କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ପେଡ଼ି ଖୋଲିଲେ ରାଜ୍ୟ ସରକାର

0

ଭୁବନେଶ୍ୱର:ରାଜ୍ୟ ସରକାର ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ୧ଜୁନ ୨୦୧୮ରେ କାର୍ଯ୍ୟକାରୀ କରିବା ପରେ, ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଧରଣର ଘୋଷଣା କରାଯାଇଛି । ଏହି ଘୋଷଣା ଦୀର୍ଘ ଦିନ ଧରି କାର୍ଯ୍ୟରତ ସାମ୍ବାଦିକଙ୍କ ଦାବିକୁ ଦୃଷ୍ଟିରେ ରଖି କାର୍ଯ୍ୟକାରୀ କରାଯାଇଛି। ସରକାର ପୂର୍ବରୁ ୩୨୩୩ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ପ୍ରଥମ ପର୍ଯ୍ୟାୟରେ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ଯୋଜନାରେ ସାମିଲ କରିଛନ୍ତି। ଏହା ବ୍ୟତୀତ ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଜନିତ ବୀମା ୪ଲକ୍ଷ ଟଙ୍କା ଧାର୍ଯ୍ୟ କରିଛନ୍ତି। ୨୫ଲକ୍ଷ ପର୍ଯ୍ୟନ୍ତ ଗୃହ ୠଣରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ୩ ପ୍ରତିଶତ ରିହାତି ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଋଣ ସଠିକ ସମୟରେ ପୈଠ କରୁଥିଲେ ଏହି ଛାଡ଼ ଦେବାକୁ ରାଜ୍ୟ ସରକାର ସର୍ତ୍ତାବଳୀରେ ଉଲ୍ଲେଖ କରିଛନ୍ତି। ସେହିପରି ୪ଚକିଆ ଯାନ କ୍ରୟ ନିମନ୍ତେ ୪ଲକ୍ଷ ଋଣ ଉପରେ ୩ପ୍ରତିଶତ ଛାଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। କାର୍ଯ୍ୟରତ ସାମ୍ବାଦିକ କୌଣସି କାରଣରୁ ବିକଳାଙ୍ଗ ହେଲେ ୨ଲକ୍ଷ ଅତିରିକ୍ତ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର। କାର୍ଯ୍ୟରତ ସାମ୍ବାଦିକଙ୍କୁ ୨ଚକିଆ ଯାନ ପାଇଁ ୫୦ହଜାର ଋଣ ପ୍ରଦାନ କରାଯିବା ସହ ୩ପ୍ରତିଶତ ଋଣ ଛାଡ଼ ଦେବାର ବ୍ୟବସ୍ଥା ଘୋଷଣା କରାଯାଇଛି। ସେହିପରି ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କ ପିଲାଙ୍କ ପାଠ ପଢା ପାଇଁ ମାସକୁ ୧୫୦୦ଟଙ୍କା ଓ ଦଶମ ଶ୍ରେଣୀ ଅଥବା ତଊର୍ଦ୍ଧ୍ୱ ପିଲାଙ୍କ ପାଇଁ ୨୫୦୦ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ସରକାର। ସେହିପରି ଆଆଇଏମସି ପାଠ୍ୟକ୍ରମ ପାଇଁ କାର୍ଯ୍ୟରତ ସାମ୍ବାଦିକଙ୍କୁ ୧୦୦୦୦ଟଙ୍କା ଆର୍ଥିକ ସହଯୋଗ ଘୋଷଣା କରାଯାଇଛି।କାର୍ଯ୍ୟରତ ସାମ୍ବାଦିକଙ୍କୁ ଏହି ପାଠ୍ୟକ୍ରମ ୫ବର୍ଷ ମଧ୍ୟରେ ସମ୍ପନ୍ନ କରିବାକୁ ପଡ଼ିବ। ତେବେ ରାଜ୍ୟ ସରକାରଙ୍କ ଏହି ଘୋଷଣାରେ ପ୍ରଦତ୍ତ ସମସ୍ତ ଋଣ ରିହାତି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଋଣ ପରିଶୋଧ କରିବାକୁ ସର୍ତ୍ତ ରଖାଯାଇଛି।

Leave A Reply