି ରାସ୍ତା ଦେଇ ଯାଉଥିବା ଜିଲା ପରିଷଦ ସଭ୍ୟା ଦୂହିତା ମାଝୀଙ୍କୁ ଅସନ୍ତୁଷ୍ଟ ଗ୍ରାମବାସୀ ଅଟକାଇଥିଲେ।
ଏହାସହ ରାସ୍ତାର ମାନ ନେଇ ପ୍ରଶ୍ନ କରିଥିଲେ ଲୋକଙ୍କ ଭାବାବେଗକୁ ବୁଝି ଜିଲା ପରିଷଦ ସଭ୍ୟା ଶ୍ରୀମତୀ ମାଝୀ ତୁରନ୍ତ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ସମେତ ରାସ୍ତା ନିର୍ମାଣ ଦାିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ପିତାମ୍ବର ହେମ୍ବ୍ରମଙ୍କୁ ଜଣାଇଥିଲେ। ଉଭୟ ଘଟଣାସ୍ଥଳରେ ପହଞ୍ଚିବା ପରେ ବିଡିଓ ଶ୍ରୀ ମାଣ୍ଡାଙ୍ଗି ଅସନ୍ତୁଷ୍ଟ ଗ୍ରାମବାସୀଙ୍କୁ ବୁଝାଇଥିଲେ। ଏହାସହ ଯେଉଁସ୍ଥାନରେ ମୋରମ ବଦଳରେ ମାଟି ବିଛା ଯାଇଛି ତାକୁ କାଢି ମୋରମ ଦେବା ସହ ସଠିକ ଭାବେ ରୁଲର ଚାପ ଦେଇ ସମତୂଲ କରିବା ପାଇଁ କନିଷ୍ଟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଅସନ୍ତୁଷ୍ଟ ଗ୍ରାମବାସୀ ନିଜ ଆନ୍ଦୋଳନରୁ ଓହରି ଥିଲେ।



