ମାଆ ମାନଙ୍କ ବିକାଶ ହେଲେ ରାଜ୍ୟ ସମୃଦ୍ଧ ହେବ – ୫ଟି ସଚିବ

କଲମପୁର : ଯେତେବେଳେ କଳାହାଣ୍ଡିରେ ବନ୍ୟା ନେଇ ଆଲୋଚନା ହୁଏ, ସେତେବେଳେ କଲମପୁର ବ୍ଲକ ଚର୍ଚ୍ଚାର ପରିଧିକୁ ଆସିଥାଏ। ୨୦ ବର୍ଷ ତଳେ ୨୦୦୩ ମସିହାରେ ଯେତେବେଳେ ୫ଟି ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତିକେୟନ ପାଣ୍ଡିଆନ ଧର୍ମଗଡ ଉପଜିଲ୍ଲାପାଳ ଭାବେ ନିୟୋଜିତ ଥିଲେ, ସେହି ସମୟରେ ହାତୀ ନଦୀର ଭୟାବହ ବନ୍ୟା ଦେଖା ଦେଇଥିଲା। ଯାହାର ପ୍ରକୋପରେ କଲମପୁର ଅଂଚଳର ୧୦ ଖଣ୍ଡ ଗାଁ ଜଳମଗ୍ନ ହୋଇ ଥିଲା। ବ୍ୟାାପକ କ୍ଷତି ହୋଇଥିଲା । ତତ୍କାଳୀନ ଉପଜିଲ୍ଲାପାଳ ଶ୍ରୀ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କ୍ଷତିଗ୍ରସ୍ତ ଲୋକ ସହାୟତା ପାଇଥିଲେ। ସେକଥାକୁ ପୁଣି ଥରେ କଲମପୁର ଗସ୍ତରେ ଆସି ଶ୍ରୀ ପାଣ୍ଡିଆନ ମନେ ପକାଇଥିଲେ। ଏହାପରେ ଅଂଚଳ ତଥା ରାଜ୍ୟର ବିକାଶ କରିବାକୁ ହେଲେ ମାଆ ମାନଙ୍କ ବିକାଶ ହେବା ଆବଶ୍ୟକ। ମାଆ ମାନଙ୍କ ବିକାଶ ହେଲେ ରାଜ୍ୟ ସମୃଦ୍ଧ ହେବ ବୋଲି କଲମପୁର ଗସ୍ତ ଅବସରରେ ଶ୍ରୀପାଣ୍ଡିଆନ ମତବ୍ୟକ୍ତ କରିଛନ୍ତି।
ଶନିବାର ସକାଳୁ ଥୁଆମୁଳ ରାମପୁର ଗସ୍ତ ଶେଷ କରି ଏକ ହେଲିକେପ୍ଟର ଯୋଗେ ଆସି କଲମପୁର ଅମୋହମଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅସ୍ଥାୟୀ ହେଲିପ୍ୟାଡ ଠାରେ ଅବତରଣ କରିଥିଲେ। କ୍ରୀଡା ଓ ଯୁବ ବ୍ୟାପାର କମିଶନର ତଥା ସଚୀବ ଆର. ଭିନିନଲ କ୍ରୀଷ୍ଣା, ଜିଲ୍ଲାପାଳ ପି.ଅନ୍ୱେଷା ରେଡି ପ୍ରମୁଖ ଅଧିକାରୀ ଶ୍ରୀ ପାଣ୍ଡିଆନଙ୍କ ସହ ଉପସ୍ଥିତ ରହିଥିଲେ। ହେଲିକପ୍ଟରରୁ ସମସ୍ତ ଅଧିକାରୀ ଅବତରଣ କରିବା ପରେ କଲମପୁର ବି.ଡି.ଓ ବିଜୟ କୁମାର ମାଣ୍ଡାଙ୍ଗି ଏବଂ ତହସିଲଦାର ରୁଦ୍ର ମୋହନ ନାୟକ ସ୍ୱାଗତ ଜଣାଇଥିଲେ।

