ଇସ୍ତଫା ଅଗ୍ରାହ୍ୟ, କାର୍ଯ୍ୟରେ ଯୋଗଦେଲେ ଜଷ୍ଟସ୍ ରବିନ୍ଦର ରେଡ୍ଡୀ
ହାଇଦ୍ରାବାଦ : ମକ୍କା ମସ୍ଜିଦ୍ ବିସ୍ଫୋରଣ ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ ଘୋଷଣା କରିବା ପରେ ନିଜ ପଦରୁ ଇସ୍ତଫା ଦେଇଥିବା ବିଚାରପତି କେ. ରବିନ୍ଦର ରେଡ୍ଡୀଙ୍କ ଇସ୍ତଫା ପତ୍ର ଅଗ୍ରାହ୍ୟ ହୋଇଯାଇଛି। ହାଇକୋର୍ଟ ତାଙ୍କର ଇସ୍ତଫା ଏବଂ ୧୫ ଦିନ ଛୁଟି ଆବେଦନକୁ ମଧ୍ୟ ଅଗ୍ରାହ୍ୟ କରିଦେଇଛନ୍ତି। ଏହାପରେ ବିଚାରପତି ରେଡ୍ଡୀ ଚତୁର୍ଥ ମେଟ୍ରୋପଲିଟାନ ଦୌରା କୋର୍ଟରେ ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି। ହାଇକୋର୍ଟ ତାଙ୍କ ଇସ୍ତଫା ଅଗ୍ରାହ୍ୟ କରିବାର କାରଣ ଜଣାପଡି ନାହିଁ। ସୋମବାର ମକ୍କା ମସ୍ଜିଦ ବିସ୍ଫୋରଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ ପରେ ବ୍ୟକ୍ତିଗତ କାରଣ ଏବଂ ତେଲଙ୍ଗାନାବାସୀଙ୍କ ପ୍ରତି ଅନ୍ୟାୟ ପ୍ରତିବାଦ ଦର୍ଶାଇ ବିଚାରପତି ଇସ୍ତଫା ଦେଇଥିଲେ ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡିଛି। କିନ୍ତୁ ତାଙ୍କର ଏଭଳି ପଦକ୍ଷେପକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଗତବର୍ଷ ଏକ ଜାଲିଆତି ମାମଲାରେ କଡପାର ଜଣେ ରିଅଲ୍ଇଷ୍ଟେଟ୍ ବ୍ୟବସାୟୀଙ୍କୁ ଅନ୍ତରୀଣ ଜାମିନ ପ୍ରଦାନରେ ଦୁର୍ନୀତି କରିଥିବା ନେଇ ତାଙ୍କ ବିରୋଧରେ ୨୦୧୭ ଡିସେମ୍ବର ୧୧ରେ ବ୍ୟବସାୟୀ ଏମ୍. କ୍ରିଷ୍ଣା କୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ। ବିଚାରପତି ରେଡ୍ଡୀ ଜୁନ୍ରେ ଅବସର ନେବେ।