ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁର ଆତ୍ମହତ୍ୟା ପରେ ଝାରସୁଗୁଡ଼ାରେ ଆରମ୍ଭ ହୋଇଥିବା ରାଜନୈତିକ ତୁମ୍ବୀ ତୋଫାନ ଅଧିକ ଉଗ୍ର ହୋଇଛି। ରବିବାର ବିଜେପି ଝାରସୁଗୁଡ଼ା ପକ୍ଷରୁ ଝାରସୁଗୁଡ଼ା ଥାନା ସାମ୍ନାରେ ବିକ୍ଷୋଭ କରିବାର କାର୍ଯ୍ୟକ୍ରମ ଥିବା ବେଳେ ବିଜେଡି ମଧ୍ୟ ଝାରସୁଗୁଡ଼ା ଥାନା ଆଗରେ ଆଜି ତିନିଜଣ ବିଜେପି ନେତାଙ୍କ ଗିରଫଦାରୀ ଦାବି କରି ବିକ୍ଷୋଭ କରିବାର କାର୍ଯ୍ୟକ୍ରମ ଥିଲା। ତେବେ ଏହାକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାରୁ ଝାରସୁଗୁଡ଼ା ପ୍ରଶାସନ ସହରର ଝଣ୍ଡାଛକରୁ ଧର୍ମଶାଳା ଛକ ପର୍ଯ୍ୟନ୍ତ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଉଥିଲା।
ଫଳରେ ବିଜେପି ଏବଂ ବିଜେଡିର ବିକ୍ଷୋଭ ଏବଂ ଧାରଣା କାର୍ଯ୍ୟକ୍ରମ ଉପରେ ପୂର୍ଣ୍ଣଛେଦ ପଡିଥିଲା। ଏଣୁ ଉଭୟ ପକ୍ଷର କର୍ମୀମାନେ ଝଣ୍ଡାଛକ ଠାରେ ନିଜ ନିଜ ଦାବି ସପକ୍ଷରେ ନାରାବାଜି କରିଥିଲେ। ଏହାପରେ ଧସ୍ତାଧସ୍ତି ମଧ୍ୟ ହେଇଥିଲା। ବିଜେପି କର୍ମୀମାନଙ୍କ ଆଡ଼କୁ ବିଜେଡି କର୍ମୀମାନେ ଧସେଇ ପଶିଥିଲେ। ଏମିତିକି ବିଜେପି ନେତା ଏବଂ କର୍ମୀମାନଙ୍କ ଆଡକୁ ବିଲାତି ମାଡ଼ କରିଥିଲେ। ସ୍ଥିତି ଅଣାୟତ ହେବାରୁ ପୋଲିସ ଉଭୟ ପକ୍ଷରୁ କୋଡ଼ିଏ ଜଣ ଲେଖାଏଁ କର୍ମୀଙ୍କୁ ପୁଲିସ ଅଟକ ରଖିଛି। ଏହାକୁ ନେଇ ଝାରସୁଗୁଡା ଥାନାଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲାଗି ରହିଛି।



