କଲମପୁର : ଲଗାଣ ବର୍ଷାର ପ୍ରଭାବ ଯୋଗୁଁ ଗୁରୁବାର ବିଳମ୍ବିତ ରାତ୍ରୀରେ କଲମପୁର ବେଲପଡାରେ ରହୁଥିବା ଜନୈକ ବ୍ୟକ୍ତିଙ୍କ ମାଟି କାନ୍ଥ ଘର ଭାଙ୍ଗି ଯାଇଛି। କିନ୍ତୁ ପରିବାର ଲୋକେ ସୌଭାଗ୍ୟ ବସତଃ ଅଳ୍ପକେ ବର୍ତି ଯାଇଛନ୍ତି।
ସୂଚନା ଅନୁସାରେ ବେଲପଡାରେ ରହୁଥିବା ପ୍ରଶାନ୍ତ ମହାପାତ୍ର ଜଣେ ଅତ୍ୟନ୍ତ ଗରିବ ଲୋକ। ପୁଣି ବର୍ଷକ ତଳେ ତାଙ୍କର ଗୋଡ ଭାଙ୍ଗି ଯିବା ଯୋଗୁଁ ସେ ଏବେ ଭିନ୍ନକ୍ଷମ। କୌଣସି କାର୍ଯ୍ୟ କରିବାର ତାଙ୍କର ସାମର୍ଥ୍ୟ ନାହିଁ। ଏଭଳି ସ୍ଥିତିରେ ତାଙ୍କର ଘର ଭାଙ୍ଗିଯିବା ଯୋଗୁଁ ସେ ଅସହାୟ ହେଇ ପଡିଛନ୍ତି। ଏବେ ତାଙ୍କ ଘର ଭାଙ୍ଗିଯିବା ଯୋଗୁଁ ସେ କେଉଁଠାରେ ଆଶ୍ରୟ ନେବେ ସେଇ ଚିନ୍ତାରେ ଚିନ୍ତିତ। ସରକାର ମାଟିକାନ୍ଥର ଘର ଥିବା ପରିବାର ଲୋକଙ୍କୁ ଗ୍ରାମୀଣ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରି ଘର ନିର୍ମାଣ ପାଇଁ ସହାୟତା ପ୍ରଦାନ କରି ଆସୁଛନ୍ତି। କିନ୍ତୁ ଅନେକ ବାର ତାଲିକା ଭୁକ୍ତ ହେଇଥିଲେ ମଧ୍ୟ ପ୍ରଶାନ୍ତଙ୍କ ଭାଗ୍ୟରେ ଜୁଟୁ ପାରୁନାହିଁ ଘର ଖଣ୍ଡିକ। ଶେଷ ମୂହୁର୍ତରେ ବାଦ ପଡିଛନ୍ତି ଆବାସ ଯୋଜନାର ତାଲିକାରୁ। ସମାଜରେ ସ୍ୱଚ୍ଛଳ ବର୍ଗର ଲୋକ ଆବାସ ଯୋଜନାରେ ସାମିଲ ହେବାର ନଜର ରହିଥିବା ବେଳେ ଏଭଳି ଜଣେ ଅସହାୟ ପରିବାର କେଉଁ କାରଣରୁ ବାଦ ପଡୁଛି ତାହା ଅନୁସନ୍ଧାନ ସାପେକ୍ଷ। କେବଳ ପ୍ରଶାନ୍ତ ନୁହେଁ ଅନେକ ଗରିବ ପରିବାର ଆବାସ ଯୋଜନାରୁ ବଂଚିତ ହେଉଛନ୍ତି। ଯାହା ପ୍ରତ୍ୟେକ ଜନ ଅଭିଯୋଗ ଶୁଣାଣୀ ଶିବିରରେ ଆସୁଥିବା ଅଭିଯୋଗରୁ ଅନୁଶିଳନ କଲେ ଜଣା ପଡିବ।
ବାରମ୍ବାର ଘର ଖଣ୍ଡିଏ ପାଇଁ ସେ ନିଜେ ଏବଂ ତାଙ୍କ ସ୍ତ୍ରୀ ପ୍ରଶାସନ ନିକଟରେ ଜଣାଇଛନ୍ତି। ଏପରିକି ନିଜ ନାମ ତାଲିକା ଭୁକ୍ତ ମଧ୍ୟ ହେଇଥିବା ଓ ପରବର୍ତି ସମୟରେ ତାଲିକାରୁ ବାଦ ପଡିବା ଯୋଗୁଁ ଘରଖଣ୍ଡିଏ ନିର୍ମାଣ ପାଇଁ ସହାୟତାରୁ ବଂଚିତ ହେଇଥିବା ସୁଚନା ଦେଇଛନ୍ତି ପ୍ରଶାନ୍ତ। ଅନ୍ୟପଟେ ତହସିଲଦାରଙ୍କ ମାଧ୍ୟମରେ ଘର ଭଙ୍ଗାର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବି.ଡି.ଓ ବିଜୟ କୁମାର ମାଣ୍ଡାଙ୍ଗି ମତବ୍ୟକ୍ତ କରିଛନ୍ତି। ଅନ୍ୟପଟେ ତୁରନ୍ତ ଘଟଣାର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ତହସିଲଦାର ରୁଦ୍ରମୋହନ ନାୟକ ମତବ୍ୟକ୍ତ କରିଛନ୍ତି।
ଲଗାଣ ବର୍ଷାରେ ଭାଙ୍ଗିଲା ଘର ; ଅଳ୍ପକେ ବର୍ତିଲେ ପରିବାର ,ଆବାସ ଯୋଜନାକୁ ଅପେକ୍ଷା
Popular Categories



