ରସୁଲପୁର : ବହୁଚର୍ଚ୍ଚିତ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ଓରଫ ଝିଲିଙ୍କ ମୃତ୍ୟୁ ଘଟଣା ୭୫ଦିନ ପରେ ଘଟଣାସହ ସମ୍ପୃକ୍ତ ଜନୈକ ଯୁବକକୁ ଯାଜପୁର ପୁଲିସ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଲେ ପୂର୍ବରୁ ଗିରଫ ହୋଇ ଜେଲରେ ଥିବା ମୁଖ୍ୟ ଅଭିଯୁକ୍ତ ରାକେଶର ସାଙ୍ଗ ଓ ସେ ସୁନ୍ଦରପଦା ଗ୍ରାମର ଅମରେଶ ରାଉତ(୨୫) ବୋଲି ପୁଲିସ ପ୍ରକାଶ କରିଛି। ଅମରେଶକୁ ଆଜି ଗିରଫ କରାଯାଇ ଯାଜପୁର କୋର୍ଟ ଚାଲାଣ କରାଯାଇଛି। ଗିରଫ ଅମରେଶ ଝରାଫୁଲ ଓ ରାକେଶକୁ ଜାନୁୟାରୀ ୨୬ତାରିଖରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଧର୍ମବିହାରର ଶିବସାଇ ଗେଷ୍ଟହାଉସରେ ୨୦୧ ନମ୍ବର ରୁମ୍ରେ ରଖାଇବାର ବ୍ୟବସ୍ଥା କରିଥିବା ବିଷୟ ପୁଲିସ ପ୍ରକାଶ କରିଛି। ଗିରଫ ଅମରେଶ ଏୟାରଫିଲ୍ଡ ହାଟ ନିକଟରେ ଏକ ଫାଷ୍ଟଫୁଡ୍ ଦୋକାନ କରିଥିବା ଜଣାଯାଇଛି। ଉକ୍ତ ଘଟଣାର ତଦନ୍ତକାରୀ ଅଫିସର ଯାଜପୁର ଏସଡିପିଓ ଚିନ୍ମୟ କୁମାର ନାୟକ, କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ଓ କମିଶନରେଟ ପୁଲିସର ଗଠିତ ଦଳ ଏହି ଘଟଣା ସହ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବାକୁ ପ୍ରଚେଷ୍ଟା କରିବାସହ ଅଧିକ ତଦନ୍ତ ଜାରି ରଖିଛନ୍ତି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାକେଶର ପ୍ରମୁଖ ସହଯୋଗୀ ଶକ୍ତିଶେଖରକୁ ପୁଲିସ ଧରିବାରେ ସଫଳ ହୋଇପାରିନାହିଁ। ଫେରାର ଶକ୍ତିଶେଖରକୁ ପୁଲିସ ଗିରଫପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
Popular Categories



