ଦାଦନ ଖଟିବାକୁ ଯାଇ ଫେରିଲାନି ସ୍ୱାମୀ

କଲମପୁର: ଦାଦନ ପାଇଁ କଳାହାଣ୍ଡି ଚର୍ଚ୍ଚିତ। ଏବେବି ରାଜ୍ୟ ବାହାରକୁ ପ୍ରତିଦିନ ଚାଲାଣ ହେଉଛନ୍ତି ଦାଦନ। କିନ୍ତୁ କିଏ ଫେରୁଛି ତ କିଏ ଶବ ହେଇ ଫେରୁଛି ପୁଣି କିଏ ହାତ ଗୋଡ କଟା ହେଇ ଅତ୍ୟନ୍ତ ନିର୍ଯ୍ୟାତିତ ଅବସ୍ଥାରେ ଗାଁ ମାଟିକୁ ଫେରି ଆସୁଛନ୍ତି। ପୁଣି କିଏ କିଏ ସବୁଦିନ ପାଇଁ ନିଖୋଜ ହୋଇଯାଉଛନ୍ତି। ଯାହାର ଉଦାହରଣ କଲମପୁର ବ୍ଲକ ଅଧିନସ୍ଥ ଖଙ୍ଗାରଗୁଡା ଗ୍ରାମର ଭିଷ୍ମ କାଣ୍ଡ। ଘରର ଆର୍ଥିକ ଅବସ୍ଥା ଦୂର ପାଇଁ ନିଜ ସାଥି ଦାଦନଙ୍କ ସହ ଗତ ୯ ବର୍ଷ ତେଳେ ଦାଦନ ଖଟିବା ପାଇଁ ଯାଇଥିଲା ରାଜ୍ୟ ବାହାରକୁ। ଯିବା ପୂର୍ବରୁ ପରିବାର ଲୋକଙ୍କୁ କହିଯାଇଥିଲା ଅଧିକ କିଛି ରୋଜଗାର କରିବି। ସେହି ଟଙ୍କା ଆଣି ପରିବାର ସଠିକ୍ ଭାବେ ପ୍ରତିପୋଷଣ କରିବି। କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ କିଛି ଦିନ କାମ କରିବା ପରେ ସାଥିରେ ଥିବା ଶ୍ରମିକ ଘରକୁ ବାହୁଡି ଆସିଥିଲେ କିନ୍ତୁ ଭୀଷ୍ମ ନିଖୋଜ। କେଉଁଠି ନିଖୋଜ ହେଲା ସେନେଇ କାହା ପାଖରେ ସଠିକ୍ ଉତ୍ତର ନାହିଁ। ତା’ର ସୁରାକ ପାଇଁ ଅନେକଙ୍କ ଦ୍ୱାରସ୍ଥ ହେଇଛି ସ୍ତ୍ରୀ ଜୈମନୀ। କିନ୍ତୁ ଫଳ ଶୂନ। ଘରେ ଦୁଇ ପୁଅ ଦମୁ ଓ ମକରନ୍ଦ। ମକରନ୍ଦ ଭିନ୍ନକ୍ଷମ। ଅନ୍ୟପଟେ ଦମୁ ମଧ୍ୟ ଏବେ ଦାଦନ ଖଟିବାକୁ ଚାଲିଯାଇଛି। ପୁଅ ସମାଜିକ ସୁରକ୍ଷା ଯୋଜନାରୁ ପାଉଥିବା ଭିନ୍ନକ୍ଷମ ଭତ୍ତା ଓ ଖାଦ୍ୟ ସୁରକ୍ଷା ଯୋଜନାରୁ ମିଳୁଥିବା ଚାଉଳ ଗଣ୍ଡାକ ସେମାନଙ୍କ ସାହାରା। ମା’ ଜୈମନୀ ପର ଘରେ ମୂଲ ଲାଗି ଯାହା ଉପାର୍ଜନ କରେ; ସେଥିରେ ଉଭୟ ମା’ ଓ ପୁଅ ଚଳିଯାଉଛନ୍ତି। ଭୀଷ୍ମ ଏବେ କେଉଁଠି କେଉଁ ଅବସ୍ଥାରେ ? ଜୀବିତ ନାଁ ମୃତ ସେନେଇ ପରିବାର ଆଶା ଓ ଆଶଙ୍କାରେ।
ସରକାର ଦାଦନ ସମସ୍ୟା ରୋକିବା ପାଇଁ ମନରେଗା ଭଳି ଶ୍ରମ ଭିତ୍ତିକ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ଶ୍ରମିକଙ୍କ ସ୍ୱାର୍ଥ ସାଧାନ ହେଉ ନାହିଁ। ଅନେକ ସମୟରେ ମଜୁରୀ ପାଇବା ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି। ଏହାସହ ବଜାର ଦର ବୃଦ୍ଧି ପାଉଥିଲେ ମଧ୍ୟ ଶ୍ରମିକଙ୍କ ପାରିଶ୍ରମିକରେ ସେଭଳି କିଛି ବୃଦ୍ଧି ପାଉନଥିବାରୁ ଶ୍ରମିକ ପରିବାର ସବୁ ଆର୍ଥିକ ସମସ୍ୟାରେ ସନ୍ତୁଳିତ ହେଉଛନ୍ତି। ତେଣୁ ଅନେକେ ଯୁବକ ରାଜ୍ୟ ବାହଗାରକୁ ଦାଦନ ଖଟିବାକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି। ଏପରିକି କଳାହାଣ୍ଡିର କେଉଁ ଗାଁର କେତେ ଶ୍ରମିକ ରାଜ୍ୟ ବାହାରେ କାମ କରୁଛନ୍ତି ସେନେଇ ଶ୍ରମ ବିଭାଗ ଠାରେ ତଥ୍ୟ ନାହିଁ। ଯାହା ପରିତାପର ବିଷୟ । ଦଲାଲ ମାଧ୍ୟମରେ ଶ୍ରମିକ ଚାଲାଣ ହେଉଥିବାରୁ ଏଭଳି ସମସ୍ୟା ଦେଖା ଦେଉଛି। ତେଣୁ ଶ୍ରମ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଇ ପଦକ୍ଷେପ ନେଲେ ଶ୍ରମିକଙ୍କ ସମସ୍ୟା ଦୂର ହୋଇପାରନ୍ତା।

kalyan agarbati

Comments are closed.