www.samajalive.in
Sunday, December 14, 2025
19.1 C
Bhubaneswar

ସେଫିଲ୍ଡ ସିଲଡ୍‍ରେ ବଲ୍‍ ଟାମ୍ପରିଂର ପ୍ରୟାସ କରିଥିଲେ ସ୍ମିଥ୍‍, ୱାର୍ଣ୍ଣର !

ସିଡ଼ନୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ୩ୟ ଟେଷ୍ଟ ମ୍ୟାଚ୍‍ରେ ବଲ୍‍ ଟାମ୍ପରିଂ ପ୍ରୟାସ କରି କ୍ରିକେଟ୍‍ରୁ ୧୨ ମାସ ପାଇଁ ବାସନ୍ଦ ହୋଇଛନ୍ତି ଅଷ୍ଟ୍ରେଲିଆର ଷ୍ଟିଭେନ୍‍ ସ୍ମିଥ୍‍ ଓ ଡେଭିଡ୍‍ ୱାର୍ଣ୍ଣର। ତେବେ ଏହି ଦୁଇ ଖେଳାଳି ୨୦୧୬ରେ ଅଷ୍ଟ୍ରେଲିଆର ଘରୋଇ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ସେଫିଲ୍ଡ ସିଲଡ୍‍ର ଏକ ମ୍ୟାଚ୍‍ରେ ବଲ୍‍ ଟାମ୍ପରିଂ ପାଇଁ ପ୍ରୟାସ କରିଥିଲେ ବୋଲି ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସ୍ମିଥ୍‍ ଓ ୱାର୍ଣ୍ଣର ସେଫିଲ୍ଡ ସିଲଡ୍‍ରେ ନ୍ୟୁ ସାଉଥ୍‍ ୱେଲ୍‍ସ ତରଫରୁ ଭିକ୍ଟୋରିଆ ଦଳ ବିରୋଧରେ ଏକ ମ୍ୟାଚ୍‍ ଖେଳୁଥିବା ବେଳେ ବଲ୍‍ ଟାମ୍ପରିଂ କରିବାକୁ ଚେଷ୍ଟା କରୁଥିବା ମ୍ୟାଚ୍‍ ରେଫରୀ ଡାରେଲ୍‍ ହାର୍ପର ଅନୁଭବ କରିଥିଲେ। ସେ ସ୍ମିଥ୍‍ଙ୍କୁ ପାଖକୁ ଡାକି କ୍ରିକେଟ୍‍ର ମର୍ଯ୍ୟାଦା ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଘଟଣା ସଂପର୍କରେ ହାର୍ପର କ୍ରିକେଟ୍‍ ଅଷ୍ଟ୍ରେଲିଆ ମ୍ୟାଚ୍‍ ରେଫରୀ ଓ ଅମ୍ପାୟାର ମନୋନୟନ କମିଟି ମ୍ୟାନେଜର ସାଇମନ୍‍ ଟଫେଲ୍‍ଙ୍କୁ ଇ-ମେଲ୍‍ ମାଧ୍ୟମରେ ଜଣାଇଥିଲେ। ତେବେ ଏ ସଂପର୍କରେ କମିଟି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଷ୍ଟିଭ୍‍ ଅଷ୍ଟ୍ରେଲିଆ ଜାତୀୟ ଦଳର ଅଧିନାୟକ ଭାବେ ଦାୟିତ୍ୱ ତୁଲାଉଥିବାରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ଭବତଃ କମିଟି ଚାହୁଁନଥିଲା। ତେବେ ମ୍ୟାଚ୍‍ର ପରବର୍ତ୍ତୀ ୩ ଦିନରେ ହାର୍ପରଙ୍କ ଆଖିରେ ବଲ୍‍ ଟାମ୍ପରିଂ ଉଦ୍ୟମର ଅନ୍ୟ କୌଣସି ଘଟଣା ପଡ଼ିନଥିଲା। ସେହି ମ୍ୟାଚ୍‍ରେ ନ୍ୟୁ ସାଉଥ୍‍ ୱେଲ୍‍ସ ଦଳ ପରାସ୍ତ ହେବା ପରେ ସ୍ମିଥ୍‍ ପରାଜୟ ପାଇଁ ପଡ଼ିଆର ସ୍ଥିତିକୁ ଦାୟୀ କରିଥିଲେ। ସ୍ମିଥ୍‍ ଓ ୱାର୍ଣ୍ଣରଙ୍କ ବିରୋଧରେ ବଲ୍‍ ଟାମ୍ପରିଂ ଉଦ୍ୟମର ନୂଆ ଅଭିଯୋଗ ସମାଲୋଚକଙ୍କୁ ଚର୍ଚ୍ଚାର ନୂଆ ଖୋରାକ ଯୋଗାଇବ ବୋଲି କୁହାଯାଉଛି। ସ୍ମିଥ୍‍ ଓ ୱାର୍ଣ୍ଣର ୧୨ ମାସ ପାଇଁ କ୍ରିକେଟ୍‍ରୁ ବାସନ୍ଦ ହୋଇଥିବା ବେଳେ ଦଳର ମୁଖ୍ୟ ପ୍ରଶିକ୍ଷକ ଡାରେନ୍‍ ଲିମ୍ୟାନ୍‍ ଦକ୍ଷିଣ ଆଫ୍ରିକା ବିପକ୍ଷ ୪ର୍ଥ ଟେଷ୍ଟ ପରେ ନିଜ ପଦରୁ ଅବସର ନେବେ ବୋଲି ଘୋଷଣା କରି ସାରିଛନ୍ତି। ଯଦିଓ ବଲ୍‍ ଟାମ୍ପରିଂରେ ଲିମ୍ୟାନ୍‍ଙ୍କ କୌଣସି ଭୂମିକା ନ ଥିଲା ବୋଲି କ୍ରିକେଟ୍‍ ଅଷ୍ଟ୍ରେଲିଆ ସ୍ପଷ୍ଟ କରି ସାରିଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories