www.samajalive.in
Saturday, December 6, 2025
15.1 C
Bhubaneswar

ଚୀନ୍‍କୁ ଜାତିସଂଘ ନିରାପତ୍ତା ପରିଷଦ ସ୍ଥାୟୀ ସଭ୍ୟ ପଦ ମିଳିବାରେ ନେହେରୁଙ୍କ କୌଣସି ଭୂମିକା ନଥିଲା

ବଲାଙ୍ଗିର : ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପଦ ପାଇଁ ଆନୁଷ୍ଠାନିକ କିମ୍ବା ଅଣଆନୁଷ୍ଠାନିକ ଭାବେ କୌଣସି ପ୍ରସ୍ତାବ ମିଳିନଥିଲା ବୋଲି ତତ୍କାଳୀନ ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର ବିଭାଗ ମନ୍ତ୍ରୀ ଜବାହର ଲାଲ ନେହେରୁ ୧୯୫୫ ମସିହା ସେପ୍ଟେମ୍ବର ୨୭ ତାରିଖ ଦିନ ଲୋକସଭାରେ ପ୍ରକାଶ କରିଥିବା କଥା ସୂଚନା ଅଧିକାର ଅଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡିଛି। ଲୋକସଭା ସଚିବାଳୟ ପକ୍ଷରୁ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ଲୋକସଭାରେ ସେହିଦିନ ହୋଇଥିବା ଅଲୋଚନାର ବିବରଣୀ ୱେବ ଲିଙ୍କ ମାଧ୍ୟମରେ ତଥ୍ୟ ପ୍ରଦାନ କରାଯାଇଛି।

ଲୋକସଭାରେ ଏହିଦିନ ହୋଇଥିବା ଅଲୋଚନାରୁ ଜଣାପଡିଛି ଯେ, ତତ୍କାଳୀନ ଲୋକସଭା ସଦସ୍ୟ ଡ. ଜେଏନ୍‍ ପାରିଖ ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ପଦକୁ ନେଇ କେତେକ ପ୍ରଶ୍ନ ପଚାରିଥିଲେ। ଜାତିସଂଘ ନିରାପତ୍ତା ପରିଷଦରେ ସ୍ଥାୟୀ ସଦସ୍ୟ ପଦ ପାଇଁ ଦିଅଯାଇଥିବା ପ୍ରସ୍ତାବକୁ ଭାରତ ଅଗ୍ରାହ୍ୟ କରିଛି କି? ଯଦି କରିଛି ତା’ର କାରଣ? ଜାତିସଂଘ ସାଧାରଣ ପରିଷଦକୁ ଯାଉଥିବା ଭାରତୀୟ ପ୍ରତିନିଧି ଦଳ ଚୀନର ସ୍ଥାୟୀ ସଦସ୍ୟତା ପାଇଁ ପ୍ରସ୍ତାବ ଦେବେ କି? ଇତ୍ୟାଦି ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ ନେହେରୁ ଏହାକୁ ଅବାସ୍ତବ କଥା ବୋଲି କହି ଏଭଳି କୌଣସି ପ୍ରସ୍ତାବ ନଥିବା କହିଥିଲେ। ସମସ୍ତ ଦେଶକୁ ଯୋଗ୍ୟତା ଭିତ୍ତିରେ ଜାତିସଂଘର ସଭ୍ୟ ରାଷ୍ଟ୍ର ଭାବେ ଗ୍ରହଣ କରିବା ସପକ୍ଷରେ ଭାରତ ରହିଥିବାବେଳେ ଚୀନକୁ ଉପଯୁକ୍ତ ସ୍ଥାନ ଦେବା ପାଇଁ ଭାରତ ଚାହେଁ ଏବଂ ଏହି ଦିଗରେ କାର୍ଯ୍ୟ କରିବାକୁ ପ୍ରତିନିଧି ଦଳକୁ ପରାମର୍ଶ ଦିଆଯାଇଛି ବୋଲି ନେହେରୁ ଲୋକସଭାରେ ପ୍ରକାଶ କରିିଥିଲେ। ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ଅମେରେିକା ପୂର୍ବରୁ ପ୍ରସ୍ତାବ ଦେଇଥିଲା ନା ନାହିଁ, ଭାରତ ଏହାକୁ ଅଗ୍ରାହ୍ୟ କରି ଚୀନକୁ ସ୍ଥାୟୀ ସଦସ୍ୟତା ଦେବା ପାଇଁ ବାଟ ଛାଡି ଦେଇଥିଲା କି ଇତ୍ୟାଦି ବିଷୟରେ ଜାଣିବା ପାଇଁ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଓ ଲୋକସଭା ସଚିବାଳୟକୁ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ତଥ୍ୟ ମାଗିଥିଲେ।

