ଆଫଗାନିସ୍ତାନ ସ୍ଥିତି ଉପରେ ଆମେରିକା ସତର୍କ ଦୃଷ୍ଟି ରଖିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କିଛିଦିନ ମଧ୍ୟରେ ପୁଣି ଦେଶବାସୀଙ୍କୁ ଉଦବୋଧନ ଦେଇ ସେଠାରୁ ଆମେରିକା ସେନା ପ୍ରତ୍ୟାହାର ନିଷ୍ପତ୍ତିକୁ ଯଥାର୍ଥ ବୋଲି କହିଛନ୍ତି। ଅନ୍ୟପକ୍ଷରେ ବାଇଡେନ କହିଛନ୍ତି, ଯେ ଅଗଷ୍ଟ ୧୪ ସୁଦ୍ଧା ଆଫଗାନିସ୍ତାନରୁ ମୋଟ୍ ୧୮,୦୦୦ ଲୋକଙ୍କୁ ବିମାନରେ ସ୍ଥାନାନ୍ତର କରାଯାଇଛି। ସେହିପରି ଆମେରିକା ସରକାର ହଜାର ହଜାର ଲୋକଙ୍କୁ ଘରୋଇ ଚାର୍ଟର ବିମାନରେ ସ୍ଥାନାନ୍ତରର ସୁବିଧା କରିଛନ୍ତି।
ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ଦେଶବାସୀଙ୍କୁ ଟେଲିଭିଜନ ଭାଷଣରେ କହିଛନ୍ତି ଯେ, ସେ କାବୁଲର ବିମାନ ବନ୍ଦରରୁ ଜରୁରୀକାଳୀନ ସ୍ଥାନାନ୍ତରର ଶେଷ ଫଳାଫଳ ନେଇ କୌଣସି ଗ୍ୟାରେଣ୍ଟି ଦେଇ ପାରିବେ ନାହିଁ । ହ୍ବାଇଟ ହାଉସର ଏକ ଟେଲିଭିଜନ ଭାଷଣରେ ବାଇଡେନ କହିଛନ୍ତି ଯେ, ବିମାନ ମାଧ୍ୟମରେ ସ୍ଥାନାନ୍ତର ମଧ୍ୟରୁ ଏହା ଇତିହାସର ସବୁଠାରୁ ବଡ଼, କଷ୍ଟସାଧ୍ୟ କାର୍ଯ୍ୟ। ତେବେ ଅନ୍ତିମ ଫଳାଫଳ କ’ଣ ହେବ ମୁଁ ପ୍ରତିଶୃତି ଦେଇ ପାରିବି ନାହିଁ।
ରାଷ୍ଟ୍ରପତି କହିଛନ୍ତି ଯେ ଅଗଷ୍ଟ ୧୪ ରୁ ଆଫଗାନିସ୍ତାନରୁ ଆମେରିକା ସେନା ୧୩,୦୦୦ ଲୋକଙ୍କୁ ଏବଂ ଜୁଲାଇ ସଂଖ୍ୟାକୁ ମିଶାଇଲେ ୧୮,୦୦୦ ଲୋକଙ୍କୁ ବିମାନ ମାଧ୍ୟମରେ ସ୍ଥାନାନ୍ତର କରାଯାଇଛି। ହଜାର ହଜାର ଲୋକଙ୍କୁ ଘରୋଇ ଚାର୍ଟର ବିମାନରେ ସ୍ଥାନାନ୍ତର ନେଇ “ଆମେରିକା ସରକାର ସୁବିଧା କରିଛନ୍ତି”। ପଳାଇ ଆସୁଥିବା ଲୋକମାନଙ୍କ ମଧ୍ୟରେ ଆମେରିକାର ନାଗରିକଙ୍କ ପରିବାର ସଦସ୍ୟ, ସ୍ୱତନ୍ତ୍ର ଇମିଗ୍ରେସନ୍ ଭିସା ଆବେଦନକାରୀ ଏବଂ ସେମାନଙ୍କ ପରିବାର ଏବଂ ଅନେକ ଆଫଗାନିସ୍ତାନ ନାଗରିକ ଅନ୍ତର୍ଭୁକ୍ତ।
ଏହାପୂର୍ବରୁ ବାଇଡେନ ଏବଂ ଉପ-ରାଷ୍ଟ୍ରପତି କମଲା ହାରିସ ଜାତୀୟ ସୁରକ୍ଷା ଦଳ ସହ ଆଲୋଚନା କରି ଆଫଗାନିସ୍ତାନର ସର୍ବଶେଷ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।



