ଝୁମ୍ପୁରା: ଝୁମ୍ପୁରା ବ୍ଲକ ଚଉଠିଆ ପଚାୟତର ମଧୁପୁର ଖେଳ ପଡିଆ ଠାରେ ୯ମ ବାର୍ଷିକୀ ଡମ୍ବରୁଧର ସ୍ମାରକୀ ଫୁଟବଲ ପ୍ରତିଯୋଗିତା ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତାରେ ଜିଲାର ୮ଟି ଦଳ ଅଂଶ ଗ୍ରହଣ କରି ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରିଥିଲେ। ଏହି ସ୍ମାରକୀ ଫୁଟବଲ ପ୍ରତିଯୋଗିତାର ଫାଇନାଲ ଖେଳ ଲୋକାଲ ଲିଜେଣ୍ଡ କ୍ଲବ ଏବଂ ମର୍ଣ୍ଣିଂ କ୍ଲବ କେନ୍ଦୁଝର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଲୋକାଲ ଲିଜେଣ୍ଡ କ୍ଲବ ମର୍ଣ୍ଣିଂ କ୍ଲବକୁ ପରାସ୍ତ କରି ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଖେଳ ଶେଷରେ ପୁରସ୍କାର ବିତରଣୀ ଉତ୍ସବ ପଦ୍ମଲୋଚନ ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲାଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାୟକ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲା ଫୁଟବଲ ସଭାପତି ବିରେନ୍ଦ୍ର ମହାନ୍ତ ଯୋଗଦାନ କରିଥିଲେ।
ମୁଧୁପୁର ଗ୍ରାମର ପଦ୍ମଲୋଚନ ତାଙ୍କ ବଡଭାଇଙ୍କ ସ୍ମୃତି ଉଦ୍ଦେଶ୍ୟରେ ୯ ବର୍ଷ ଧରୀ ଫୁଟବଲ ଖେଳ ଆୟୋଜନ କରିବା ସହିତ ଜିଲାର ଫୁଟବଲ ଦଳ ଗୁଡିକୁ ଖେଳିବାର ସୁଯୋଗ ଦେବା ସହିତ ଫୁଟବଲ ପ୍ରେମୀମାନଙ୍କୁ ଖେଳ ଦେଖିବାର ସୁଯୋଗ ଦେଇପାରୁଛନ୍ତି ବୋଲି କହିଥିଲେ। ଖେଳକୁ ପରିଚାଳନା କରିଥିଲେ ରେଫରୀ ଜତିନ ମହାନ୍ତ, କୃଷ୍ଣଚନ୍ଦ୍ର ମହାନ୍ତ ଏବଂ ଚୁନୁ ସିଂହ। ଧାରା ବିବରଣୀ ପ୍ରଦାନ କରିଥିଲେ ଜନ ପାତ୍ର, ଅରୁଣ ମହାନ୍ତ, ଭୋଳାନାଥ ମହାକୁଡ ପ୍ରମୁଖ। ଚମ୍ପିଆନ ଦଳକୁ ନଗଦ ୧୫ ହଜାର ଟଙ୍କା ସହିତ ଚମ୍ପିଆନ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ରନର୍ସ ଅଫ ଦଳକୁ ୧୦ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା।



