ହତ୍ୟାଧମକ ଘଟଣା: ଝାରସୁଗୁଡ଼ା ଷ୍ଟେସନରୁ ଅଭିଯୁକ୍ତକୁ ଗିରଫ କଲା ଟାଉନ ପୁଲିସ

ସୁନ୍ଦରଗଡ଼: ସୁନ୍ଦରଗଡ଼ର ବିଶିଷ୍ଟ ପରିବହନ ବ୍ୟବସାୟୀ ସଞ୍ଜୟ ନନ୍ଦ(ପିଲୁ)ଙ୍କୁ କଲ ଓ ମେସେଜ କରି ୫୦ଲକ୍ଷ ଟଙ୍କା ଦାବି କରିବା ସହ ହତ୍ୟା ଧମକ ଦେବା ଘଟଣାର ପର୍ଦ୍ଦଫାଶ କରିବାରେ ଟାଉନ ପୁଲିସ ସକ୍ଷମ ହୋଇଛି । ଏ ପ୍ରସଙ୍ଗକୁ ନେଇ ଗତ କେଇଦିନ ହେଲା ସୁନ୍ଦରଗଡ଼ରେ ଭିନ୍ନ ଭିନ୍ନ ଚର୍ଚ୍ଚା ଜାରି ରହିଥିବା ବେଳେ ବିଶେଷ କରି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଏ ଘଟଣା ଅତ୍ୟନ୍ତ ସମ୍ବେଦଶୀଳ ହୋଇପଡ଼ିଥିଲା ।

ଟାଉନ ପୁଲିସ ଉକ୍ତ ଘଟଣାକୁ ଅତ୍ୟନ୍ତ ଗମ୍ଭିରତାର ସହ ନେଇ ସମସ୍ତ ପ୍ରକାର ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି ଅଭିଯୁକ୍ତ ଅମନ ଶର୍ମାକୁ ଝାରସୁଗୁଡ଼ା ରେଳ ଷ୍ଟେସନରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଫଳରେ ଏ ଘଟଣାକୁ ନେଇ ଲାଗି ରହିଥିବା ଆଶଙ୍କାର ଅନ୍ତଘଟିଛି । ପୁଲିସ ସୂତ୍ରରୁ ପ୍ରକାଶ, ଅଭିଯୁକ୍ତ ଅମନ ଏକ ଅଜଣା ନମ୍ବରରୁ ବିଶିଷ୍ଟ ପରିବହନ ବ୍ୟବସାୟୀ ଶ୍ରୀ ନନ୍ଦଙ୍କୁ ବାରମ୍ବାର ଫୋନ କରିବା ସହ ଏକାଧିକ ଏସଏମଏସ ପଠାଇ ୫୦ଲକ୍ଷ ଟଙ୍କା ଦାବି କରିବା ସହ ତାଙ୍କୁ ଓ ତାଙ୍କ ପରିବାର ବର୍ଗଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିଲେ ।

ପ୍ରଥମ ପର୍ୟ୍ୟାୟରେ ଶ୍ରୀ ନନ୍ଦ କଲକୁ ଏତେଟା ଗୁରୁତ୍ବ ଦେଇନଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଲଗାତାର ଫୋନ କଲ ଓ ଏ ସଂପର୍କିତ ଏକାଧିକ ଏସଏମଏସ ତାଙ୍କୁ ବିବ୍ରତ କରି ପକାଇଥିଲା । ଫଳରେ ସେ ଗତ ୨୮ ତାରିଖ ଦିନ ଟାଉନ ଥାନାରେ ଏତଲା ଦେଇଥିଲେ । ଏତଲା ଦେବାର ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଗୁଳିମାଡ଼ରେ ମୃତ୍ୟୁବରଣ କରିଥିଲେ । ଫଳରେ ଶ୍ରୀ ନନ୍ଦଙ୍କ ଏତଲାକୁ ନେଇ ସହରବ୍ୟାପୀ ଚର୍ଚ୍ଚା ହେବା ସହ ଭିନ୍ନ ଭିନ୍ନ ଆଲୋଚନା ଜାରି ରହିଥିଲା ।

ଶେଷରେ ଟାଉନ ପୁଲିସ ଯେଉଁ ନମ୍ବରରୁ ଅଜଣା କଲ ଓ ଏସଏମଏସ ଆସିଥିଲା ତାକୁ ଚିହ୍ନଟ କରିବା ସହ ଏହି ନମ୍ବରକୁ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ କରି ତାର ସ୍ଥିତି ସଂପର୍କରେ ଅବଗତ ହୋଇ ଅତର୍କିତ ଭାବେ ଝାରସୁଗୁଡ଼ା ରେଳ ଷ୍ଟେସନରେ ପହଞ୍ଚି ଅଭିଯୁକ୍ତଙ୍କୁ କାବୁ କରିନେଇଥିଲା ।

ପଚରାଉଚୁରା କାଳରେ ଅଭିଯୁକ୍ତ ଅମନ ସମସ୍ତ କଥା ସ୍ବୀକାର ମଧ୍ୟ କରିଥିଲା । ସୂଚନା ଯୋଗ୍ୟ, ପୂର୍ବରୁ ଅମନ ପୂର୍ବତନ ବିଧାୟକ ଯୋଗେଶ ସିଂ ଓ ସଦର ବିଧାୟିକାଙ୍କ ସ୍ବାମୀ ଅଜୟ ପଟେଲଙ୍କ ନାମରେ ଫେକ ଫେସବୁକ ଏକାଉଣ୍ଟ ଖୋଲି ଟଙ୍କା ଆଦାୟ କରିଥିବାର ମଧ୍ୟ ଅଭିଯୋଗ ହୋଇ ଦୁଇଟି ମାମଲା ରୁଜୁ ହୋଇଥିଲା ଏବଂ ଏ ଘଟଣାରେ ମଧ୍ୟ ଅମନ ଗିରଫ ହୋଇ ଜେଲ ଯାଇଥିଲା ।

Comments are closed.