ଏହାପରେ ସମସ୍ତ ଅଧିକାରୀ କଲମପୁର ମିନିଷ୍ଟାଡିୟମ୍ ସଭାସ୍ଥଳକୁ ଯାଇଥିଲେ। ସେଠାରେ ସମିତି ଅଧ୍ୟକ୍ଷା ମୋତି ବିହାରୀ ସ୍ୱାଗତ ଜଣାଇବା ସହ କଲମପୁର ବ୍ଲକ ଅଂଚଳର ପ୍ରମୁଖ ସମସ୍ୟାର ସମାଧାନ ପାଇଁ ୫ଟି ସଚିବଙ୍କୁ ଅନୁରୋଧ ପତ୍ର ପ୍ରଦାନ କରିଥିଲେ। ଶ୍ରୀ ପାଣ୍ଡିଆନ ଅଂଚଳର ବିକାଶ ନେଇ ଉପସ୍ଥିତ ଜନ ସାଧାରଣଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଯୁବ ବର୍ଗର ଆବଶ୍ୟକତାକୁ ଦୃଷ୍ଟି ଦେଇ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପ ସମ୍ବନ୍ଧରେ ଆଲୋକପାତ କରିବା ସହ କଲମପୁର ମିନିଷ୍ଟାଡିୟମ୍ ର ବିକାଶ ନେଇ ଘୋଷଣା କରିଥିଲେ। ଏହାପରେ କଲମପୁର ଅମୋହମଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଉନ୍ନତିକରଣ ତଥା ରୁପାନ୍ତରିକରଣ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ଘୋଷଣା କରିଥିଲେ। ଏହାପରେ କଲମପୁର ଅଂଚଳର ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ସହ ମଠ ମନ୍ଦିରର ବିକାଶ ନେଇ ଅନେକ ଅନୁରୋଧ ପତ୍ର ପ୍ରଦାନ କରାଯାଇଥିଲା। ବିଶେଷ କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପାଇଥିଲେ ମଧ୍ୟ ଅଦ୍ୟାବଧି ମାତ୍ର ୬ ଗୋଟି ସ୍ୱୀକୃତ ଶଯ୍ୟା ରହିଛି। ଯାହା ରୋଗୀଙ୍କ ତୁଳନାରେ ଅତ୍ୟନ୍ତ ନ୍ୟୁନ। କେବଳ କଲମପୁର ନୁହେଁ ଜୟପାଟଣା, ଜୁନାଗଡ ଏବଂ ଥୁଆମୁଳ ରାମପୁର ଅଂଚଳର ଲକ୍ଷାଧିକ ଲୋକ କଲମପୁର ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରି ଆସୁଛନ୍ତି। ତେଣୁ ଏହାର ବିକାଶ ନିତାନ୍ତ ଆବଶ୍ୟକ ବୋଲି ଜନ ସାଧାରଣ ଦାବି କରିଛନ୍ତି। ଲୋକଙ୍କ ଅଭିଯୋଗ ଏବଂ ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ବହୁ ଶୀଘ୍ର ସୁଫଳ ପାଇବେ ବୋଲି ଶ୍ରୀ ପାଣ୍ଡିଆନ ଆଶ୍ୱସନା ଦେଇଥିଲେ। ଏହାପରେ ମିନିଷ୍ଟାଡିୟମ୍ ରୁ ବାହାରି ଶ୍ରୀ ପାଣ୍ଡିଆନ କାରଯୋଗେ ଜୟପାଟଣା ଅଭିମୁଖେ ଯାତ୍ରା କରିଥିଲେ।
୫ଟି ସଚିବ ଭି.କେ. ପାଣ୍ଡିଆନ ସକାଳୁ ଥୁଆମୁଳ ରାମପୁର ଗସ୍ତ ସାରି ହେଲିକେପ୍ଟର ଯୋଗେ କଲମପୁର ଅମୋହମଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅସ୍ଥାୟୀ ହେଲିପ୍ୟାଡ ଠାରେ କ୍ରୀଡା ଓ ଯୁବ ବ୍ୟାପାର ସଚିବ ଆର. ଭିନିଲକ୍ରୀଷ୍ଣା ଏବଂ ଜିଲ୍ଲାପାଳ ପି. ଅନ୍ୱେଷା ରେଡିଙ୍କ ସହ ଅବତରଣ କରି ଏକ କାର ଯୋଗେ ମିନିଷ୍ଟାଡିମ୍ ସଭାସ୍ଥଳକୁ ଯାଇଥିଲେ। ସେ ଏଠାରେ ସଭା କାର୍ଯ୍ୟ ଶେଷ ହେବା ପରେ ପୁଣି ଏକ କାର ଯୋଗେ ଜୟପାଟଣା ଅଭିମୁଖେ ଯାତ୍ରା କରିଥିଲେ। ହେଲିକେପ୍ଟର କିନ୍ତୁ ସମସ୍ତ ଅଧିକାରୀଙ୍କ ଅବତରଣ ପରେ କଲମପୁର ଠାରୁ ଅନ୍ୟତ୍ର ଫେରିଯାଇଥିଲା। ୫ଟି ସଚୀବ ପାଣ୍ଡିଆନଙ୍କୁ ଘୁମୁରା ଏବଂ ବିଭିନ୍ନ ବାଜା ସହ ମହିଳା ମାନଙ୍କ ହୁଳହୁଳିରେ ସ୍ୱାଗତ କରାଗଲା।

Comments are closed.