ପିଲାକୁ କୋଳରେ ରଖି ଅଟୋ ଚଲାଉଛନ୍ତି ହେମଲତା
ଜୟପୁର:ଜୟପୁର ବାସିନ୍ଦା ହେମଲତା କୁଶବାହା। ପରିବାରର ଦାୟିତ୍ବକୁ ତୁଲାଇବାକୁ ଯାଇ ସେ ଆଜି ଅଟୋ ଚଲାଉଛନ୍ତି। ଖୁବ୍ କମ୍ ବୟସରେ ତାଙ୍କ ବିବାହ ହେଲା। ପରେପରେ ସ୍ବାମୀ ତାଙ୍କୁ ସବୁବେଳେ ମାର୍ପିଟ କଲେ। ହେମଲତା ନିଜ ବାପା-ମା’ଙ୍କୁ ଏକଥା କହିଲେ କିନ୍ତୁ ସେମାନେ ପରିସ୍ଥିତି ସହ ବୁଝାମଣା କରିବାକୁ ପରାମର୍ଶ ଦେଲେ। ପୁଅଟେ ହେବା ପରେ ସେ ଦେଖିଲେ ସ୍ବାମୀଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଛି। ସେଇ ସମୟରେ ହେମଲତା ଗାଡ଼ି ଚଲାଇବା ଶିଖିଲେ। ଭବିଷ୍ୟତରେ ଏହା ଯେ କାମରେ ଆସିବ, ଏକଥା ସେତେବେଳେ ହେମଲତା ଭାବିନଥିଲେ। ସ୍ବାମୀଙ୍କ ସହ ମତାନ୍ତର ଚାଲିଥିବା ଭିତରେ ଅଟୋଟେ କିଣି ନିଜେ ଚଲାଇବାକୁ ସେ ଭାବିଲେ। ୨୦୧୪ର ଏହି ଘଟଣା, ଜୟପୁରରେ ଥିବା ୪୦ହଜାର ଅଟୋଚାଳକଙ୍କ ମଧ୍ୟରୁ ସେ ଥିଲେ ଏକମାତ୍ର ମହିଳା। ସମସ୍ତେ ତାଙ୍କୁ ହଇରାଣ କଲେ। କେଉଁ ଦିନ ରାତିରେ ଅଟୋ ସାମ୍ନା କାଚ ଭାଙ୍ଗିଲେ ତ’ ଅନ୍ୟ ଦିନେ ଗାଡ଼ି ସିଟ୍କୁ ଚିରିଦେଲେ। ଏତେ ସବୁ ଅସୁବିଧାର ସାମ୍ନା କରି ହେମଲତା କିନ୍ତୁ ହାର ମାନିନଥିଲେ। ତାଲାବନ୍ଦ ସମୟରେ ହେମଲତା ଦ୍ବିତୀୟ ଥର ଗର୍ଭବତୀ ହେଲେ। ସେତେବେଳେ ରୋଜଗାର ଭଲ ନଥାଏ। ଜ୍ଞାତିପରିଜନ ସମସ୍ତେ ତାଙ୍କ ଠାରୁ ଦୂରେଇ ଗଲେ। ପ୍ରସବ ଯନ୍ତ୍ରଣା ଦିନ ସେ ନିଜେ ଅଟୋ ଚଲାଇ ଡାକ୍ତରଖାନା ଗଲେ। ସ୍ବାମୀ ଓ ପୁଅ ସାଙ୍ଗରେ ଥିଲେ। ତାଙ୍କ ସ୍ବାମୀ ଅଟୋ ଚଲାଇବା ଜାଣିନଥିଲେ କିନ୍ତୁ ପତ୍ନୀଙ୍କ ପାଖେପାଖେ ରହିଲେ। ଏବେ ତାଙ୍କ ଝିଅ ବଡ଼ ହେବା ପରେ ସେ ତାକୁ ଧରି ବେଳେବେଳେ କାମକୁ ଆସୁଛନ୍ତି। ସ୍ବାମୀଙ୍କ ବ୍ୟବହାରରେ ଏବେ ବହୁତ ପରିବର୍ତ୍ତନ ଆସିଛି ବୋଲି କହିଛନ୍ତି ହେମଲତା। ଦୁହେଁ କର୍ମଜୀବୀ, ସେଥିପାଇଁ ପିଲା ଓ ଘର ଦାୟିତ୍ବ ସେମାନେ ସମାନ ଭାବେ ତୁଲାଉଛନ୍ତି। ଚିହ୍ନା ପରିଚିତ ଗ୍ରାହକ ଡାକିଲେ, ହେମଲତା ଝିଅକୁ କଙ୍ଗାରୁ ବ୍ୟାଗ୍ରେ ଭର୍ତ୍ତି କରି ଅଟୋ ଭଡ଼ା ନେଉଥିବାର କହିଛନ୍ତି। ବହୁ ଘାତପ୍ରତିଘାତ ସାମ୍ନା କରିବା ପରେ ହେମଲତା ଆଜି ସଠିକ୍ ଦିଗରେ ଆଗକୁ ବଢ଼ୁଛନ୍ତି।
Comments are closed.