ଯୁଯୁମୁରାରୁ ମାନେଶ୍ୱର ପର୍ଯ୍ୟନ୍ତ ଜାତୀୟ ରାଜପଥ ମରାମତି ଦାବି 

ସମ୍ବଲପୁର – ସମ୍ବଲପୁରରୁ କଟକ ପର୍ଯ୍ୟନ୍ତ ଯାଇଥିବା ଜାତୀୟ ରାଜପଥ ସମ୍ପ୍ରସାରଣ କରାଯାଇ ବିକାଶ କରାଯାଉଛି । ତେବେ ବର୍ଷ ବର୍ଷ ଧରି କାର୍ଯ୍ୟ ଚାଲୁଥିବା ବେଳେ ସେଥିରେ ଆଖିଦୃଶିଆ ଅଗ୍ରଗତି ପରିଲକ୍ଷିତ ହେଉ ନ ଥିବାରୁ ଅଞ୍ଚଳବାସୀ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି । ଏଣୁ ଯୁଯୁମୁରା ଆଞ୍ଚଳିକ ସଡକ ସୁରକ୍ଷା କମିଟି ତରଫରୁ ସମ୍ବଲପୁର ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଜାତୀୟ ରାଜପଥର ମରାମତି କରିବା ପାଇଁ ଦାବି କରିଛନ୍ତି ।

 

ସୋମବାର ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ଜାତୀୟ ରାଜପଥର ସମ୍ପ୍ରସାରଣ ଓ ବିକାଶ କାର୍ଯ୍ୟ ଚାଲିଥିବା ବେଳେ ଯୁଯୁମୁରା ରୁ ମାନେଶ୍ୱର ପର୍ଯ୍ୟନ୍ତ ରାସ୍ତା ଖାଲଖମା ମଧ୍ୟରେ ଭର୍ତ୍ତି ହୋଇ ରହିଛି । ବାରମ୍ବାର ଦାବି ପରେ କିଛି ଦିନ ତଳେ ମାତ୍ର ଦୁଇଟି ସ୍ଥାନରେ ମରାମତି କରାଯାଇ କାମ ବନ୍ଦ କରି ଦିଆଯାଇଛି । ପୂର୍ବରୁ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଥିବା ରାସ୍ତାଟି ବର୍ଷା ଯୋଗୁଁ ଅତ୍ୟନ୍ତ ବିପଦଜନକ ସ୍ଥିତିରେ ରହିଛି । ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି । ଏଣୁ ତୁରନ୍ତ ଏହି ରାସ୍ତାର ସଠିକ ମରାମତି କରାଯାଉ ବୋଲି କମିଟି ଦାବି କରିଛି । ନଚେତ ଆଗାମୀ ଦିନରେ ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ପ୍ରଶାସନକୁ ଚେତାବନୀ ଦିଆଯାଇଛି । ପ୍ରଦତ୍ତ ଦାବିପତ୍ରରେ ସୁରେଶ୍ୱର ପ୍ରଧାନ, ସୁଶୀଲ କୁମାର ବେହେରା, ମନ୍ଦାକିନୀ ବିଶ୍ୱାଳ, ନନ୍ଦ ରଞ୍ଜିତ ଙ୍କ ସମେତ ଅଞ୍ଚଳବାସୀ ମାନଙ୍କର ଦସ୍ତଖତ ରହିଛି ।

Comments are closed.