- Advertisement -

ବୈଦେଶିକ ମନ୍ତ୍ରଣାଳୟ ପ୍ରଦାନ କରିଥିବା ତଥ୍ୟରେ ଏ ନେଇ କୌଣସି ତଥ୍ୟ ନଥିବା କୁହାଯାଇଥିବା ବେଳେ ପରିଷଦର ସ୍ଥାୟୀ ସଦସ୍ୟତା ଦାବୀକୁ ଭାରତ ସବୁବେଳେ ଅଗ୍ରାଧିକାର ଦେଇ ଆସିଛି ଏବଂ ନିରାପତ୍ତା ପରିଷଦକୁ ସମ୍ପ୍ରସାରିତ କରିବା ପାଇଁ ଭାରତ ଦ୍ୱିପାକ୍ଷିକ ଓ ବହୁପାକ୍ଷିକ ଅଲୋଚନା ମାଧ୍ୟମରେ ଅନ୍ତରିକତାର ସହ ଉଦ୍ୟମ ଜାରି ରଖିଛି ବୋଲି ସୂଚନା ଅଧିକାର କର୍ମୀ ପଣ୍ଡାଙ୍କୁ ବୈଦେଶିକ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଜାତିସଂଘ ସାଧାରଣ ପରିଷଦର ୭୫ତମ ଅଧିବେଶନରେ ତଥା ଗତ ୨୬ ସେପ୍‍ଟେମ୍ବର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିଷୟ ଉତ୍ଥାପନ କରିଥିଲେ ବୋଲି ମଧ୍ୟ ତଥ୍ୟ ପ୍ରଦାନ କରାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ସେ ସମୟରେ ଭାରତକୁ ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟତା ପ୍ରଦାନ ପାଇଁ ଅମେରିକାର ପ୍ରସ୍ତାବକୁ ତତ୍କାଳିନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଅଗ୍ରାହ୍ୟ କରି ଚୀନକୁ ସ୍ଥାୟୀ ସଭ୍ୟ ପଦ ମିଳିବା ରାସ୍ତାକୁ ସହଜ କରିଥିଲେ ବୋଲି ତାଙ୍କୁ ବିଭିନ୍ନ ସମୟରେ ସମାଲୋଚନା କରାଯାଇ ଆସୁଛି। ଏଭଳି ସମାଲୋଚନାର କୌଣସି ଭିତ୍ତି ନାହିଁ ବୋଲି ପଣ୍ଡା କହିଛନ୍ତି। ପଣ୍ଡିତ ନେହେରୁ ୧୯୫୫ ମସିହା ଅଗଷ୍ଟ ୨ ତାରିଖରେ ମୁଖ୍ୟମନ୍ତ୍ରୀମାନଙ୍କୁ ଲେଖିଥିବା ଏକ ପତ୍ରରେ ତାଙ୍କ ବିଚାର ଉଲ୍ଲେଖ କରିଥିଲେ। ଏହାକୁ ନେଇ ସେତେବେଳେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଏବଂ ପରେ ସେପ୍ଟେମ୍ବର ମାସରେ ଏହାକୁ ନେଇ ଲୋକସଭାରେ ପ୍ରଧାନମନ୍ତ୍ରୀ ନେହେରୁ ସ୍ପଷ୍ଟ ଭାବେ ଡ. ପାରିଖଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ବୋଲି ସୂଚନା ଅଧିକାର ଆଇନରେ ସୂଚନା ମିଳିଥିବା ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories